ସମ୍ବଲପୁର: ନୂଆ ବର୍ଷରେ ଦେବଦେବୀଙ୍କ ଆଶୀର୍ବାଦ ନେବା ପାଇଁ ମନ୍ଦିରଗୁଡ଼ିକରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥାଏ। କୋଭିଡ୍ ପାଇଁ ୨ ବର୍ଷ ହେବ ନୂଆବର୍ଷରେ ମନ୍ଦିର ବନ୍ଦ ରହୁଥିବାରୁ ଭକ୍ତମାନେ ଏହି ସୌଭାଗ୍ୟ ପାଇବାରୁ ବଞ୍ଚିତ ରହୁଥିଲେ। କିନ୍ତୁ ଚଳିତବର୍ଷ କୋଭିଡ୍ କଟକଣା ହଟିଯାଇଥିବାରୁ ମନ୍ଦିର ଖୋଲା ରହିଥିଲା। ମନ୍ଦିରଗୁଡ଼ିକରେ ଭକ୍ତମାନଙ୍କର ବେଶ୍ ଭିଡ଼ ମଦ୍ୟ ଦେଖିବାକୁ ମିଳିଥିଲା। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିଲା। ହଜାର ହଜାର ଭକ୍ତ ରବିବାର ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଲୋକଙ୍କ ଭିଡ଼କୁ ଦେଖି ନୂଆବର୍ଷ ଦିନ ପୂଜାସାମଗ୍ରୀକୁ ବାରଣ କରାଯାଇଥିଲା। ଭକ୍ତମାନେ ମନ୍ଦିର ବାହାରେ ଦୀପ ଜାଳିଥିଲେ।
ମା’ଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା
ନୂଆବର୍ଷ ଦିନ ମା’ଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ସାଧାରଣ ଦର୍ଶନ ପାଇଁ କୌଣସି ଟଙ୍କା ନିଆଯାଉ ନଥିଲା। ସ୍ବତନ୍ତ୍ର ଦର୍ଶନ ପାଇଁଜଣେ ଭକ୍ତଙ୍କୁ ୧୦୦ ଟଙ୍କା ଦେଇ ଟିକଟ୍ ନେବାକୁ ପଡ଼ୁଥିଲା। ସ୍ବତନ୍ତ୍ର ଦର୍ଶନ ପାଇଁ ମଧ୍ୟ ରବିବାର ପ୍ରବଳ ଭିଡ଼ ଲାଗି ରହିଥିଲା। ମା’ ସମଲେଶ୍ବରୀଙ୍କ ବ୍ୟତୀତ ମା’ ପାଟଣେଶ୍ବରୀ, ମାନେଶ୍ବର ମାନ୍ଧାତା ବାବା, ହୁମା ବିମଳେଶ୍ବର ବାବା ଆଦି ମନ୍ଦିରରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।