ଶ୍ରୀମନ୍ଦିର, ବେଳାଭୂମିରେ ପ୍ରବଳ ଗହଳି

ମାଘ ବୁଡ଼ ପାଇଁ ଶ୍ରୀକ୍ଷେତ୍ରମୁହାଁ ଭକ୍ତ

ପୁରୀ:‌ ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗା ସହ ଆଜି ପୁରୀରେ ବି ପ୍ରବଳ ଗହଳି ଦେଖିବାକୁ ମିଳିଛି। ବଡ଼ି ଭୋର୍‌ରୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଓ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରି ଫେରିବା ପରେ ମାନସିକଧାରୀମାନେ ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଯେଉଁମାନେ ଚନ୍ଦ୍ରଭାଗାକୁ ବୁଡ଼ ପକାଇବାକୁ ଯାଇପାରିନାହାନ୍ତି, ସେମାନେ ଆଜି ବଡ଼ି ଭୋର୍‌ରୁ ପୁରୀ ବେଳାଭୂମିରେ ମହୋଦଧି ବୁଡ଼ ପକାଇଛନ୍ତି। ଏଥିପାଇଁ ଆଜି ଶ୍ରୀମନ୍ଦିର ଓ ବେଳାଭୂମିରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଆଜି ଥିଲା ମାସର ଶେଷ ଶନିବାର ଓ ଆସନ୍ତାକାଲି ରବିବାର।

ଅନ୍ୟପଟେ ଆଜି ମାଘସପ୍ତମୀ ବୁଡ଼ ବି ରହିଥିଲା। ଏ ଦୃଷ୍ଟିରୁ ଆଜି ସକାଳୁ ହିଁ ଶ୍ରୀମନ୍ଦିରରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଭକ୍ତମାନେ ଡୁଡୁୱାଲା ଧର୍ମଶାଳାଠାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବାଧାଡ଼ି ଲଗାଇଥିଲେ। ସେପଟେ ଶ୍ରୀମନ୍ଦିର ବାହାରେ ଯେତିକି ଭିଡ଼ ଥିଲା, ଶ୍ରୀମନ୍ଦିର ଭିତରେ ବି ସେତିକି ଭିଡ଼ ରହିଥିଲା। ଅଧିକ ଭିଡ଼ ବାହାର କାଠ ଓ ଭିତର କାଠରେ ଦେଖିବାକୁ ମିଳିଥିଲା। ସେପଟେ ଯେଉଁମାନେ ଛୁଟି କାଟିବାକୁ ଆସିଥିଲେ, ସେମାନେ ବି ଆଜି ଶ୍ରୀମନ୍ଦିର ସହ ସମୁଦ୍ର କୂଳରେ ଭିଡ଼ ଲଗାଇଥିଲେ। ଏଥିପାଇଁ ଆଜି ପୁରୀ ସହର ଲୋକାରଣ୍ୟ ହୋଇଯାଇଥିଲା। ବଡ଼ଦାଣ୍ଡ ଓ ବେଳାମାର୍ଗ ସଂଲଗ୍ନ ରାସ୍ତାରେ ଟ୍ରାଫିକ ସମସ୍ୟା ବି ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର