ବାଲେଶ୍ବର: ପର୍ଯ୍ୟଟକଙ୍କୁ ଖୁସି କରିପାରୁନି ବାଲେଶ୍ବର ଜିଲ୍ଲାର ପର୍ଯ୍ୟଟନସ୍ଥଳୀ। ଭିତ୍ତିଭୂମିର ବିକାଶ ଅଭାବରୁ ପର୍ଯ୍ୟଟକମାନେ ଏଠାରୁ ମୁହଁ ଫେରାଉଛନ୍ତି। ବିକାଶ ପାଇଁ ଆସିଥିବା ଅନୁଦାନ ଖର୍ଚ୍ଚ ହୋଇ ପାରୁନାହିଁ। ସେପଟେ ବାତ୍ୟା ‘ୟାସ୍’ରେ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଯେଉଁ କ୍ଷୟକ୍ଷତି ହୋଇଥିଲା ତା’ର ବି ଭରଣା ଏ ଯାଏ ହେଲାନାହିଁ। କୋଟି କୋଟି ଟଙ୍କା ଆସୁଥିବା ବେଳେ କାର୍ଯ୍ୟ କ୍ଷେତ୍ରରେ ସେତିକି ତତ୍ପରତା ଦେଖାଯାଉନାହିଁ। ଯେଉଁ କେତୋଟି ପର୍ଯ୍ୟଟନସ୍ଥଳୀର କାମ ଆରମ୍ଭ ହୋଇଛି, ତାହା ସଂପୂର୍ଣ୍ଣ ହୋଇ ପାରିନାହିଁ। କରୋନା କଟକଣା କୋହଳ ପରେ ଚଳିତବର୍ଷ ବାଲେଶ୍ବର ଜିଲ୍ଲାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ବୋଲି ଅନୁମାନ କରାଯାଉଥିଲା। ହେଲେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିଲା ପରି ସେମିତି କିଛି ସୁବିଧା ହୋଇନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାରେ ୨୨ଟି ପର୍ଯ୍ୟଟନସ୍ଥଳୀ ରହିଥିବା ବେଳେ ବର୍ଷସାରା ଏହି ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ଭିଡ଼ ଛୁଟିଥାଏ। କରୋନା ମହାମାରୀ ପରେ ଚଳିତବର୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମିବ। ହେଲେ ଅଧିକାଂଶ ପର୍ଯ୍ୟଟସ୍ଥଳୀ ଗୁଡ଼ିକରେ ଶୌଚାଳୟ, ପାର୍କିଂ କି ଆଲୋକୀକରଣ ବ୍ୟବସ୍ଥା ନାହିଁ। ବାରମ୍ବାର ଦାବି ପରେ ଜିଲ୍ଲାର ୬ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୨୦୨୦-୨୧ ମସିହାରେ ସରକାରୀ ଅନୁଦାନ ଆସିଥିଲା। ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ପାଇଁ ୨୦ ଲକ୍ଷ, ଜଳେଶ୍ବର ରାଇବଣିଆ ଦୁର୍ଗ ପାଇଁ ୪୩ ଲକ୍ଷ, ନୀଳଗିରି ପଞ୍ଚଲିଙ୍ଗେଶ୍ବରକୁ ୨୦ ଲକ୍ଷ ଟଙ୍କା ଆଲୋକୀକରଣ ପାଇଁ ଆସିଥିଲା। ସେମିତି ପାର୍କିଂ ପାଇଁ ବାଲିଆପାଳ ଡଗରା ବେଳାଭୂମିକୁ ୨୫ ଲକ୍ଷ, ରେମୁଣା ଇଞ୍ଚୁଡ଼ି ସହିଦ ସ୍ମୃତିପୀଠର ବିକାଶ ପାଇଁ ୨୫ ଲକ୍ଷ, କ୍ଷୀରଚୋରା ମନ୍ଦିରର ବିକାଶ ପାଇଁ ୩ କୋଟି ୨୫ ଲକ୍ଷ, ପଞ୍ଚଲିଙ୍ଗେଶ୍ବର ପାଇଁ ୨ କୋଟି ୫୫ ଲକ୍ଷ, ବାଲେଶ୍ବର ସହରରେ ‘ଆଇ ଲଭ୍ ବାଲେଶ୍ବର ସେଲ୍ଫି ପଏଣ୍ଟ’ ପାଇଁ ୨୫ ଲକ୍ଷ ଟଙ୍କା ଆସିଥିଲା।
ଚାନ୍ଦିପୁର ବେଳାଭୂମି ପାଇଁ ୨ କୋଟି ୯୪ ଲକ୍ଷ ଟଙ୍କା ଆସିଥିଲା। ଏଥିରେ ବେଳାଭୂମି ପରିସରରେ ଶୌଚାଳୟ, ପାର୍କିଂ, ପିଲାଙ୍କ ପାଇଁ ପାର୍କ, ବିଜ୍ଞାନ ପାର୍କ, ପୁଲିସ୍ ସେଲ, ପେଭର୍ ବ୍ଲକ ନିର୍ମାଣ ସହ ପର୍ଯ୍ୟଟକଙ୍କ ପାଇଁ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଯୋଜନା କରାଯାଇଥିଲା। ହେଲେ ଏସବୁ କାମ ଆରମ୍ଭ ହେବା ତ ଦୂର କଥା ବାତ୍ୟା ‘ୟାସ୍’ରେ ଭାଙ୍ଗିଥିବା ବେଳାଭୂମି ପାହାଚ ବି ଆଜିଯାଏ ମରାମତି ହେଲାନାହିଁ। ଡଗରା ବେଳାଭୂମିରେ ପାର୍କିଂ ସୁବିଧା ବି ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଚଳିତବର୍ଷ ଅଗଷ୍ଟ ମାସରେ ଏସବୁ ପର୍ଯ୍ୟଟନସ୍ଥଳୀର କାମ ସରିବାର ଥିଲା। ହେଲେ ଆଜିଯାଏ ୪୦ ପ୍ରତିଶତ କାମ ସଂପୂର୍ଣ୍ଣ ହୋଇ ପାରିନାହିଁ। କରୋନା, ବର୍ଷା ଓ ବାତ୍ୟା ପାଇଁ କାମ ବିଳମ୍ବ ହୋଇଥିବା ବିଭାଗ କହୁଥିବା ବେଳେ କାମ ସଂପୂର୍ଣ୍ଣ ହେଲା ବେଳକୁ ଆସନ୍ତା ମାର୍ଚ୍ଚ ମାସ ହୋଇଯିବ ବୋଲି ଜଣାପଡ଼ିଛି। ଯାହାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ଓ ପର୍ଯ୍ୟଟକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।