ଶ୍ରୀରାମ ନବମୀରେ ମହାପ୍ରଭୁଙ୍କ ଦର୍ଶନ: ମରିଚିକୋଟ ଛକ ଯାଏଁ ଲମ୍ବିଲା ଧାଡ଼ି

ରାମଜନ୍ମ ନୀତି ଲାଗି ସନ୍ଧ୍ୟା ୬ରୁ ବନ୍ଦ ରହିଲା ଦର୍ଶନ

ପୁରୀ : ଗୁରୁବାର ଦିନ ପବିତ୍ର ଶ୍ରୀରାମ ନବମୀରେ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ବାହାରେ ଓ ଭିତରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲମ୍ବାଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଗୁରୁବାର ସକାଳୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସିଂହଦ୍ବାର ସେଡ୍‌ ଭିତରେ ହଜାର ହଜାର ଶ୍ରଦ୍ଧାଳୁ ଧାଡ଼ିରେ ରହି ରତ୍ନବେଦିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାର୍ଇ ଯାଇଥିଲେ। ସମୟ ଗଡ଼ିବା ସହ ପୂର୍ବାହ୍ଣ ୧୦ଟା ବେଳକୁ ସେଡ୍‌ ବାହାରେ ଭକ୍ତଙ୍କ ଲମ୍ବାଧାଡ଼ି ମରିଚିକୋଟ ଛକ ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। ଖରା ଓ ମେଘୁଆ ପାଗର ଲୁଚକାଳି ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଥିଲେ।

ସେପଟେ ଗୁରୁବାର ଦିନ ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟାରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ମଧ୍ୟାହ୍ନଧୂପ ଛେକ ଆସିବା ପରେ ରାମଜନ୍ମ ନୀତି ପାଇଁ ଜୟବିଜୟ ଦ୍ବାର ବନ୍ଦ ରଖାଯାଇଥିଲା। ଏଥିପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା। ଜନ୍ମନୀତି ସରିବା ସହ ପ୍ରାୟ ୩ ଘଣ୍ଟା ପରେ ଜୟ-ବିଜୟ ଦ୍ବାର ଖୋଲିଥିଲା। ଏଣୁ ଦୂରଦୂରାନ୍ତରରୁ ଆସିଥିବା ଭକ୍ତମାନେ ବେଢ଼ା ପରିକ୍ରମା କରିବା ସହ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରି ଫେରି ଯାଇଥିଲେ। ଯେଉଁ ଭକ୍ତମାନେ ଦର୍ଶନ ଅପେକ୍ଷାରେ ଥିଲେ, ସେମାନେ ରାତି ପ୍ରାୟ ୯ଟା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଛନ୍ତି। ସେପଟେ ଆଜି ପୁରୀ ସମୁଦ୍ର କୂଳରେ ବି ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ସରକାରୀ ଛୁଟି ଥିବାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ପୁରୀରେ ସମୁଦ୍ର ସ୍ନାନ ସହ ସମୁଦ୍ର କୂଳରେ ସପରିବାର ସମୟ କାଟି ଫେରିଛନ୍ତି।

ସମ୍ବନ୍ଧିତ ଖବର