ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ତହସିଲ ଅନ୍ତର୍ଗତ ମହୁଲପାଲି ପଞ୍ଚାୟତ କୁର୍ଗା ଗ୍ରାମର ଆନନ୍ଦ ରଣା(୧୨)। ଆନନ୍ଦ ଏବେ ସପ୍ତମ ଶ୍ରେଣୀର ଛାତ୍ର। ସେ ବୋଲ୍‌ବମ୍‌ ଯାତ୍ରାରେ ସାମିଲ ହୋଇ ଧାଇଁ ଆସିଥିଲେ ବେଦବ୍ୟାସକୁ। ସେହିଭଳି ଛତିଶଗଡ଼ ଚମ୍ପାର ନରେନ୍ଦ୍ର ନିଜର ଆହୁରି ୧୫/୨୦ ବନ୍ଧୁଙ୍କ ସହ ବୋଲ୍‌ବମ୍‌ରେ ଆସିଥିଲେ ପବିତ୍ର ବେଦବ୍ୟାସ ପୀଠକୁ। ଉଭୟ ଆନନ୍ଦ ଓ ନରେନ୍ଦ୍ରଙ୍କ ଭଳି ହଜାର ହଜାର ଶ୍ରଦ୍ଧାଳୁ ବେଦବ୍ୟାସ ତ୍ରିବେଣୀ ସଙ୍ଗମରୁ ଜଳ ଉଠାଇ ଚାଲିଚାଲି ଘୋଘର ଧାମ୍‌କୁ ଯାଇ ସେଠାରେ ଜଳାଭିଷେକ କରିଥିଲେ। ଦ୍ବିତୀୟ ସୋମବାରରେ ବେଦବ୍ୟାସ ପୀଠରେ ଆଜି ପାଖାପାଖି ୩୦ ହଜାର କାଉଡ଼ିଆଙ୍କ ଭିଡ଼ ଜମିଥିଲା। କାଉଡ଼ିଆଙ୍କ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଛତିଶଗଡ଼ର ରାୟଗଡ଼ା, ଚମ୍ପା, ଦୁର୍ଗ ସମେତ ଝାଡ଼ଖଣ୍ଡ ସିମଡେଗା, ପଶ୍ଚିମ ସିଂହଭୂମ ଅଞ୍ଚଳର ଥିଲେ।
Advertisment
publive-image
ପ୍ରଥମ ସୋମବାରରେ କାଉଡ଼ିଆଙ୍କ ସଂଖ୍ୟା ୪ ହଜାରରେ ସୀମିତ ଥିଲା। ଦ୍ବିତୀୟ ‌ସୋମବାରରେ କିନ୍ତୁ ଏହା ୩୦ ହଜାର ଟପିଛି। ରବିବାର ଦିନସାରା କାଉଡ଼ିଆଙ୍କ ଗମନାଗମନ ଲାଗିରହିଥିଲା। ବିଶେଷକରି ଅପରାହ୍ନ ୩ଟାରେ କାଉଡ଼ିଆଙ୍କ ଭିଡ଼ ଦ୍ବିଗୁଣିତ ହୋଇଥିଲା। ଲମ୍ବା ଲାଇନ୍‌ରେ କାଉଡ଼ିଆ ପାଣି ଉଠାଇ ଘୋଘର ଧାମ୍‌ ଅଭିମୁଖେ ବାହାରିଥିଲେ। ଏମିତିକି ବହୁ କାଉଡ଼ିଆ ଝାଡ଼ଖଣ୍ଡର ମହାଦେବଶାଳ, ବିହାରର ବାବାଧାମ୍‌, ଦେଓଗାଁ ଶିବମନ୍ଦିରକୁ ଜଳାଭିଷେକ ପାଇଁ ବାହାରିଥିଲେ। କାଉଡ଼ିଆଙ୍କ ସମାଗମକୁ ଦେଖି ପ୍ରଶାସନ ପକ୍ଷରୁ ବେଦବ୍ୟାସରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚାରିଆଡ଼େ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଥିବାବେଳେ ନଦୀ ଭିତରକୁ ନ ଯିବାକୁ ସଚେତନ କରାଯାଉଛି। ଏତଦ୍‌ବ୍ୟତୀତ ଅଗ୍ନିଶମ  ବିଭାଗ, ସ୍ବାସ୍ଥ୍ୟସେବା ବିଭାଗ, ପୁଲିସ ବ୍ୟବସ୍ଥା ସମେତ ଓଡ୍ରାଫ୍‌ ଟିମ୍‌ ନିୟୋଜିତ ଅଛନ୍ତି। ତୃତୀୟ ସୋମବାର ଆହୁରି ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ସମ୍ଭାବନା ଥିବାରୁ ତଦନୁଯାୟୀ ସୁରକ୍ଷା ଦିଗକୁ ଅଧିକ ଧ୍ୟାନ ଦିଆଯାଉଛି।