ଜଗତସିଂହପୁର: ପାରାଦୀପ ରାସ୍ତାରେ ଭିଡ଼ ନେଲା ରୋଗୀଙ୍କ ଜୀବନ। ଦୁର୍ଘଟଣାରେ ଗୁରୁତର ଆହତ ଯୁବକ ଅଢ଼େଇ ଘଣ୍ଟା ଧରି ଟ୍ରାଫିକ୍‌ ଜାମରେ ଫସି ରହିବାରୁ ଆମ୍ବୁଲାନ୍ସ ଭିତରେ ଜୀବନ ଚାଲିଯାଇଛି। ଟ୍ରାଫିକ୍‌ ପରିଚାଳନାରେ ଗୁରୁତର ଅବହେଳାକୁ ଦାୟୀ କରିଛନ୍ତି ପରିବାର ଲୋକ। ମୃତକ ହେଲେ ନେହରୁ ବଙ୍ଗଳା ଅଞ୍ଚଳର ମହେଶ୍ୱର ଦାସଙ୍କ ପୁଅ ରାକେଶ ଦାସ (୨୧)। କଟକରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଆଜି ଶେଷକୃତ୍ୟ କରାଯାଇଛି। 

Advertisment

ବିଶ୍ବକର୍ମା ପୂଜା ପାଇଁ ରବିବାର ଲକ୍ଷାଧିକ ଲୋକଙ୍କ ସମାଗମ ଯୋଗୁ ପାରାଦୀପ ଏକପ୍ରକାର ଅଚଳ ହୋଇ ପଡ଼ିଥିଲା। ରାକେଶ ତାଙ୍କର ଜଣେ ସାଙ୍ଗଙ୍କ ସହ ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ନେହରୁ ବଙ୍ଗଳାରୁ ଅଠରବାଙ୍କୀ ଅଭିମୁଖେ ଆସୁଥିଲେ। ବାଇକ୍‌ ପଛ ସିଟ୍‌ରେ ବସିଥିଲେ ରାକେଶ। ଘନଘଳିଆ ପୋଲ ପୂର୍ବରୁ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ଅଠରବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର କଟକ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ଘରୋଇ ଆମ୍ବୁଲାନ୍ସରେ ଅପରାହ୍ଣ ପ୍ରାୟ ୫ଟାରେ କଟକ ପଠାଯାଇଥିଲା। ବିଶ୍ବକର୍ମା ପୂଜା ପାଇଁ ରବିବାର ଛୁଟି ଥିବାରୁ ହଜାର ହଜାର ସଂଖ୍ୟାର ଗାଡ଼ି ପାରାଦୀପକୁ ଆସୁଥିଲା।

ଆମ୍ବୁଲାନ୍ସରେ ଅଢ଼େଇ ଘଣ୍ଟା ଫସି ରୋଗୀଙ୍କ ମୃତ୍ୟୁ
ଟ୍ରାଫିକ ପରିଚାଳନାରେ ସାଂଘାତିକ ତ୍ରୁଟି, ହାତ ଟେକିଦେଲା ପୁଲିସ

ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ଅଠରବାଙ୍କୀ-ଦୋଛକି ରାସ୍ତା ଟ୍ରାଫିକ୍‌ ଜାମ୍ ପାଇଁ ପୂରା ଅଚଳ ହୋଇ ପଡ଼ିଥିଲା। ରାସ୍ତା ପାର୍ଶ୍ୱରେ ବେଆଇନ ଟ୍ରକ ପାର୍କିଂ ସମସ୍ୟା ବଢ଼ାଇ ଦେଇଥିଲା। ଭିଡ଼ରେ ଫସି ଯାଇଥିଲା ଆମ୍ବୁଲାନ୍ସ। ଅଠରବାଙ୍କୀରୁ ପାରାଦୀପଗଡ଼ ପ୍ରାୟ ଅଢ଼େଇ ଘଣ୍ଟା ଲାଗି ଯାଇଥିଲା। ଏପରିକି ଗୋଟିଏ ଅକ୍ସିଜେନ ସିଲିଣ୍ଡର ଶେଷ ହୋଇଯାଇଥିଲା। ଆଉ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡର ଲଗା ଯାଇଥିଲା। ପରିବାର ଲୋକ କଟକ ବଡ଼ଡାକ୍ତରଖାନାରେ ପହଞ୍ଚିବା ପରେ ରାକେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସମ୍ଭବତଃ କନ୍ଦରପୁର ନିକଟରେ ରୋଗୀଙ୍କ ଶ୍ବାସକ୍ରିୟା ବନ୍ଦ ହୋଇଯାଇଥିଲା। ଅସମ୍ଭାଳ ଭିଡ଼ ରୋଗୀଙ୍କ ଜୀବନ ନେଇଗଲା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ। 

ବିଶ୍ବକର୍ମା ପୂଜା ପାଇଁ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ଟ୍ରାଫିକ୍‌ ପରିଚାଳନା ପ୍ରସଙ୍ଗ ମଧ୍ୟ ଉଠିଥିଲା। କିନ୍ତୁ ଟ୍ରାଫିକ୍‌ ପରିଚାଳନା ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କୁହାଯାଉଛି। ଆମ୍ବୁଲାନ୍ସ କିମ୍ବା ଜରୁରିକାଳୀନ ଗାଡ଼ି ଯିବା ପାଇଁ କାହିଁକି ବାଟ ରଖାଯାଇ ନ ଥିଲା? ରାସ୍ତାକଡ଼ରୁ ବେଆଇନ ଟ୍ରକ୍‌ ପାର୍କିଂ କାହିଁକି ହଟାଯାଇ ନ ଥିଲା?  ଭିଡ଼ ହେବ ବୋଲି ପୂର୍ବରୁ ସୂଚନା ଥିଲେ ମଧ୍ୟ ପୁଲିସ କାହିଁକି ବିକଳ୍ପ ବ୍ୟବସ୍ଥା କରି ନ ଥିଲା ବୋଲି ଏବେ ପ୍ରଶ୍ନ ଉଠୁଛି।