ସାର ନେବାପାଇଁ ଜନସମୁଦ୍ର

ବିତରଣ ବେଳେ ଲ୍ୟାମ୍ପ୍ସ ଏମ୍‌ଡିଙ୍କୁ ଆକ୍ରମଣ, ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ୍‌ ଫୋର୍ସ ମୁତୟନ

ଝରିଗାଁ : ନବରଙ୍ଗପୁର ଜିଲ୍ଲାରେ ଲାଗି ରହିଛି ସାର ଅଭାବ। ସାର ଗୋଦାମରେ ପହଞ୍ଚିବା ନେଇ ଖବର ଶୁଣିଲେ ପହଞ୍ଚି ଯାଉଛନ୍ତି ଶହ ଶହ। ଆଉ ସାର ନ ମିଳିଲେ ସୃଷ୍ଟି ହେଉଛି ତୀବ୍ର ଅସନ୍ତୋଷ। ବାରମ୍ବାର ଏମିତି ଘଟଣା ଜିଲ୍ଲାରେ ଘଟୁଥିବାବେଳେ ଆଜି ଝରିଗାଁରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସାର ନେବାକୁ ହଜାର ହଜାର ଲୋକ ଲ୍ୟାମ୍ପସରେ ପହଞ୍ଚି ଯିବାରୁ ପ୍ରବଳ ଗହଳି ହୋଇଥିଲା। ଏପରିକି ବିତରଣ ସମୟରେ ଲ୍ୟାମ୍ପସ ଏମ୍‌ଡିଙ୍କ ଉପରେ ଆକ୍ରମଣ ନେଇ ଥାନାରେ ଏତଲା ଦିଆଯାଇଛି।

ସୂଚନା ଅନୁଯାୟୀ, ସାର ଦାବିରେ ସ୍ଥାନୀୟ ଚାଷୀ ଗତ ୧୩ତାରିଖ ଦିନ ଚନ୍ଦାହାଣ୍ଡି-ଉମରକୋଟ ରାସ୍ତା ଅବରୋଧ କରିଥିଲେ। ଦୋକାନ ବଜାର ବନ୍ଦ କରି ଝରିଗାଁ ଲ୍ୟାମ୍ପସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲା କୃଷି ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ୨୦ତାରିଖ ଦିନ ଚାଷୀଙ୍କୁ ସାର ଯୋଗାଇ ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଆଜି ସକାଳୁ ସକାଳୁ ଝରିଗାଁ ବ୍ଲକର ହଜାର ହଜାର ଚାଷୀ ସାର ନେବା ପାଇଁ ପହଞ୍ଚି ଯାଇଥିଲେ। ଭିଡ଼ ନିୟନ୍ତ୍ରଣ ପାଇ ପୁଲିସ ଫୋର୍ସ ବି ମୁତୟନ କରାଯାଇଥିଲା। ଲ୍ୟାମ୍ପସ କର୍ମଚାରୀ ଏବଂ କୃଷି ଅଧିକାରୀଙ୍କ ଉପସ୍ଥିତିରେ ସାର ବଣ୍ଟନ ଆରମ୍ଭ ହୋଇଥିଲା। ପ୍ରାୟ ୧୬ଶହ ଚାଷୀଙ୍କୁ ସାର ଦିଆଯାଇଥିଲା। ତଥାପି ଆବଶ୍ୟକତା ଅନୁଯାୟୀ ସାର ମିଳି ନଥିବା ଏବଂ ଅନେକ ଚାଷୀ ବଞ୍ଚିତ ହୋଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ହୋହଲ୍ଲା ସହ ଠେଲାପେଲା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏମିତି ସମୟରେ ଲ୍ୟାମ୍ପସ ଏମ୍‌ଡି ନରସିଂହ ଗୌଡ଼ଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ଶ୍ରୀ ଗୌଡ଼ ଥାନାରେ ଦେଇଥିବା ଏତଲା ଅନୁସାରେ, ସେ ସରକାରୀ କାର୍ଯ୍ୟରେ ନିୟୋଜିତ ରହି ଚାଷୀଙ୍କୁ ସାର ବଣ୍ଟନ କରୁଥିଲେ। ଏହି ସମୟରେ କରସାହାଣ୍ଡି ଗ୍ରାମର ଗଜେନ୍ଦ୍ର ପାଣ୍ଡେ କିଛି ଲୋକଙ୍କୁ ସାଥୀରେ ଆଣି ତାଙ୍କୁ ଆକ୍ରମଣ କରିଥିଲେ। କାଗଜପତ୍ର ଚିରି ସରକାରୀ ଟଙ୍କା ଲୁଟିନେବା ସହିତ ଉପସ୍ଥିତ ଚାଷୀଙ୍କୁ ସାର ଲୁଟିବାକୁ ପରବର୍ତ୍ତାଇଥିଲେ। ସେ ନିଜ ପ୍ରାଣ ବଞ୍ଚାଇ ସେଠାରୁ ଖସି ଆସିଥିଲେ, ପରେ କାର୍ଯ୍ୟାଳୟକୁ ଆସିଲେ ଜୀବନରେ ମରିଦେବାକୁ ଧମକ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଝରିଗାଁ ଥାନା ଅଧିକାରୀ ନଟବର ନନ୍ଦଙ୍କୁ ଯୋଗାଯୋଗ କରିବାରୁ ଏତଲା ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି।

ଆଜି ପ୍ରଶାସନ ତରଫରୁ ୧୬୦୦ ଚାଷୀଙ୍କୁ ସାର ଯୋଗାଇ ଦିଆଯାଇଥିବା ବେଳେ ବଳକା ଚାଷୀଙ୍କୁ ସପ୍ତାହକ ମଧ୍ୟରେ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିବା ଚାଷୀ କହିଛନ୍ତି।

ସମ୍ବନ୍ଧିତ ଖବର