ରାସ୍ତାରୁ ଚିଙ୍ଗୁଡ଼ି ଗୋଟାଇବାକୁ କସରତ, ଡେକ୍‌ଚି, ବାଲଟି ଧରି ଧାଁଧପଡ଼

ପୁରୀ : ଚିଙ୍ଗୁଡ଼ି ପାଇଁ ଆଜି ଜାତୀୟ ରାଜପଥରେ ଦେଖିବାକୁ ମିଳିଥିଲା ଏକ କୌତୁହଳପୂର୍ଣ୍ଣ ଦୃଶ୍ୟ। ଟ୍ରକରୁ ଗଳି ପଡ଼ିଥିବା ଚିଙ୍ଗୁଡ଼ି ଗୋଟାଇବାକୁ ଲୋକେ ଡେକ୍‌ଚି, ବାଲଟି ଧରି ଧାଁଧପଡ଼ କରିବାକୁ ପଛେଇ ନଥିଲେ। ଯିଏ ବି ଏହି ବାଟ ଦେଇ ଯାଉଥିଲା, ଅଗତ୍ୟା ଚିଙ୍ଗୁଡି ଗୋଟାଇବାରେ ଲାଗି ପଡୁଥିଲା।

ସୂଚନା ମୁତାବକ, ଗତକାଲି ରାତିରେ କୌଣସି ଏକ ଟ୍ରକରେ ଚିଙ୍ଗୁଡ଼ି ଭର୍ତି ହୋଇ କୋଣାର୍କ ଅଭିମୁଖେ ଯାଉଥିଲା। ଟ୍ରକଟି ମାଳତୀପାଟପୁର ଓଭରବ୍ରିଜ୍ ଦେଇ ଯିବା ସମୟରେ ହଠାତ ଗାଡ଼ିରୁ ଚିଙ୍ଗୁଡ଼ି ସବୁ ଗଳିବା ଆରମ୍ଭ କରିଥିଲା। ମାଳତୀପାଟପୁର ଓଭରବ୍ରିଜ୍‌ଠାରୁ ଆରମ୍ଭ କରି ପ୍ରାୟ ୩ କିଲୋମିଟର ମିଟର ପର୍ଯ୍ୟନ୍ତ ମେରାଇନ୍ ଡ୍ରାଇଭ୍ ରୋଡ୍‌ରେ ଚିଙ୍ଗୁଡ଼ି ସବୁ ବିଛାଡ଼ି ହୋଇ ପଡ଼ିଥିଲା। ବିଳମ୍ବିତ ରାତିରେ ଏହି ବାଟ ଦେଇ ଯାଇଥିବା ଲୋକ କିଛି ଚିଙ୍ଗୁଡ଼ି ନେଇ ପଳାଇଥିଲେ। ବାକି ଚିଙ୍ଗୁଡ଼ି ସେହିଭଳି ରାସ୍ତାରେ ପଡ଼ିଥିଲା। ଆଜି ସକାଳେ ଏହି ଖବର ଚାରିଆଡ଼େ ପ୍ରଚାରିତ ହୋଇଯିବା ପରେ ମେରାଇନ୍ ଡ୍ରାଇଭ୍‌ ରୋଡ୍‌ରେ ଗଦା ହୋଇ ଯାଇଥିଲେ ଲୋକ। ଶହ ଶହ ଲୋକ ଡେକ୍‌ଚି, ବାଲଟି ଧରି ରାସ୍ତାରୁ ଚିଙ୍ଗୁଡ଼ି ଗୋଟାଇବାରେ ଲାଗି ପଡିଥିଲେ। ଗାଡ଼ିରୁ ଏତେ ପରିମାଣର ଚିଙ୍ଗୁଡ଼ି ଗଳିଥିଲା ଯେ ମଧ୍ୟାହ୍ନ ପ୍ରାୟ ୧୧ଟା ପର୍ଯ୍ୟନ୍ତ ଲୋକଙ୍କ ଗହଳି ଭାଙ୍ଗିନଥିଲା। ସେ ପୁଣି ଛୋଟ ନୁହେଁ, ବଡ଼ ଚିଙ୍ଗୁଡ଼ି। ଯାହାର କେଜି ୨୫୦ରୁ ୩୦୦ ଟଙ୍କା। ଆଜି ଚିଙ୍ଗୁଡ଼ି ପାଇଁ ଏଭଳି ପ୍ରତିଯୋଗିତା ଦେଖି ଏହି ବାଟ ଦେଇ ଯାଉଥିବା ପର୍ଯ୍ୟଟକମାନେ ବି କିଛି ସମୟ ଅଟକି ଯାଇଥିଲେ।

ସମ୍ବନ୍ଧିତ ଖବର