ପାଦଥାପିଲାଣି କରୋନା, ତଥାପି ଚେତୁନାହାନ୍ତି ଲୋକେ : ବାରିପଦାରେ ଖଚାଖଚ ଭିଡ଼, ସାମାଜିକ ଦୂରତାକୁ ଫୁଃ, ଟ୍ରାଫିକ୍‌ରେ ଆମ୍ବୁଲାନ୍ସ ବି ନୟାନ୍ତ

ବାରିପଦା : ଗ୍ରୀନ୍ ଜୋନ ମୟୂରଭଞ୍ଜକୁ ଅରେଞ୍ଜ୍ ଜୋନ୍‌ରେ ପରିଣତ କରିସାରିଲାଣି କରୋନା। ତଥାପି ଚେତା ପଶୁନି ଲୋକଙ୍କର। ଲକ୍‌ଡାଉନ ନିୟମ କୋହଳ ହେବା ପରେ ବାରିପଦାରେ ସତେଯେମିତି ମେଳା ପୂର୍ବର ଭିଡ଼ ଲାଗୁଛି। ସହରରେ ଦେଖିବାକୁ ମିଳୁଛି ଅସମ୍ଭାଳ ଗହଳି। ଯେଉଁଠିକୁ ଗଲେ ଆପଣ ପାଇବେ ଖଚାଖଚ ଜାମ୍। ଏମିତିକି ଟ୍ରାଫିକ୍‌ରେ ଆମ୍ବୁଲାନ୍ସ ବି ବାଟ ପାଉନି। ସାମାଜିକ ଦୂରତା କଥା ତ’ କିଏ ପଚାରେ।

ଚାରି ଚାରି ଜଣ କରୋନାରେ ଆକ୍ରାନ୍ତ ହେବା ପରେ ଜିଲ୍ଲାରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରାଯିବା କଥା। ପ୍ରଶାସନ ଓ ପୁଲିସ୍ ଅପେକ୍ଷା ଆମେ ନିଜେ ନିଜକୁ ସଚେତନ ହେବାର ବେଳ ଆସିଛି। ପାଖରେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଆମକୁ ଡରାଉଥିବାବେଳେ ସୁରଟ ଦାଉ ସାଜିଛି। ସେହିପରି ରେଡ୍ ଜୋନ ବାଲେଶ୍ବର ମଧ୍ୟ ମୟୂରଭଞ୍ଜ ପାଇଁ ବିପଦର କାରଣ ସାଜିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଜିଲ୍ଲାପ୍ରଶାସନ ପକ୍ଷରୁ ଆବଶ୍ୟକ ନଥିଲେ ବାହାରକୁ ନଆସିବାକୁ ବାରମ୍ବାର ଅନୁରୋଧ କରାଯାଉଛି। ତଥାପି ଚେତୁନାହାନ୍ତି ଲୋକେ।

ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ମଧ୍ୟ ବାହାରକୁ ନବାହାରିବାକୁ କଡ଼ା କଟକଣା ଲାଗୁକରାଯାଇଛି। ଏଇ କିଛିଦିନ ଯଦି ଆମ୍ଭେମାନେ ନିଜକୁ ସଚେତନ କରି ସତର୍କ ରହିବା ତେବେ କରୋନା ଯୁଦ୍ଧରେ ଜିଣିପାରିବା। ମାତ୍ର ବଜାରରେ ଏପରି ଅସମ୍ଭାଳ ଭିଡ଼ ସୃଷ୍ଟି କଲେ କରୋନା ଆମ୍ଭ ଉପରେ ଭାରି ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର