ବଦଳୁନି ଶ୍ରୀମନ୍ଦିର ସାତପାହାଚ ସ୍ଥିତି

ପୁରୀ : ଶ୍ରୀମନ୍ଦିର ସଂସ୍କାର ଆଳରେ ଅବ୍ୟବସ୍ଥିତ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରି ଭକ୍ତଙ୍କୁ ଯନ୍ତ୍ରଣା ଦେଉଛି ଶ୍ରୀମନ୍ଦିର ପ୍ରଶାସନ। ଘଣ୍ଟା ଘଣ୍ଟା ଲମ୍ବା ଲାଇନରେ ଛିଡ଼ା କରାଉଛି। ଯେଉଁଥିପାଇଁ ଶ୍ରୀମନ୍ଦିର ସିଂହଦ୍ବାରରେ ଦୈନିକ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ଭକ୍ତମାନେ ଭିଡ଼ରୁ ବର୍ତିବା ପାଇଁ ବ୍ୟାରିକେଡ୍ ଡେଇଁ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି। ସିଂହଦ୍ବାରରେ ଆଜି ବି ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି। ଭକ୍ତମାନେ ଗଳିଆ ବାଟ ଖୋଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ଅସୁରକ୍ଷିତ ଅବସ୍ଥାରେ ପାଦ ଧୋଇବା ସ୍ଥାନରେ ଥିବା କୂଅକୁ ଡେଇଁ ବ୍ୟାରିକେଡ୍ ଚଢ଼ି ଶ୍ରୀମନ୍ଦିରରେ ପଶିଛନ୍ତି। ଭକ୍ତଙ୍କ ଏହି କଷ୍ଟଠୁ ବଳିଯାଇଛି ଶ୍ରୀମନ୍ଦିର ସାତପାହାଚ ଅବସ୍ଥା। ଏଠାରେ ଅସମ୍ଭାଳ ଭିଡ଼ ଭକ୍ତଙ୍କୁ କଲବଲ କଲାଣି। ଦୈନିକ ଭକ୍ତମାନେ ଠେଲାପେଲା, ଦଳଚକଟା ପରିସ୍ଥିତିରେ ସମ୍ମୁଖୀନ ହେଉଛନ୍ତି। ଦୈନିକ କେହି ନା କେହି ପାହାଚରୁ ପଡ଼ି ଅବା ଶ୍ବାସରୁଦ୍ଧ ହୋଇ ଗୁରୁତର ହେଉଛନ୍ତି। ଆଜି ପୂର୍ବାହ୍ଣରେ ସାତପାହାଚରେ ଠେଲାପେଲା, ଦଳାଚକଟା ପରିସ୍ଥିତି ଭିତରେ ୨ରୁ ଅଧିକ ବୃଦ୍ଧବୃଦ୍ଧା ଶ୍ବାସରୁଦ୍ଧ ହୋଇ ସାତପାହାଚରୁ ଗଳିପଡ଼ିବା ଏହି ପରିସ୍ଥିତିକୁ ସଙ୍ଗୀନ୍ କରି ଦେଇଛି। ସେପଟେ ରହିବାର ୧୨ ଦିନ ପରେ ବି ହବିଷ୍ୟାଳିଙ୍କ ଦର୍ଶନରେ ଶୃଙ୍ଖଳା ଅଣାଯାଇପାରିନି।

କାର୍ତ୍ତିକମାସରେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ହେଉଥିବା ବେଳେ ସିଂହଦ୍ବାରରେ ଭକ୍ତମାନେ ପ୍ରବଳ ଭିଡ଼ ଭିତରେ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି। କିନ୍ତୁ ସାତପାହାଚ ଅବସ୍ଥା ସେମାନଙ୍କ ଆହୁରି କଲବଲ ହେଉଛନ୍ତି। ସାତପାହଚରେ ଭିଡ଼ ଏତେ ଯେ ଭକ୍ତମାନେ ଶ୍ରୀମନ୍ଦିର ପଶିବାକୁ ବାଟ ପାଉନାହାନ୍ତି। ବିଶେଷ କରି ମଙ୍ଗଳ ଆଳତିଠାରୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହି ଭିଡ଼ ଭିତରେ ଭକ୍ତମାନେ ଏକପ୍ରକାର ଫସି ରହୁଛନ୍ତି। ସାତ ପାହାଚରେ ପ୍ରବଳ ଭିଡ଼ ଯୋଗୁଁ ଠେଲାପେଲା, ଦଳାଚକଟା ପରିସ୍ଥିତି ଉପୁଜୁଛି।

ଅନ୍ୟପଟେ ହବିଷ୍ୟାଳିଙ୍କ ଦର୍ଶନରେ ଆଜି ପର୍ଯ୍ୟନ୍ତ ଶୃଙ୍ଖଳା ଅଣାଯାଇପାରିନି। ଏବେ ବି ହବିଷ୍ୟାଳିମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ଘଣ୍ଟା ଘଣ୍ଟା ଧରି ସାତପାହଚ ନିକଟରେ ଛିଡ଼ା ହୋଇ ରହୁଥିଲେ ବି କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନଥିବାରୁ ଭିଡ଼କୁ ଭୟ କରି ହବିଷ୍ୟାଳିମାନେ ମନ୍ଦିର ବାହାରୁ ମୁଣ୍ଡିଆ ମାରି ଫେରୁଛନ୍ତି। ଆଗକୁ ଦୀପାବଳି ଭଳି ଅନେକ ପର୍ବପର୍ବାଣୀ ରହିଛି। ଏହି ଦିନମାନଙ୍କରେ ଲକ୍ଷ ଲକ୍ଷ ଭକ୍ତ ଶ୍ରୀମନ୍ଦିରରେ ଭିଡ଼ ଲଗାଇବେ। ଏପରି ପରିସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନ ଭିଡ଼କୁ କିପରି ସମ୍ଭାଳିବ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ କରାଇବ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର