କରୋନା ପାଇଁ ସବୁଠାରୁ ବିପଦଜନକ ହେଉଛି ଭିଡ଼ ଓ ଜନବହୁଳତା; ଭିଡ଼ ଭିତରକୁ ଯାଆନ୍ତୁ ନାହିଁ କି କରୋନାକୁ ଆଣନ୍ତୁ ନାହିଁ: ସୁବ୍ରତ ବାଗଚୀ

ଭୁବନେଶ୍ୱର: କରୋନା ବା କୋଭିଡ୍‌-୧୯ ମହାମାରୀର ସଂକ୍ରମଣକୁ ବ୍ୟାପକ କରିବା କ୍ଷେତ୍ରରେ ସବୁଠାରୁ ବିପଦଜନକ ହେଉଛି ଭିଡ଼ ବା ଜନ ବହୁଳତା। ବିଶ୍ୱ ଠାରୁ ଆରମ୍ଭ କରି ଦେଶ ପର୍ଯ୍ୟନ୍ତ ଉପଲବ୍ଧ ଥିବା ତଥ୍ୟକୁ ଅନୁଶୀଳନ କରିବା ପରେ ହିଁ ଏହି ସତ୍ୟ ସାମନାକୁ ଆସିଛି ବୋଲି କହିଛନ୍ତି ରାଜ୍ୟ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ଆଜି ଅପରାହ୍ଣରେ ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି ଯେ ଆଜି ସକାଳ ସୁଦ୍ଧା ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୮୭,୧୫୫ ଥିବାବେଳେ ମୃତକଙ୍କ ସଂଖ୍ୟା ୮,୧୦୭ ରହିଛି। ତେବେ, ସବୁଠାରୁ ଉଦ୍‌ବେଗର ବଷୟ ହେଲା ବିଗତ ମାତ୍ର ୭ ଦିନ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ବିଗତ ଏକ ସପ୍ତାହ ଧରି ସମଗ୍ର ଦେଶରେ ଦୈନିକ ହାରାହାରି ୧୦ ହଜାରରୁ ଅଧିକ ବ୍ୟକ୍ତି କରୋନାରେ ସଂକ୍ରମିତ ହେଉଛନ୍ତି। ଯାହାକି ଋଷିଆ ଓ ବ୍ରିଟେନ ଠାରୁ ବହୁ ଅଧିକ। ଯଦି ଏହି ଧାରା ଅବ୍ୟାହତ ରହେ, ତେବେ ଆଜିକା ତାରିଖରେ ବିଶ୍ୱର କରୋନା ସଂକ୍ରମିତ ଦେଶମାନଙ୍କ ତାଲିକାର ଷଷ୍ଠ ସ୍ଥାନରେ ରହିଥିବା ଭାରତ ଖୁବ୍‌ଶୀଘ୍ର ଚତୁର୍ଥ କିମ୍ବା ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ ବୋଲି କହିଛନ୍ତି ଶ୍ରୀ ବାଗଚୀ।

ଅନ୍ୟପକ୍ଷରେ ଓଡ଼ିଶା ସଂପର୍କରେ ତଥ୍ୟ ପ୍ରଦାନ କରି ଶ୍ରୀ ବାଗଚୀ କହିଛନ୍ତି ଯେ ମେ ୨୬ ତାରଖରେ ରାଜ୍ୟରେ ଯେତିକି କରୋନା ସଂକ୍ରମିତ ଥିଲେ, ଆଜିକା ତାରିଖରେ (ଅର୍ଥାତ୍‌ ଜୁନ୍‌ ୧୧) ସେମାନଙ୍କ ସଂଖ୍ୟା ସିଧାସଳଖ ଦ୍ୱିଗୁଣିତ ହୋଇଯାଇଛି। ତେବେ, ଓଡ଼ିଶା ପାଇଁ ଏକ ଆଶ୍ୱାସନାର ବିଷୟ ହେଲା, ଏହି ସମୟ ମଧ୍ୟରେ ରାଜ୍ୟରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ତ୍ରିଗୁଣିତ ହୋଇଛି।

ଏଥିସହ କରୋନା ସଂକ୍ରମଣରେ ଭିଡ଼ ବା ଜନ ବହୁଳତା କିପରି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି ସେ ସଂପର୍କରେ ସୂଚାଇବାକୁ ଯାଇ ଶ୍ରୀ ବାଗଚୀ କହିଛନ୍ତି ଯେ ରୋମ୍‌ରେ ପ୍ରତି ଏକ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ୬,୦୦୦ ଲୋକ ରହୁଥିବା ବେଳେ ନ୍ୟୁୟର୍କରେ ରହୁଛନ୍ତି ୧୮,୦୦୦। ସେ କ୍ଷେତ୍ରରେ ଭାରତର ମୁମ୍ବାଇରେ ୭୩,୦୦୦, କୋଲକତାରେ ୨୪,୦୦୦, ହାଇଦ୍ରାବାଦରେ ୧୮,୫୦୦ ଓ ନୂଆଦିଲ୍ଲୀରେ ୧୨,୦୦୦ ଜଣ ଲୋକ ରହୁଛନ୍ତି। ତେଣୁ, ଏହି ସବୁ ସହରମାନଙ୍କରେ କରୋନା ସଂକ୍ରମଣର ହାର ଅଧିକ ରହିଛି।

ସେହିପରି ଯଦି ଓଡ଼ିଶା କଥା ଆଲୋଚନା କରାଯାଏ, ତେବେ ୨୦୧୧ରେ ହୋଇଥିବା ଜନଗଣନା ଆଧାରରେ ପ୍ରତି ଏକ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ପୁରୀ ସହରରେ ସର୍ବାଧିକ ୧୧,୯୧୨ ଜଣ ରହୁଥିବା ବେଳେ ଭୁବନେଶ୍ୱରରେ ରହୁଛନ୍ତି ୬,୦୦୦। ସେହପରି ରାଜ୍ୟର ଅନେକ ଛୋଟବଡ଼ ସହର ବରଗଡ଼ ଠାରୁ ଆରମ୍ଭ କରି ବାଲେଶ୍ୱର, କଟକ ଠାରୁ ଆରମ୍ଭ କରି ରାଉଲକେଲା ପ୍ରାୟ ସବୁ ସହରରେ ପ୍ରତି ଏକ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ଜନବହୁଳତା ୪,୦୦୦ରୁ ୬,୦୦୦ ପର୍ଯ୍ୟନ୍ତ ରହିଛି। ଯାହାକି, ରୋମ୍‌ ଠାରୁ ସୁଦ୍ଧା ଅଧିକ ଏବଂ ଇତିମଧ୍ୟରେ ଆହୁରି ଅଧିକ ବଢ଼ି ସାରିବଣି। ତେଣୁ, ରାଜ୍ୟର ସହରବାସୀଙ୍କୁ ଏହି ସତ୍ୟକୁ ହୃଦୟଙ୍ଗମ କରି ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ଆଉ ଯଦି ସେମାନେ ଏହାକୁ ଅଣଦେଖା କରି ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ଯେପରିକି ବଜାର ଅଞ୍ଚଳ ଓ ଦୋକାନ ଭିତରେ ମାତ୍ରଧିକ ଭିଡ଼ ଜମାଇବେ ଓ ସାମାଜିକ ଦୂରତ୍ୱକୁ ମାନିବେ ନାହିଁ କିମ୍ବା ମୁହଁରେ ମାସ୍କ ପିନ୍ଧିବେ ନାହିଁ ତେବେ ସେ କ୍ଷେତ୍ରରେ ସେମାନେ ନିଜେ ନିଜ ପାଇଁ ଓ ନିଜ ପରିବାର ପାଇଁ ବିପଦର କାରଣ ସାଜିବେ ବୋଲି ସତର୍କ କରାଇ ଦେଇଛନ୍ତି ଶ୍ରୀ ବାଗଚୀ।

ସମ୍ବନ୍ଧିତ ଖବର