ରାଉରକେଲା: ରାଉରକେଲାରେ ଶନିବାର ଖେଳା ଯାଇଥିବା ହକି ଇଣ୍ଡିଆ ଲିଗ୍‌ର ଫାଇନାଲ୍ ମ୍ୟାଚ୍‌ରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ମ୍ୟାଚ୍‌ ଦେଖିବା ପାଇଁ ଆଶାଠୁ ଅଧିକ ଦର୍ଶକ ପହଞ୍ଚିବାରୁ ଷ୍ଟାଡିୟମ୍‌ ଭିତରେ ଓ ବାହାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଦଳାଚକଟାରେ ୭ ଜଣ ଆହତ ହୋଇଥିବାବେଳେ ୩ ଜଣ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କୁ ଭିଡ଼ ଭିତରୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ଆର୍‌ଜିଏଚ୍ ସ୍ଥାନାନ୍ତର କରାଯାଇଥିଲା। ଅପରପକ୍ଷରେ ଷ୍ଟାଡିୟମ୍‌ ଭିତରେ ନିର୍ଦ୍ଧାରିତ ସମୟ ପୂର୍ବରୁ ୨୦ ହଜାର ଦର୍ଶକ ପ୍ରବେଶ କରିବାରୁ ଏହାର ସବୁଯାକ ପ୍ରବେଶପଥକୁ ବନ୍ଦ କରି ଦିଆ ଯାଇଥିଲା। ଫଳରେ ବାହାରେ ବିଭିନ୍ନ ଗେଟ୍‌ ସମ୍ମୁଖରେ ରୁଣ୍ଡ ହୋଇଥିବା ୩୦ ହଜାର ଲୋକ ଷ୍ଟାଡିୟମ୍‌କୁ ପ୍ରବେଶ କରି ନପାରି ନିରାଶ ହୋଇଥିଲେ। ଉତ୍ତ୍ୟକ୍ତ ଦର୍ଶକ ୨ ନମ୍ବର ଗେଟ୍‌କୁ ଭାଙ୍ଗି ଭିତରକୁ ପଶି ଯାଇଥିଲେ। ସେପଟେ ୫ ନମ୍ବର ଗେଟ୍ କଡ଼ରେ ଥିବା ସୁରକ୍ଷାକର୍ମୀଙ୍କ ପ୍ରକୋଷ୍ଠର ଝରକା ଭାଙ୍ଗି ଦର୍ଶକ ଷ୍ଟାଡିୟମ୍‌ ପରିସରକୁ ପ୍ରବେଶ କରିଥିଲେ। ତେବେ ଗ୍ୟାଲେରି ଗେଟ୍‌ଗୁଡ଼ିକ ବନ୍ଦ ଥିବାରୁ ଷ୍ଟାଡିୟମ୍‌ ଭିତରକୁ ପଶିଥିବା ବହୁ ଲୋକ ମ୍ୟାଚ୍‌ ଦେଖି ପାରି ନଥିଲେ। ବହୁ ଦର୍ଶକ ବିପଜ୍ଜନକ ତାରବାଡ଼ ଡେଇଁ ଭିତରକୁ ପଶୁଥିବା ଦେଖିବାକୁ ମିଳିଥିଲା। ରାଉରକେଲା ବିଧାୟକ ସାରଦା ନାୟକ ମ୍ୟାଚ୍‌ ଦେଖିବାକୁ ଆସିଥିଲେ। ପୁଲିସ୍‌ ତାଙ୍କୁ ବହୁକଷ୍ଟରେ ଭିତରକୁ ନେଇଥିଲା। 

Advertisment

ଭିତରେ ୨୦ ହଜାର, ବାହାରେ ୩୦ ହଜାର
ଗେଟ୍ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ
ଆହତ ଦର୍ଶକ ଡାକ୍ତରଖାନାରେ ଭର୍ତ୍ତି
ଅଣାୟତ୍ତ ଭିଡ଼, ପୁଲିସ ଅସହାୟ

ବିଭିନ୍ନ ଗେଟ୍‌ରେ ଦିନ ସାଢ଼େ ତିନିଟାରୁ ଲମ୍ବା ଲାଇନ୍ ଆରମ୍ଭ ହୋଇଥିଲାବେଳେ ୫ଟା ସୁଦ୍ଧା ଷ୍ଟାଡିୟମ୍ ଭର୍ତ୍ତି ହୋଇଯିବାରୁ ପୁଲିସ୍ ମାଗଣା ପ୍ରବେଶ ଥିବା ୨ ଓ ୬ ନମ୍ବର ଗେଟ୍‌ରୁ ପ୍ରଥମେ ବନ୍ଦ କରି ଦେଇଥିଲା। ଫଳରେ ହଜାରହଜାର ସଂଖ୍ୟାରେ ଦର୍ଶକ ସ୍ବତନ୍ତ୍ର ପାସ୍‌ଧାରୀଙ୍କ ପାଇଁ ଉଦ୍ଦିଷ୍ଟ ଅନ୍ୟ ଗେଟ୍‌ଗୁଡ଼ିକରେ ଧସେଇ ପଶିଥିଲେ। ହାତଗଣତି ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାରେ ଅସମର୍ଥ ହେବାରୁ ବାଧ୍ୟ ହୋଇ ସବୁ ଗେଟ୍ ବନ୍ଦ କରି ଦେଇଥିଲେ। ଫଳରେ ଭିଭିଆଇପିଠୁ ଆରମ୍ଭ କରି ପ୍ରେସ୍‌ ପାସ୍‌ଧାରୀ ସାମ୍ବାଦିକମାନେ ମଧ୍ୟ ଷ୍ଟାଡିୟମ୍‌ରେ ପଶି ପାରି ନଥିଲେ। ଜିଲ୍ଲା ପ୍ରଶାସନ ଓ ଆର୍‌ଏସ୍‌ପିର ବହୁ ବରିଷ୍ଠ ଅଧିକାରୀଙ୍କ ନିକଟରେ ଭିଆଇପି ପାସ୍‌ ଥିଲେ ବି ସେମାନଙ୍କୁ ପୁଲିସ୍ ଛାଡ଼ି ନଥିଲା। ଲୋକେ ରାଗରେ ପାସ୍‌ଗୁଡ଼ିକୁ ଚିରି ପୁଲିସ୍ ଉପରକୁ ଫିଙ୍ଗୁଥିବା ଦେଖା ଯାଇଥିଲା। ବହୁ ଲୋକ ମୁଖ୍ୟମନ୍ତ୍ରୀଙ୍କ ବିରୋଧୀ 
ନାରା ମଧ୍ୟ ଦେଇଥିଲେ।

ହକି ଇଣ୍ଡିଆ ଲିଗ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦର୍ଶକ ସଂଖ୍ୟା ଖୁବ୍ କମ୍ ରହିଥିଲା। ମ୍ୟାଚ୍‌ ଦେଖିବା ମାଗଣା କରାଯାଇଥିଲେ ବି ଆଶାନୁରୂପ ଦର୍ଶକ ହୋଇ ନଥିଲେ। ପରେ ଅନ୍‌ଲାଇନ୍ ପାସ୍ ବ୍ୟବସ୍ଥାକୁ ଉଠାଇ ଦେଇ ୩ଟି ଗ୍ୟାଲେରି (ୱେଷ୍ଟଷ୍ଟାଣ୍ଡ ବ୍ୟତୀତ)କୁ ଅବାଧ ପ୍ରବେଶ ପାଇଁ ଦର୍ଶକଙ୍କୁ ଅନୁମତି ଦିଆଗଲା। ତଥାପି ସେମିଫାଇନାଲ୍ ପର୍ଯ୍ୟନ୍ତ ଆଶାନୁରୂପ ସଂଖ୍ୟାରେ ଦର୍ଶକ ହୋଇନଥିଲେ। କିନ୍ତୁ ଫାଇନାଲ୍‌ରେ ବଲିଉଡ୍ ତାରକା ସାରା ଅଲୀ ଖାନ୍ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସୁଥିବା ପ୍ରଚାର ହେବାପରେ ପାସ୍‌ ପାଇଁ କସରତ ଆରମ୍ଭ ହୋଇଗଲା। ୩ଟି ଗ୍ୟାଲେରିରେ ମୁକ୍ତ ପ୍ରବେଶ ଥିବାରୁ ଦିନବେଳୁ ଲୋକେ ଆସି ଧାଡ଼ି ବାନ୍ଧିଲେ। ଷ୍ଟାଡିୟମ୍‌ କ୍ଷମତାଠାରୁ ୩ ଗୁଣା ଦର୍ଶକ ପହଞ୍ଚିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା ପୁଲିସ୍ ଭିଡ଼ ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଆଶାନୁରୂପ ପୁଲିସ ଓ ସୁରକ୍ଷାକର୍ମୀ ନ ଆସିବା ତଥା ଫାଇନାଲ୍ ପାଇଁ ପାସ୍‌ ବ୍ୟବସ୍ଥା ନ କରି ୩ଟି ଷ୍ଟାଣ୍ଡକୁ ପୂର୍ବ ଭଳି ମୁକ୍ତ ରଖାଯିବା ଯୋଗୁଁ ହିଁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।