ଶ୍ରୀମନ୍ଦିରରେ ନିୟନ୍ତ୍ରଣ ବାହାରକୁ ଚାଲିଗଲେ ଭକ୍ତ, ଦର୍ଶନ ପାଇଁ କିଓସ୍କ ଭାଙ୍ଗି ପଶିଗଲେ

ଅସହାୟ ପ୍ରଶାସନ ସ୍ଥାଣୁ ପାଲଟିଗଲା

ପୁରୀ : ଆଜିଠାରୁ ୨୨ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଆଗୁଆ ଦର୍ଶନ ପାଇଁ ପୁରୀ ବଡ଼ଦାଣ୍ଡରେ ଶନିବାର ଦିନ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ଭିଡ଼ ଏତେ ବଢ଼ିଯାଇଥିଲା ଯେ ସନ୍ଧ୍ୟା ବେଳେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। କୋଭିଡ୍ ଯାଞ୍ଚ ପାଇଁ ରହିଥିବା କିଓସ୍କ ଭାଙ୍ଗି ଭକ୍ତମାନେ ଜୋର ଜବରଦସ୍ତ ଶ୍ରୀମନ୍ଦିରରେ ପଶିଯାଇଥିଲେ। ସେମାନେ କୌଣସି କଟକଣା ମାନିବା ପାଇଁ ପ୍ରସ୍ତୁତ ନଥିଲେ। ଯେଉଁଥିପାଇଁ ‌ବିନା ଯାଞ୍ଚରେ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରରେ ପଶିଯାଇଥିଲେ। କିଏ ବାରିକେଡ୍‌ ଡେଇଁ ତ କିଓସ୍କର ଗଳିଆ ବାଟ ଦେଇ ପ୍ରବେଶ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଭକ୍ତଙ୍କ ଏହି ଭିଡ଼ ଆଗରେ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ସମସ୍ତେ ଅସହାୟ ହୋଇଯାଇଥିଲେ।

ରବିବାର ଥିବାରୁ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। ସେପଟେ କୋଭିଡ୍‌ ସଂକ୍ରମଣ ବ୍ୟାପୁଥିବାରୁ ସୋମବାରଠାରୁ ଭକ୍ତଙ୍କ ଦର୍ଶନ କ୍ଷେତ୍ରରେ କଟକଣା ଲଗାଯାଇଛି। ସୋମବାର ଅର୍ଥାତ୍‌ ଜାନୁଆରି ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି। ସଂକ୍ରମଣ କମିବା ପରେ ଦର୍ଶନ ଉପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଯେହେତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ତତ୍‌କ୍ଷଣାତ୍‌ ନିଆଗଲା, ସେଥିପାଇଁ ଭକ୍ତମାନେ ଦ୍ବନ୍ଦ୍ବରେ ପଡ଼ିଥିଲେ। ଏଥିପାଇଁ ଶନିବାର ସକାଳୁ ମହାପ୍ରଭୁଙ୍କ ଆଗୁଆ ଦର୍ଶନ ପାଇଁ ସିଂହଦ୍ବାରରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଦ୍ବିତୀୟ ଶନିବାର ଓ ଆସନ୍ତାକାଲି ରବିବାର ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଯେଉଁ ଭକ୍ତମାନେ ଛୁଟି କାଟିବାକୁ ଆସିଥିଲେ, ସେମାନେ ଶ୍ରୀମନ୍ଦିର ବନ୍ଦ ହୋଇଯିବ ଜାଣି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶନିବାର ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭିଡ଼ ଲଗାଇଥିଲେ। ମରିଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବାଧାଡ଼ି ଲାଗିଥିଲା। ଭକ୍ତଙ୍କ ଏଭଳି ଜନସମୁଦ୍ର ସିଂହଦ୍ବାରରେ ରଥଯାତ୍ରାର ପରିବେଶ ସୃଷ୍ଟି କରିଥିଲା।

ଅନ୍ୟପଟେ ପୂର୍ବରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ଥିଲା। କିନ୍ତୁ ନାଇଟ୍‌ କର୍ଫ୍ୟୁ ପରେ ଗତକାଲିଠାରୁ ଜିଲ୍ଲା ପ୍ରଶାସନ ଦର୍ଶନ ଅବଧିକୁ ରାତି ସାଢ଼େ ୮ଟା ଭିତରେ ସୀମିତ ରଖିବାକୁ ଘୋଷଣା କରିଥିଲା। ଏଭଳି ସ୍ଥିତିରେ ଶନିବାର ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଯେଉଁ ଭକ୍ତମାନେ ଆସିଥିଲେ, ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ିରେ ରହିଥିଲେ ବି ସାଢ଼େ ୮ଟାରୁ ଦର୍ଶନ ବନ୍ଦ କରି ଦିଆଯାଇଥିଲା। ଏହି ସମୟରେ କି ବାରିକେଡ୍‌ ଓ କିଓସ୍କ ବାହାରେ ହଜାର ହଜାର ଲୋକ ଛିଡ଼ା ହୋଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ। ତେବେ ପ୍ରଶାସନ ଦର୍ଶନ ବନ୍ଦ କରିବାକୁ ଯାଉଥିବା ଜାଣିବା ପରେ ଭକ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଘଣ୍ଟା ଘଣ୍ଟା ଧରି ଦର୍ଶନ ପାଇଁ ଅପେକ୍ଷା କରି ରହିଥିବା ଭକ୍ତ ନିୟନ୍ତ୍ରଣ ହରାଇ କିଓସ୍କ ଭଙ୍ଗାରୁଜା କରିବା ସହ ବାରିକେଡ୍‌ ଡେଇଁ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ରାତି ୧୦ଟା ପର୍ଯ୍ୟନ୍ତ ବିନା ଯାଞ୍ଚରେ ଭକ୍ତଙ୍କ ଦର୍ଶନ ଚାଲିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର