ଫୁଲବାଣୀ : ଜଗାକୁ ଦେଖିବାକୁ ଜିଲ୍ଲା ଚିକିତ୍ସାଳୟରେ ଭିଡ଼

ସମ୍ପୂର୍ଣ୍ଣ ସୁସ୍ଥ, ମୋବାଇଲ୍‌ରେ ଖେଳୁଛି

ଫୁଲବାଣୀ : ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ଗତକାଲି ବିଳମ୍ବିତ ରାତିରେ ଫୁଲବାଣୀକୁ ଫେରିଛି। ସେ ଏବେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଶିଶୁ ସ୍ବାସ୍ଥ୍ୟ ୟୁନିଟ୍‌ର ସ୍ବତନ୍ତ୍ର କ୍ୟାବିନ୍‌ରେ ରହୁଛି। ଜଗାର ସ୍ବାସ୍ଥ୍ୟ ସ୍ବାଭାବିକ ରହିଛି ଓ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛି। କଥା କହୁଛି ଓ ଖେଳି ପାରୁଛି। ସବୁକିଛି ଠିକ୍‌ ଅଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରାଜ୍ୟଶ୍ରୀ ପଟ୍ଟନାୟକ କହିଛନ୍ତି। ଜଗା ସାଧାରଣ ଭାବେ ବଞ୍ଚିପାରୁ ଥିବାରୁ ତା’ ପାଇଁ କୌଣସି ସ୍ବତନ୍ତ୍ର ଚିକିତ୍ସାର ଆବଶ୍ୟକତା ନାହିଁ। ସେ କେବଳ ମେଡିକାଲ ତତ୍ତ୍ବାବଧାନରେ ରହିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।
ତେବେ ଜଗାର ନ୍ୟୁରୋସର୍ଜରି ହୋଇ ଥିବା ବେଳେ ଫୁଲବାଣୀରେ କୌଣସି ନ୍ୟୁରୋସର୍ଜନ୍‌ ନଥିବାରୁ ଅନୁଧ୍ୟାନରେ କିଛି ଅସୁବିଧା ହେବ କି ବୋଲି ପ୍ରଶ୍ନ କରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହାକୁ ଖଣ୍ଡନ କରିଛନ୍ତି। ଜଗା ପାଇଁ କୌଣସି ନ୍ୟୁରୋଲୋଜିଷ୍ଟଙ୍କ ଆବଶ୍ୟକତା ନାହିଁ ବୋଲି ଡାକ୍ତର ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ଅପରପକ୍ଷେ, ଜଗା ସ୍ବାଭାବିକ ଅଛି ଏବଂ ସେ ମୋବାଇଲ୍‌ରେ ଖେଳୁଛି ବୋଲି ବାପା ଭୁଆଁ କହଁର କହିଛନ୍ତି। ଜଗା ପାଇଁ ସେମାନେ ଆଦୌ ବ୍ୟସ୍ତ ନୁହନ୍ତି। ଜଗାର ସ୍ବାସ୍ଥ୍ୟାବସ୍ଥା ଡାକ୍ତରମାନେ ବୁଝାବୁଝି କରୁଛନ୍ତି। ସେମାନେ କେବଳ ଜଗାକୁ ଜଗୁଛନ୍ତି ବୋଲି ଜଗାର ବାପା କହିଛନ୍ତି।
ଅପରପକ୍ଷେ, କଟକ‌ ବଡ଼ ଡାକ୍ତରଖାନାରେ ଜଗାକୁ ସେମିତି କିଛି ଗୁରୁତ୍ବପୂର୍ଣ୍ଣ ଚିକିତ୍ସା କରାଯାଉ ନଥିଲା। ଜଗା ସୁସ୍ଥ ଥିବାରୁ କେବଳ କିଛି ଟନିକ୍‌ ନେଉଥିଲା। ଏଭଳି ସ୍ଥିତିରେ ଜଗାକୁ ଫୁଲବାଣୀ ନେଇ ଆସିବାକୁ ସରକାରଙ୍କୁ ଚିଠି ଲେଖିଥିଲେ ବୋଲି ଜଗାର ମା’ ପୁଷ୍ପାଞ୍ଜଳି କହଁର କହିଛନ୍ତି। ଫୁଲବାଣୀ ଆସିବା ପରେ ଜଗାର କିଛି ଅସୁବିଧା ହେବନାହିଁ ବୋଲି ପୁଷ୍ପାଞ୍ଜଳି କହିଛନ୍ତି।
ସୂଚନାଯୋଗ୍ୟ, ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମନୋରଞ୍ଜନ ରାଉତ, ଡାକ୍ତର ସି.ଏଚ୍‌. ନାରାୟଣ ସୁବୁଦ୍ଧି ଏବଂ ଜଣେ ଫାର୍ମାସିଷ୍ଟଙ୍କୁ ନେଇ ଗଠିତ ଏକ ଟିମ୍‌ ସହାୟତାରେ ଗତକାଲି ଜଗାକୁ କଟକ ବଡ଼ ଡାକ୍ତରଖାନାରୁ ଫୁଲବାଣୀକୁ ଅଣାଯାଇଥିଲା। ଜଗା ସମ୍ପୂର୍ଣ୍ଣ ସୁସ୍ଥ ଓ ସୁରକ୍ଷିତ ଅଛି ବୋଲି ଫୁଲବାଣୀ ଏଡିଏମ୍‌ଓ ଅଭୟ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେହିଭଳି ଜଗା ସହିତ ତାଙ୍କ ବାପା ଭୁଆଁ କହଁର ଓ ମା’ ପୁଷ୍ପାଞ୍ଜଳି କହଁର ମଧ୍ୟ ଫୁଲବାଣୀ ଡାକ୍ତରଖାନାରେ ରହୁଛନ୍ତି। ଜଗାର ମା’ ପୁଷ୍ପାଞ୍ଜଳି ଗର୍ଭବତୀ ଥିବାରୁ ତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅପରପକ୍ଷେ, ଜଗାକୁ ଦେଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକଙ୍କ ଭିଡ଼ ଜମୁଛି। ପ୍ରଶାସନ ପକ୍ଷରୁ ଜଗାକୁ କଡ଼ା ସୁରକ୍ଷା ମଧ୍ୟରେ ସ୍ବତନ୍ତ୍ର କ୍ୟାବିନ୍‌ରେ ରଖାଯାଇଛି। କୋଭିଡ-୧୯ ଦୃଷ୍ଟିରୁ ଜଗା ରହୁଥିବା କ୍ୟାବିନ୍‌କୁ ନିୟମିତ ସାନିଟାଇଜ୍‌ କରାଯାଉଛି। ଜଗାର ‌କ୍ୟାବିନ୍‌ରେ ଅଧିକ ଭିଡ଼କୁ ଅନୁମତି ଦିଆଯାଉନାହିଁ ଏବଂ ଜଗାକୁ ସୁରକ୍ଷା କର୍ମୀ ଜଗି ରହୁଛନ୍ତି।
ସମ୍ବନ୍ଧିତ ଖବର