ଅଣସର ଅବସରରେ ଅଲାରନାଥଙ୍କ ଦର୍ଶନ ପାଇଁ ବ୍ୟାରିକେଡ ଭାଙ୍ଗି ଧସେଇ ପଶିଲେ, ଭିଡ଼ରେ ସଂଜ୍ଞାହୀନ ହେଲେ ୧୦ ଶ୍ରଦ୍ଧାଳୁ

ବ୍ରହ୍ମଗିରି : ଶନିବାର ଦିନ ଅଲାରନାଥଙ୍କ ଅଣସର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ହୋଇଥିଲା। ଫଳରେ ସକାଳ ଧୂପ ପରଠାରୁ ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ିଛି। କେବଳ ସେତିକି ନୁହେଁ, ଭିଡ଼ ଯୋଗୁ ପ୍ରସ୍ଥାନ ଦ୍ବାର ନିକଟରେ ଧସ୍ତାଧସ୍ତି ହୋଇଛି। ମନ୍ଦିର ଦ୍ବାର ବନ୍ଦ ରହିବା ଫଳରେ ବ୍ୟାରିକେଡ ଭାଙ୍ଗି ଦର୍ଶନ ପାଇଁ ଶ୍ରଦ୍ଧାଳୁ ଧସେଇ ପଶିଥିଲେ।

ଶନିବାର ଭୋର ୫ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ସଅଳ ନୀତି ବଢ଼ିବା ଯୋଗୁ ପୂର୍ବାହ୍ନ ସାଢେ ଏଗାରଟାରେ ମନ୍ଦିର ଶୋଧ ହୋଇ ସକାଳ ଧୂପ ପାଇଁ ଛେକ ବୁହା ହୋଇଥିଲା। ଦିନ ସାଢେ ଗୋଟାଏ ସୁଦ୍ଧା ସକାଳ ଧୂପ ଓ ଦ୍ବିପ୍ରହର ଧୂପ ନୀତି ବଢ଼ିଥିଲା। ଅପରାହ୍ନ ୨ଟା ସୁଦ୍ଧା ମନ୍ଦିର ଶୋଧ ହୋଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। କିନ୍ତୁ ଅଢେଇ ଘଣ୍ଟା ନୀତି ଯୋଗୁ ମନ୍ଦିର ବନ୍ଦ ରହିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ି ଯାଇଥିଲା। ଜୟବିଜୟ ଦ୍ବାର ପାଖରୁ ସିଂହଦ୍ବାର ହୋଇ ଚନ୍ଦନ ଚକଡ଼ା ଓ ଅଲାରପୁର ଗାଁ ଭିତରକୁ ଲମ୍ବାଧାଡ଼ି ଲାଗିଯାଇଥିଲା। ବ୍ୟାରିକେଡ୍‌ ଭିତରେ ୧୫ ହଜାରରୁ ଅଧିକ ଶ୍ରଦ୍ଧାଳୁ ଛିଡ଼ା ହୋଇ ରହିଥିଲେ। ସେପଟେ ଆନନ୍ଦ ବଜାର ପଟେ ୫ ହଜାରରୁ ଅଧିକ ଶ୍ରଦ୍ଧାଳୁ ରୁଣ୍ଡ ହୋଇ ସାରିଥିଲେ। ଆଉ ପାଟଅଗଣାରେ ୨ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏକାଠି ହୋଇ ସାରିଥିଲେ। ସର୍ବସାଧାରଣ ଦର୍ଶନ ଆରମ୍ଭ ହେବା ମାତ୍ରେ ପୁଲିସ ଚାରିପଟୁ କର୍ଡନ କରି ନେଇଥିଲା। ଭିଡ଼କୁ ନିୟନ୍ତ୍ରଣ ସହିତ ଶୃଙ୍ଖଳିତ ଦର୍ଶନ ପାଇଁ ଉଦ୍ୟମ ଆରମ୍ଭ କରିଥିଲା। କିନ୍ତୁ ପ୍ରସ୍ଥାନ ଦ୍ବାର ବାଟ ଦେଇ ପ୍ରବେଶ ପାଇଁ ଶ୍ରଦ୍ଧାଳୁ ଭିତରକୁ ଧସେଇ ପଶିବାକୁ ଉଦ୍ୟମ ଜାରି ରଖିଥିଲେ। ଏହି ସମୟରେ ଆନନ୍ଦ ବଜାର ପଟେ ଥିବା ଲୁହା ବ୍ୟାରିକେଡ୍‌କୁ କାଢ଼ି ଶ୍ରଦ୍ଧାଳୁ ପାଟଅଗଣା ଭିତରକୁ ଧସେଇ ପଶିଥିଲେ। ପାଟଅଗଣାରେ ରୁଣ୍ଡ ହୋଇଥିବା ଶ୍ରଦ୍ଧାଳୁ ମଧ୍ୟ ପ୍ରସ୍ଥାନ ଦ୍ବାର ଆଡକୁ ଧସେଇ ପଶିଥିଲେ। ପ୍ରସ୍ଥାନ ଦ୍ବାର ପାଖରେ ଥିବା ବ୍ୟାରିକେଡ୍‌କୁ ବାହାର କରି ଦେଇଥିଲେ। ବ୍ୟାରିକେଡ୍‌ ଭିତରେ ଥିବା ଶ୍ରଦ୍ଧାଳୁ ମଧ୍ୟ ମନ୍ଦିର ଭିତରକୁ ପଶିଥିଲେ। ତିନିପଟୁ ଶ୍ରଦ୍ଧାଳୁ ଧସେଇ ପଶିବାରୁ ସ୍ଥିତି ବିଗିଡ଼ି ଯାଇଥିଲା। ଏହି ସମୟରେ କେହି ଜଣେ ମନ୍ଦିରର ଜୟବିଜୟ ଦ୍ବାରକୁ ବନ୍ଦ କରି ଦେଇଥିଲା। ଫଳରେ ଆହୁରି ଅସନ୍ତୋଷ ବୃଦ୍ଧି ପାଇଥିଲା। ପୁଲିସ ହସ୍ତକ୍ଷେପ କରି ଦ୍ବାର ଖୋଲିଥିଲା। କିନ୍ତୁ ଭିଡ଼ କମି ନ ଥିଲା। ଚାଲିଥିଲା ଧସ୍ତାଧସ୍ତି। ଶେଷରେ ପୁଲିସ ପଛକୁ ଚାଲିଆସିଥିଲା। ମନ୍ଦିର ଭିତରେ ଓ ବାହାରେ ଶ୍ରଦ୍ଧାଳୁ ପୁରା ଜାମ ହୋଇଯାଇଥିଲେ। ଅଧିକ ପୁଲିସ ଫୋର୍ସ ପହ‌ଞ୍ଚିଭିଡକୁ ନିୟନ୍ତ୍ରଣ କରିଥିଲେ। ଅପରାହ୍ନ ୩ଟାରୁ ପୁଣି ଥରେ ପ୍ରସ୍ଥାନ ଦ୍ବାର ପାଖରେ ଧସ୍ତାଧସ୍ତି ହୋଇଥିଲା।

ତେବେ ପୂର୍ବାହ୍ନ ଏଗାରଟାରୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥିବାରୁ ଅଢେଇ ଘଣ୍ଟା ଧରି ଶ୍ରଦ୍ଧାଳୁ ବ୍ୟାରିକେଡ୍‌ ଭିତରେ ଅସହ୍ୟ ଗୁଳୁଗୁଳି ଭିତରେ ଛିଡା ହୋଇ ରହିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୧୦ ଜଣ ଅଚେତ ହୋଇପଡ଼ିଥିଲେ। ବ୍ୟାରିକେଡ୍‌ ଭିତରେ ଅଧିକ ସମୟ ଧରି ଛିଡ଼ା ଫଳରେ ୭ ଜଣ ବଙ୍ଗୀୟ ଶ୍ରଦ୍ଧାଳୁ ଅଚେତ ହୋଇ ପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି। ଅନ୍ୟପଟେ ମନ୍ଦିର ଭିତରେ ଶ୍ରଦ୍ଧାଳୁ ଧସେଇ ପଶିବା ଫଳରେ ଅଣନିଶ୍ବାସୀ ହୋଇ ୩ ଜଣ ଅଚେତ ହୋଇ ପଡ଼ିଥିଲେ।

ସେହିପରି ମନ୍ଦିର ଭିତରେ ଦର୍ଶନ ସମୟରେ ଏବଂ ଧସ୍ତାଧସ୍ତି ବେଳେ ଶ୍ରଦ୍ଧାଳୁଙ୍କଠାରୁ ବ୍ୟାପକ ଲୁଟ ହୋଇଛି। ୧୩ଟି ଦାମୀ ମୋବାଇଲ ଫୋନ୍‌ ଲୁଟ ହୋଇଛି। ମନ୍ଦିର ଭିତରେ ଓ ବାହାରେ ୧୬ ସିସିଟିଭି, ୪ ପ୍ଲାଟୁନ ପୁଲିସ ଫୋର୍ସ, ୨ ପ୍ଲାଟୁନ ପୁଲିସ ଫୋର୍ସ ଏବଂ ମାଳମାଳ ପୁଲିସ ଅଧିକାରୀ ଥିବା ସତ୍ତ୍ବେ ଲୁଟେରାମାନେ ବେଧଡ଼କ ସେମାନଙ୍କ ଅପରାଧିକ କାର୍ଯ୍ୟକଳାପ ଚଳାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର