ପୁରୀ : କାର୍ତ୍ତିକରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କୌଣସି ଛୁଟଦିନ ନ ଥିଲେ ବି ବୁଧବାର ଦିନ ଭକ୍ତଙ୍କ ଭିଡ଼ ସାଧାରଣ ଦିନ ତୁଳନାରେ ଅଧିକ ଥିଲା। ଲମ୍ବାଧାଡ଼ିରେ ରହି ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଯେହେତୁ ବୁଧବାର ଦିନ ବନକଲାଗି ପାଇଁ ସନ୍ଧ୍ୟାରୁ ଦର୍ଶନ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା, ସେ ଦୃଷ୍ଟିରୁ ବୁଧବାର ସକାଳୁ ଏଭଳି ଭିଡ଼ ଦେଖିବାକୁ ମିଳିଥିଲା। ଭକ୍ତମାନେ ହଜାର ହଜାର ସଂଖ୍ୟାରେ ଦର୍ଶନ କରି ଫେରିଛନ୍ତି।
ସେପଟେ ବୁଧବାର ଦିନ ଭକ୍ତଙ୍କୁ ସ୍ବାଗତ ସିଂହଦ୍ବାରରେ ଶ୍ରୀଜିଉଙ୍କ ଝୋଟି ଦେଖିବାକୁ ମିଳିଛି। କଳାକାରମାନେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ସୁନ୍ଦର ଚିତ୍ର ଆଙ୍କିଛନ୍ତି। ଅନ୍ୟପଟେ ବନକଲାଗି ପାଇଁ ଆଜି ସନ୍ଧ୍ୟା ୬ଟାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଥିଲା। ବନକଲାଗି ସରିବା ପରେ ରାତି ୯ଟାରେ ଦର୍ଶନ ସ୍ବାଭାବିକ ହୋଇଥିଲା। ବୁଧବାର ଅପରାହ୍ଣ ୫ଟା ୨୫ରେ ଦ୍ବିତୀୟ ଭୋଗମଣ୍ଡପ ଉଠିବା ପରେ ମଇଲମ ଓ ତଡ଼ପଲାଗି ନୀତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ୬ଟାରେ ପହୁଡ଼ ଆଳତି ପରେ ୬ଟା ୧୦ରେ ବନକଲାଗି ପାଇଁ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ।