ବାମରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ରେ ଟିକାକରଣ କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲୁଛି। ପ୍ରାୟ ସମସ୍ତ କେନ୍ଦ୍ରରେ ଟିକା ଯୋଗାଣ ଆବଶ୍ୟକତାଠାରୁ କମ ରହୁଥିବା କାରଣରୁ ସାଧାରଣରେ ଅସନ୍ତୋଷ ରହିଛି। ଇତି ମଧ୍ୟରେ କେତେକ କେନ୍ଦ୍ରରେ ପୂର୍ବ ଅପେକ୍ଷା ଅଧିକ ଟିକା ଯୋଗାଣ କରାଯାଇଥିବା ବେଳେ, କେଶାଇବାହାଲରେ ହିତାଧିକାରୀ ତୁଳନାରେ ବହୁ କମ ସଂଖ୍ୟକ ଟିକା ଯୋଗାଣ କରାଯାଉଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଲୋକେ ସକାଳ ୫ଟାରୁ କେଶାଇବାହାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଦେଖିବାକୁ ମିଳୁଛି।
ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କେଶାଇବାହାଲ, କବରିବାହାଲ, ମହୁଲପାଲି, ଲରିଆପାଲି, ରଙ୍ଗିଆଟିକିରା ସମେତ ସୀମାନ୍ତ ଗୁରୁଣ୍ଡିଆ ବ୍ଲକ ଓ ଲଇକେରା ବ୍ଲକର ଲୋକେ ନିର୍ଭର କରୁଛନ୍ତି। ଏତେ ସଂଖ୍ୟକ ହିତାଧିକାରୀଙ୍କ ପାଇଁ ଦୈନିକ ମାତ୍ର ଶହେ ଟିକା ଯୋଗାଯାଉଛି। ଯାହା ସମୁଦ୍ରକୁ ଶଙ୍ଖେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଲୋକେ ଟିକା ନେବାକୁ ଆସି ଏକାଧିକ ଥର ଫେରିଛନ୍ତି। ଲୋକେ ନିଜ ଜାଗା ସୁରକ୍ଷିତ ରଖିବା ପାଇଁ ଗୋଲ ଚିତା କଟାଯାଇଥିବା ବୃତ୍ତ ଭିତରେ ନିଜ ନିଜ ଆଧାର କାର୍ଡ଼, ବ୍ୟାଗ, ଗାମୁଛା, ଲୁଙ୍ଗି ଆଦି ରଖୁଥିବା ବେଳେ କେହି କେହି ଇଟା ପଥର ମଧ୍ୟ ରଖୁଥିବା ଦେଖାଯାଇଛି।
ସକାଳ ୫ ଟାରୁ ଲାଇନ୍ରେ ଥିବା ବ୍ୟକ୍ତିଙ୍କୁ ପୂର୍ବାହ୍ନ ୯ ଟାରେ ଟୋକନ୍ ଦିଆଯାଉଛି। ତେବେ ବରିଷ୍ଠ ନାଗରିକଙ୍କ ପାଇଁ ଏହା କଷ୍ଟଦାୟକ। ଗୁରୁବାର ମଧ୍ୟ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିକାକରଣ କାର୍ଯ୍ୟକ୍ରମ ଅଛି ଭାବି ସୋଲବଗା, ଭିକାପାଲି, ଚାରମାଲ, ପାରିମୁଣ୍ଡା, ନିକ୍ତିମାଲ ଓ ମୁଣ୍ଡକଟା ଆଦି ଗ୍ରାମରୁ କେତେକ ଲୋକ ସକାଳୁ ଅନୁରୂପ ଭାବେ ଧାଡ଼ିରେ ଛିଡ଼ା ହୋଇ ରହିଥିଲେ। ମାତ୍ର ପରେ ଟିକା ନାହିଁ ଜାଣିପାରି ନିରୁପାୟ ହୋଇ ଫେରିଥିଲେ।