ପୁଣି ବିପଦକୁ ବରଣ : ଦନ୍ତା ଦେଖିବାକୁ ବିଚ୍‌ରାସ୍ତାରେ ଭିଡ଼

ଭଞ୍ଜନଗର : ଗତମାସରେ ଗାଲେରୀ ବନାଞ୍ଚଳର ହରିଗଡ ବିଟ୍ ନୂଆପଲ୍ଲୀ କାଜୁ ବଗିଚାରେ ହାତୀପଲ ଜମା ହୋଇଥିବା ବେଳେ ‌ଗୋଟିଏ ମାଈ ହାତୀ ଛୁଆ ଜନ୍ମ ଦେଇଥିଲା। ଆଉ ଛୁଆହାତୀକୁ ଦେଖିବାକୁ ସେଠାରେ ଭିଡ଼ ଜମିଥିଲା। ଏହି ସମୟରେ ଦନ୍ତାର ଆକ୍ରମଣରେ ଜଣେ ନାବାଳକ ଓ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ହେଲେ ଏହି ଘଟଣା ମନରୁ ଏଯାଏ ଲିଭି ନଥିବା ବେଳେ ଜନସାଧାରଣ ଏପର୍ଯ୍ୟନ୍ତ ସଚେତନ ହୋଇପାରୁନାହାନ୍ତି।
କନ୍ଧମାଳ-ଗଞ୍ଜାମ ସୀମାନ୍ତ ନିଧିଆପଲ୍ଲୀ ଓ ଖାରିଗୁଡ଼ା ଗ୍ରାମ ରାସ୍ତା ଉପରେ ଏକ ଦନ୍ତାହାତୀ ଗଲା କିଛି ଦିନ ହେଲା ତା’ର ଗତିବିଧି ଜାରି ରଖିଛି। ସଂଜ ନଇଁବା ମାତ୍ରେ ଦନ୍ତାକୁ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମୁଛି। ହାତୀଟି ମୁଜାଗଡ଼ ବନାଞ୍ଚଳର ଭଞ୍ଜନଗର-ଫୁଲବାଣୀ ରାସ୍ତାକୁ ଅତିକ୍ରମ କରୁଛି। ନିର୍ଦ୍ଦିଷ୍ଟ ସମୟରେ ହାତୀକୁ ଅତି ନିକଟରୁ ଦେଖିବାକୁ ‌ଲୋକ ପହଞ୍ଚିଯାଉଛନ୍ତି। କିଏ ମୋବାଇଲରେ ଫଟୋ ଓ ଭିଡ଼ିଓ ଉଠାଉଛି ତ, ଆଉ କିଏ ହାତୀର ଅତି ନିକଟକୁ ଯିବା ଲାଗି ଚେଷ୍ଟା କରୁଛି। ଏହାସହ ହାତୀକୁ ଦେଖି ପାଟିତୁଣ୍ଡ କରୁଛନ୍ତି। କିନ୍ତୁ ଦନ୍ତାଟି କାହାର କିଛି କ୍ଷତି କରୁନି। ପ୍ରତିଦିନ ଏଭଳି ଭାବେ ଏଠାରେ ଶତାଧିକ ଲୋକଙ୍କ ଭିଡ଼ ଜମୁଛି।
ନୂଆପଲ୍ଲୀ କାଜୁ ବଗିଚା ଘଟଣା ପରଠୁ ଦନ୍ତାଟି ପଲ ଛାଡ଼ି ଏକୁଟିଆ ବୁଲୁଛି। ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରାସ୍ତା ଅତିକ୍ରମ କରୁଥିବା ବେଳେ ସେଠାରେ ଅପରାହ୍‌ଣ ୪ଟାରୁ ଭିଡ଼ ଜମିଯାଉଛି। ଆଜି ସନ୍ଧ୍ୟା ୬ଟାରେ ‌ଉକ୍ତ ସ୍ଥାନରୁ ୨୦୦ ମିଟର ଦୂରରେ ଦନ୍ତାହାତୀଟି ରାସ୍ତା ଉପରକୁ ଆସିଥିଲା। ଏଥିପାଇଁ କିଛି ଲୋକ ଦୌଡ଼ିଥିଲେ। ହାତୀଟି ଖାରିଗୁଡ଼ା ଜଙ୍ଗଲ ପଟୁ ଆସି ନିଧିଆପଲ୍ଲୀ ଆଡକୁ ଯାଇଥିଲା। ବାଉଁଶ ବୁଦାରେ ଦୀର୍ଘ ସମୟ ଧରି ବାଉଁଶ ଖାଉଥିବାରୁ ଲୋକେ ତା’ର ଫଟୋ ଉଠାଇଥିଲେ।
ବର୍ତ୍ତମାନ ହାତୀଟି ନିୟମିତ ରାସ୍ତା ପାର କରୁଥିବାରୁ ତା’ର ସୁରକ୍ଷା ଓ ଗତିବିଧି ଉପରେ ବନବିଭାଗ ବରାବର ନଜର ରଖିଛି। ହେଲେ ଏଥିପାଇଁ ନୟାନ୍ତ ହେବାକୁ ପଡ଼ୁଛି। ବନ କର୍ମଚାରୀ ମାନେ ମଧ୍ୟ ହାତୀ ରାସ୍ତା ପାର କରିବା ସମୟକୁ ଅପେକ୍ଷା କରି ରହୁଛନ୍ତି। ହାତୀ ରାସ୍ତା ନିକଟକୁ ଆସିଲେ ଲୋକଙ୍କୁ ତା’ ନିକଟକୁ ଯିବା ଲାଗି ତାଗିଦ୍ କରୁଛନ୍ତି। ତଥାପି ଶତାଧିକ ଲୋକ ଉଭୟ ପଟେ ଜମା ହେଉଥିବା ବେ‌ଳେ ଅନେକ ଯାନବାହନ ଅଟକି ରହୁଛି। ଲୋକେ ସଚେତନ ନହେଲେ ପୁଣି ଏକ ଅଘଟଣକୁ ଏଡ଼ାଇ ଦିଆଯାଇପାରିବବି ‌ବୋଲି ମତପ୍ରକାଶ ପାଇଛି। ତେବେ ଦନ୍ତା ଯୋଗୁଁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ରହିଛନ୍ତି।
ସମ୍ବନ୍ଧିତ ଖବର