ରାୟଗଡ଼ା: ରାୟଗଡ଼ା-କନ୍ଧମାଳ-କଳାହାଣ୍ଡି ସୀମାରେ ମାଓ ଦମନ ଅଭିଯାନକୁ ଜୋରଦାର୍ କରିବାକୁ ହୋଇଛି ବ୍ଲୁ ପ୍ରିଣ୍ଟ୍। ୩ ଜିଲ୍ଲାର ଦୁର୍ଗମ ଇଲାକାରେ ମାଓବାଦୀ ମେଳି ବାନ୍ଧି ଅଘଟଣ ଘଟାଇବାକୁ ଯୋଜନା କରୁଥିବାରୁ ପୁଲିସ୍ ରଘୁବାରି (ଡିମିରିଗୁଡା) ରେ ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା କରିବାକୁ ଯୋଜନା କରିଛି। କ୍ୟାମ୍ପ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଖୁବ୍ ଶୀଘ୍ର ଶହେରୁ ଉର୍ଧ୍ବ ଯବାନଙ୍କୁ ମୁତୟନ କରାଯିବ।
ମୁନିଗୁଡ଼ା ବ୍ଲକ୍ ଅମ୍ବାଦଳା ଥାନାରୁ ୨୨ କିମି ଦୂରରେ ରହିଛି ରଘୁବାରି ପଞ୍ଚାୟତ। ପାହାଡ଼ିଆ ଓ ଦୁର୍ଗମ ଇଲାକାରେ ଅବସ୍ଥିତ ରଘୁବାରି କନ୍ଧମାଳ-କଳାହାଣ୍ଡି-ରାୟଗଡ଼ା ଜିଲ୍ଲା ସୀମାନ୍ତକୁ ସଂଯୋଗ ହୋଇଥିବାରୁ ଏହି ଅଞ୍ଚଳ ମାଓବାଦୀଙ୍କ ସୁରକ୍ଷିତ ଗଡ଼ ପାଲଟିଛି। ୩ ଜିଲ୍ଲାରେ ମାଓବାଦୀ କିଛି ଅଘଟଣ ଘଟାଇବା ପରେ ରଘୁବାରି ଦେଇ ହିଁ ଖସିଯିବାରେ ସକ୍ଷମ ହେଉଛନ୍ତି। ରଘୁବାରିରେ ମୋବାଇଲ୍ ନେଟୱର୍କ କାମ କରୁନଥିବାରୁ ମାଓବାଦୀଙ୍କ ଗତିବିଧି ସଂପର୍କରେ ପୁଲିସ୍ ଓ ଯବାନ ସୂଚନା ପାଇବା ମଧ୍ୟ କଷ୍ଟକର ହୋଇ ପଡୁଛି। ସୂଚନା ପାଇ କମ୍ବିଂ ଓ ସର୍ଚ୍ଚ ଅପରେସନ୍ ପାଇଁ ଯବାନ ପହଞ୍ଚିବା ପୂର୍ବରୁ ମାଓବାଦୀ ସୁରକ୍ଷିତ ଭାବେ ଖସିଯିବାରେ ସକ୍ଷମ ହେଉଛନ୍ତି। ରାୟଗଡ଼ା ଜିଲ୍ଲାରେ ମାଓ କାର୍ଯ୍ୟକଳାପ ପ୍ରଭାବହୀନ ରହିଛି। କିନ୍ତୁ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ମାଓବାଦୀ କ୍ରମାଗତ ଭାବେ ଅଘଟଣ ଘଟାଇ ଚାଲିଛନ୍ତି। ଯେଉଁଥି ପାଇଁ ରଘୁବାରିରେ ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା କରି ମାଓ ଦମନ ଅଭିଯାନକୁ ଅଧିକ ଗତିଶୀଳ କରିବାକୁ ପୁଲିସ୍ ଯୋଜନା କରିଛି। ମୁନିଗୁଡ଼ା ବ୍ଲକ ସଦର ମହକୁମାରେ ସିଆରପିଏଫ ଅଷ୍ଟମ ବାଟାଲିୟନ୍ ମୁଖ୍ୟାଳୟ ରହିଛି। ବ୍ଲକର ଅନ୍ୟ କୌଣସି ଅଞ୍ଚଳରେ କ୍ୟାମ୍ପ ନଥିବାରୁ ଗୁଇନ୍ଦା ସୂଚନାକୁ ଭିତ୍ତି କରି ସିଆରପିଏଫ୍ ଯବାନ କମ୍ବିଂ ଓ ସର୍ଚ୍ଚ ଅପରେସନରେ ଯାଉଥିଲେ।
ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲାରେ ମାଓ ଦମନ ଅଭିଯାନ ପାଇଁ ସିଆରପିଏଫ୍ ପକ୍ଷରୁ ୨ଟି ବାଟାଲିୟନ୍ ପ୍ରତିଷ୍ଠା କରାଯାଇଛି। ରାୟଗଡ଼ାରେ ସିଆରପିଏଫର ୪ର୍ଥ ବାଟାଲିୟନ୍, ମୁନିଗୁଡ଼ାରେ ୮ମ ବାଟାଲିୟନ୍ ରହିଛି। ମୁନିଗୁଡ଼ା ୮ମ ବାଟାଲିୟନ୍ ପକ୍ଷରୁ ଚନ୍ଦ୍ରପୁର ବ୍ଲକର ଡାଙ୍ଗସୋରଡା, ହନୁମନ୍ତପୁର, ଚନ୍ଦ୍ରପୁରରେ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ବର୍ତ୍ତମାନ ମୁନିଗୁଡ଼ା ବ୍ଲକର ଦୁର୍ଗମ ଇଲାକା ରଘୁବାରିରେ କ୍ୟାମ୍ପ ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ହ୍ରାସ ପାଇବା ନେଇ ପୁଲିସ୍ ଆଶାବାଦୀ ଅଛି।