ରାୟଗଡା: ଏଣିକି ଅପରେସନରେ ସାମିଲ୍ ହେବେ ସିଆରପିଏଫର ମାଷ୍ଟର ଡଗ୍। ଯବାନଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ କମ୍ବିଂ ଓ ସର୍ଚ ଅପରେସନରେ କୋବ୍ରା ଯବାନଙ୍କ ଭଳି ତାଲିମ୍ ନେଇଥିବା ଡଗକୁ ସାମିଲ୍ କରାଯିବ। ଆଜି ଏନେଇ ସିଆରପିଏଫ୍ ୪ର୍ଥ ବାଟାଲିୟନରେ ତାଲିମପ୍ରାପ୍ତ ମାଷ୍ଟର ଡଗ୍ଙ୍କ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସିଆରପିଏଫ୍ ଡିଆଇଜି ତଥା ପ୍ରିନିସପାଲ୍ (ଡଗ୍ ବ୍ରିଡିଙ୍ଗ୍ ଓ ତାଲିମ୍) ରବୀନ୍ଦ୍ର ଏମ୍. ଏଲ୍। ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ଓ ବିସ୍ଫୋରକ ସାମଗ୍ରୀକୁ ମାଷ୍ଟର୍ ଡଗ୍ ଅତିଶୀଘ୍ର ଠାବ କରୁଥିବାରୁ ମାଓ ଦମନ କ୍ଷେତ୍ରରେ ଏହି ନୂଆ କୌଶଳ ଆପଣାଇବା ସିଆରପିଏଫ୍।
/sambad/media/post_attachments/wp-content/uploads/2019/07/two-dogs.jpg)
ଯବାନଙ୍କୁ ଟାର୍ଗେଟ୍ କରି ନୂଆ କୌଶଳ ଆପଣାଉଛନ୍ତି ମାଓବାଦୀ। ମୁଖ୍ୟ ରାସ୍ତା ବଦଳରେ ଯବାନଙ୍କ ଚଲାପଥରେ ଖଞ୍ଜୁଛନ୍ତି ଲ୍ୟାଣ୍ଡମାଇନ୍। ଯାହାକୁ ଠାବ କରିବା ଯବାନଙ୍କ ପକ୍ଷେ କଷ୍ଟକର। ବିଷମକଟକ ଓ କଲ୍ୟାଣସିଂହପୁର ଘଟଣା ପରେ ସିଆରପିଏଫ୍ ଏହି ପ୍ରମାଣ ପାଇବା ପରେ ପୂର୍ବ ଅପେକ୍ଷା ଏଣିକି ଉଭୟ ଅପରେସନ୍ରେ ମାଷ୍ଟର ଡଗ୍କୁ ସାମିଲ୍ କରିବ। ବିଷମକଟକ, ଚନ୍ଦ୍ରପୁର, କଲ୍ୟାଣସିଂହପୁର ଭଳି ଦୁର୍ଗମ ଇଲାକାର ସମସ୍ତ ଅଞ୍ଚଳକୁ ନିୟମିତ ରାସ୍ତା ନଥିବାରୁ କମ୍ବିଂ ଓ ସର୍ଚ ଅପରେସନ୍ ପାଇଁ ଯବାନ ଜଙ୍ଗଲୀ ରାସ୍ତା ଉପରେ ହିଁ ନିର୍ଭର କରିଥାନ୍ତି। ଏଣୁ ଯବାନଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଏହି ଅପରେସନ୍ ସମୟରେ ମାଷ୍ଟର୍ ଡଗ୍କୁ ସାମିଲ ନେଇ ବିଭାଗ ଚିନ୍ତା କରୁଛି। ପୂର୍ବରୁ ୪ର୍ଥ ବାଟାଲିୟନ୍ ଅଧୀନରେ ୩ଟି ତାଲିମପ୍ରାପ୍ତ ମାଷ୍ଟର୍ ଡଗ୍ ଥିବାବେଳେ ୨୦୧୯ ଏପ୍ରିଲରେ ମାଷ୍ଟର ଡଗ୍ ଆକ୍ସେଲର ମୃତ୍ୟୁ ହୋଇଥିଲା। ବର୍ତମାନ ୨ଟି କୁକୁର ରହିଥିବାବେଳେ ସେମାନଙ୍କ ତାଲିମ୍, ସ୍ବାସ୍ଥ୍ୟବସ୍ଥା ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଆଇଜି ରବୀନ୍ଦ୍ର। ଡିଆଇଜିଙ୍କ ସମୀକ୍ଷା ସମୟରେ ଏସ୍. ଡି. ପାଣ୍ଡେ, ସେକେଣ୍ଡ-ଇନ୍-କମାଣ୍ଡାଣ୍ଟ୍ ଏସ୍. କେ. ଠାକୁର, ମିତୁ ରାୟ, ଡେପୁଟି କମାଣ୍ଡାଣ୍ଟ୍ ଅଶୋକ ପି. ଏମଙ୍କ ସହ ଅନ୍ୟ ଅଧିକାରୀ ଓ ଯବାନ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/CRPF-Master-Dogs-in-Operation_Thumbnail.jpg)