ସିଆଇଏସ୍‌ଏଫ୍‌ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା ଉଦ୍ୟମ

ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ିଗଲେ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ହାତ ହରାଇବେ

ରାଉରକେଲା: ସିଆଇଏସ୍‌ଏଫ୍‌ରେ ଭର୍ତ୍ତି ପାଇଁ ଶାରିରୀକ ପରୀକ୍ଷାରେ ବିଫଳ ହେବାରୁ ଜଣେ ପରୀକ୍ଷାର୍ଥୀ ବିଦ୍ୟୁତ ଖୁଣ୍ଟିରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବିଦ୍ୟୁତ ଆଘାତରେ ହାତ, ଗୋଡ ଜଳିଯିବାରୁ ତାଙ୍କୁ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଜଳିଯାଇଥିବା ବାମ ହାତ କାଟି ଦିଆଯିବ ବୋଲି ଚିକିତ୍ସାଧୀନ ଡାକ୍ତର କହିଛନ୍ତି। ଗୁରୁତର ଆହତ ଯୁବକ ଜଣକ ହେଲେ ବଲାଙ୍ଗୀର ସିନ୍ଦ୍ରିକେଲା ଥାନା ଅନ୍ତର୍ଗତ ପଟେଲପଡାର ପ୍ରବୀଣ କୁମାର ପୁଟେଲ (୨୩)। ବଲାଙ୍ଗୀରର ପ୍ରବୀଣ ତାଙ୍କ ସାଙ୍ଗ ସହ ସିଆଇଏସ୍‌ଏଫ ପାରାମିଲିଟାରୀ ଫୋର୍ସ ଯବାନ ପରୀକ୍ଷା ଦେବାକୁ ଗତ ୩ ଦିନ ତଳେ ରାଉରକେଲା ଆସିଥିଲେ। ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଆଜି ସକାଳେ ଶାରିରୀକ ପରୀକ୍ଷା ଦେବାକୁ ରାଉରକେଲା ଏୟାରଷ୍ଟ୍ରିପ ପଡିଆରେ ପହଞ୍ଚିଥିଲେ। ଅନ୍ୟ ସାଙ୍ଗମାନଙ୍କ ସହ ଶାରିରୀକ ପରୀକ୍ଷା ଦେଇଥିଲେ। ମାତ୍ର, ସେଥିରେ ଅକୃତକାର୍ଯ୍ୟ ହୋଇଥିଲେ। ଏଥିପାଇଁ ସେ ଆଉଥରେ ପରୀକ୍ଷା କରିବାକୁ ଉପସ୍ଥିତ ସିଆଇଏସ୍‌ଏଫ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ସିଆଇଏସ୍‌ଏଫ ଅଧିକାରୀମାନେ ମନା କରି ଦେବାରୁ ସେ ବ୍ୟତିବ୍ୟସ୍ତ ହୋଇ ନିକଟରେ ଥିବା ଖୁଣ୍ଟିକୁ ଚଢ଼ି ବିଦ୍ୟୁତ ତାର୍‌ରେ ଝୁଲି ପଡିଥିଲେ। ବିଦ୍ୟୁତ ଆଘାତରେ ତଳେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ସିଆଇଏସ୍‌ଏଫ ଯବାନ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି କରିଥିଲେ। ସିଆଇଏସ୍‌ଏଫର ବରିଷ୍ଠ ଅଧିକାରୀ, ଛେଣ୍ଡ ପୁଲିସ ଆଇଜିଏଚ୍‌ରେ ପହଞ୍ଚି ପ୍ରବୀଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। କେଉଁ ପରିସ୍ଥିତିରେ ପ୍ରବୀଣ ଏଭଳି ପଦକ୍ଷେପ ନେଲେ ସେ ନେଇ ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର