ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ଆଉ ଜଣେ ଯବାନ, ୫ ଦିନରେ ଦ୍ବିତୀୟ ଘଟଣା

ସମ୍ବଲପୁର : ଯୁଯୁମୁରାରେ ଜଣେ ସିଆରପିଏଫ୍‌ ଯବାନ୍‌ ନିଜକୁ ଗୁଳିକରି ଆତ୍ମହତ୍ୟା କରିବା ଘଟଣାକୁ ୫ ଦିନ ନହେଉଣୁ ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଛାତ ଉପରେ ଅନ୍ୟ ଜଣେ କାର୍ଯ୍ୟରତ ଯବାନ୍‌ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ମୃତ ଯବାନ୍‌ ଜଣଙ୍କ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଶରଧାପାଲି ଅଞ୍ଚଳର ଫକୀର ସାହୁ ଓ ଦିପ୍ତୀ ସାହୁଙ୍କ ଏକମାତ୍ର ପୁଅ ଅମିତ ସାହୁ(୩୭) ବୋଲି ଜଣାପଡ଼ିଛି। ପୂର୍ବ ଘଟଣା ପରି ଅନୁରୂପ ଢ଼ଙ୍ଗରେ ଅମିତ ନିଜ ଗଳା ପାର୍ଶ୍ବରୁ ଇନ୍‌ସାସ୍‌ ରାଇଫଲକୁ ବ୍ରଷ୍ଟ ମୋଡ଼ରେ ରଖି ଗୁଳି ଫୁଟାଇଥିଲେ। ଫଳରେ ଏକାବେଳକେ ୩ଟି ଗୁଳି ଗଳାପଟୁ ଯାଇ ତାଙ୍କ ମୁଣ୍ଡ ପଟେ ବାହାରିଯାଇଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଅମିତ ଓଏସ୍‌ଏପିର ପ୍ରଥମ ଏସ୍‌ଏସ୍‌ ବାଟାଲିୟନରେ କାର୍ଯ୍ୟରତ ଥିବା ବେଳେ ଗତ ୫ ମାସ ହେଲା ସେ କିସିଣ୍ଡା ଥାନାରେ ନିୟୋଜିତ ଥିଲେ।

ଏହି ଘଟଣା ପରେ ସମ୍ବଲପୁର ଜିଲ୍ଲାରେ ପୁଣିଥରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମାଜିଷ୍ଟ୍ରେଟ ସହକାରୀ ତହସିଲଦାର ଇଜିୟସ୍‌ ବିନୟ କୁଲ୍ଲୁ ଓ ଓଏସ୍‌ଏପି ଡେପୁଟି କମାଣ୍ଡାଣ୍ଟ ବିଷ୍ଣୁପଦ ଦାସଙ୍କ ଉପସ୍ଥିତିରେ ଭିଡ଼ିଓଗ୍ରାଫି କରି ପୁଲିସ୍‌ ଶବ ଜବତ କରିବା ସହ ବ୍ୟବ‌େଚ୍ଛଦ ପାଇଁ ବୁର୍ଲା ମେଡିକାଲକୁ ପଠାଇଛି। ସେପଟେ, ସାଇଣ୍ଟିଫିକ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତ ଅମିତଙ୍କ ରକ୍ତନମୁନା ଓ ‌ଫୁଟିଥିବା ଗୁଳିର ଖୋକା ଜବତ କରି ପରୀକ୍ଷା ପାଇଁ ଭୁବନେଶ୍ବରସ୍ଥିତ ଆର୍‌ଏଫଏସ୍‌ଏଲକୁ ପଠାଇଥିବା ଜଣାପଡ଼ିଛି। ଏନେଇ କିସିଣ୍ଡା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କୁ ଯୋଗାଯୋଗ କରାଯିବାରେ ଘଟଣାର ତଦନ୍ତ ଚାଲିଥିବା କହିଥିଲେ। ପାରିବାରିକ କଳହରୁ ସେ ଏଭଳି କାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳୁଥିବା ସେ କହିଛନ୍ତି। ୧୦ ମାସ ତଳେ ଦେବଗଡ଼ ଜିଲ୍ଲା କନ୍‌ସର ଅଞ୍ଚଳରେ ପୋଷ୍ଟିଂ ସମୟରେ ମଧ୍ୟ ଅମିତ ଆତ୍ମହତ୍ୟା କରିବାର ପ୍ରୟାସ କରି ବିଫଳ ହୋଇଥିଲେ ବୋଲି ସେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଅମିତଙ୍କ ବିବାହ ୨୦୧୨ ମସିହାରେ ହୋଇଥିଲା। ତାଙ୍କର କୌଣସି ସନ୍ତାନ ନାହାନ୍ତି। ତେବେ ପରିବାରରେ ଅନେକ ସମୟରେ ଅଶାନ୍ତି ଲାଗି ରହୁଥିବା ଗ୍ରାମବାସୀ କହିଛନ୍ତି। ସାବିତ୍ରୀ ଅମାବାସ୍ୟା ବେଳକୁ ସେ ଘରକୁ ‌ଯାଇଥିଲେ। ଫେରିବା ପରଠାରୁ ଚିନ୍ତାଗ୍ରସ୍ତ ଥିଲେ। ଶନିବାର ରାତିରେ ମଧ୍ୟ ଘରଲୋକଙ୍କ ସହ ଫୋନ୍‌ ଯୋଗେ କଥା ହୋଇ ଝଗଡ଼ା କରୁଥିବା ସାଥୀମାନେ ଶୁଣିଥିବା ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି। କିସିଣ୍ଡା ଥାନା ଏକ ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ରାତି ସମୟରେ ୩ ଜଣ ଓଏସ୍‌ଏପି ଯବାନ୍‌ ସେଣ୍ଟ୍ରି ଦାୟିତ୍ବରେ ନିଯୁକ୍ତ ରୁହନ୍ତି। ଶନିବାର ରାତିରେ ମଧ୍ୟ ଦାୟିତ୍ବରେ ଥିବା ୩ ସେଣ୍ଟ୍ରିଙ୍କ ମଧ୍ୟରୁ ଅମିତ ଦ୍ବିତୀୟ ସ୍ଥାନରେ ଡ୍ୟୁଟିରେ ଥିଲେ। ଭୋର ୪ଟାରୁ ସେ ସବୁଦିନ ଭଳି ଥାନା ଉପରେ ଡ୍ୟୁଟିରେ ଥିଲେ। ତେବେ ୫ଟା ୫୫ ମିନିଟରେ ଡ୍ୟୁଟି ସରିବାର ଅଳ୍ପ ସମୟ୍ ପୂର୍ବରୁ ଛାତରେ ଗୁଳି ଫୁଟିବାର ଶବ୍ଦ ଶୁଣି କାର୍ଯ୍ୟରତ ଅନ୍ୟ ପୁଲିସ୍‌ କର୍ମୀ ସେଠାକୁ ଯାଇଥିଲେ। ‌ସେଠାରେ ଅମିତଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଦେଖିବାକୁ ପାଇଥିଲେ। ଘଟଣା ସମୟରେ ତାଙ୍କ ମୋବାଇଲଟି ଥାନା ମଧ୍ୟରେ ଥିଲା ଓ ତାଙ୍କ ପାଖରୁ କୌଣସି ସୁଇସାଇଡ୍‌ ନୋଟ ଜବତ କରାଯାଇନଥିବା ପୁଲିସ୍‌ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର