କୋଇଡ଼ା: ଲାଲଗଡ଼ କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ରେହ୍ଲାତୁ ପଞ୍ଚାୟତର ଲଙ୍ଗଳକଟାରେ ତ୍ରିରଙ୍ଗା ଉଡ଼ିଛି। ଭାରତମାତା କି ଜୟ ଧ୍ବନିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିବାବେଳେ ସେଠାରେ ସିଆର୍ପିଏଫ୍ ୧୯ ‘ଜି’ ବାଟାଲିୟନ୍ର କ୍ୟାମ୍ପ ଉଦ୍ଘାଟିତ ହୋଇଛି।
ସଂପୃକ୍ତ ଅଞ୍ଚଳରେ ମାଓ ଗତିବିଧି ବୃଦ୍ଧି ପାଇବା ପରେ ଲଙ୍ଗଳକଟାରେ ୧୫ ହଜାର ବର୍ଗମିଟର ଜାଗାରେ ସିଆର୍ପିଏଫ୍ ୧୯ ବାଟାଲିୟନର ଏକ ସ୍ଥାୟୀ କ୍ୟାମ୍ପ ଓଡ଼ିଶା ପୁଲିସ ହାଉସିଂବୋର୍ଡ ପକ୍ଷରୁ ନିର୍ମାଣ କରାଯାଉଛି। ଏହି ଅବସରରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ସମେତ ରାଉରକେଲା ଏସ୍ପି ନୀତେଶ ୱାଧୱାନୀ, ସିଆର୍ପିଏଫ୍ କମାଣ୍ଡାଣ୍ଟ ମହେଶ ବିଶ୍ୱକର୍ମା, ବଣାଇ ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେ, କୋଇଡ଼ା ତହସିଲଦାର ନିର୍ମଳ ବିଶ୍ବାଳ ଓ ବିଡିଓ ସମରେନ୍ଦ୍ର ସାରା, ଉପଖଣ୍ଡ ପୁଲିସ ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ, ରେହ୍ଲାତୁ ନାଏବ ସରପଞ୍ଚ ହେମ୍ବୋ ଓରାମ ପ୍ରମୁଖ ଉପସ୍ଥିତ ଥିଲେ। ଶହଶହ ଆଦିବାସୀ ପୁରୁଷମହିଳା ନୃତ୍ୟଗୀତ, ବାଦ୍ୟ ସହ ଅତିଥିଙ୍କୁ ସ୍ୱାଗତ କରିଥିଲେ। ପରେ ଲଙ୍ଗଳକଟା କ୍ୟାମ୍ପରେ ଜାତୀୟସଙ୍ଗୀତ ଗାନ ସହ ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା। ଜନସମ୍ପର୍କ ଶିବିରରେ ଗ୍ରାମବାସୀଙ୍କୁ ବସ୍ତ୍ର, ଖେଳସାମଗ୍ରୀ ଓ ଛାତ୍ରଛାତ୍ରୀଙ୍କୁ ପାଠ୍ୟୋପକରଣ, ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। କ୍ୟାମ୍ପ ଖୋଲିବା ଦ୍ୱାରା ପୁଲିସ ଗତିବିଧି ଓ ଅପରେସନ୍ ତ୍ବରାନ୍ବିତ ହେବା ସହ ମାଓବାଦୀ ଦମନ ପାଇଁ ସୁବିଧା ହେବ। ଲୋକଙ୍କ ଭୟ କମିବା ସହ ଅଞ୍ଚଳରେ ଶାନ୍ତିଫେରିବ ଓ ବିକାଶର ନୂଆଫର୍ଦ୍ଦ ଯୋଡ଼ିହେବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି ଶ୍ରୀ ରାୟ କହିଥିଲେ।
ସୂଚନାଯୋଗ୍ୟ, ୨୦୦୯ ମସିହାରେ ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଥିବା କୋଇଡ଼ା ଥାନା ଏସ୍ଆଇ ଅଜିତ କୁମାର ବର୍ଦ୍ଧନଙ୍କ ହତ୍ୟା ପରେ ଲଙ୍ଗଳକଟା ଓ ଝାରବେଡ଼ା ଜଙ୍ଗଲ ମାଓବାଦୀଙ୍କ ହଟ୍ସ୍ପଟ୍ ପାଲଟିଥିଲା। ଓଡ଼ିଶା-ଝାଡ଼ଖଣ୍ଡ ସୀମାସଂଲଗ୍ନ ଲଙ୍ଗଳକଟା, ସିଲକୁଟା, ବାଙ୍କୋ, ରେଞ୍ଜଡ଼ା, ଟୋପାଡିହି ଅଞ୍ଚଳରେ ମାଓ ଗତିବିଧି ବୃଦ୍ଧି ପାଇଥିଲା। ଚଳିତବର୍ଷ ମେ’ ୨୭ରେ ସ୍ଥାନୀୟ ବାଙ୍କୋ ପଥରଖଣିରୁ ୫ ହଜାର କେଜି ବିସ୍ଫୋରକ ଲୁଟ୍ ପରେ ପୁଲିସ ଓ ସୁରକ୍ଷାବାହିନୀର ଉଚ୍ଚାଧିକାରୀ ଅଞ୍ଚଳକୁ ବାରମ୍ବାର ଗସ୍ତ କରିଥିଲେ। ଏହାପୂର୍ବରୁ ମାଓବାଦୀଙ୍କର ଆଉ ଏକ ଗଡ଼ ସୋୟମ୍ବା ପଞ୍ଚାୟତର ଟୋପାଡିହିରେ ଚଳିତବର୍ଷ ସେପ୍ଟେମ୍ବର ୧୮ ତାରିଖରେ ସିଆର୍ପିଏଫ୍ ୧୯ ‘ଏ’ ବାଟାଲିୟନ୍ର
ଏକ ସ୍ଥାୟୀ କ୍ୟାମ୍ପ ଖୋଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/26/untitled-24-2025-10-26-06-51-34.jpg)