ସମ୍ବଲପୁର : ଗୁରୁବାର ଦକ୍ଷିଣ-ପୂର୍ବ ରେଳ ସର୍କଲ୍ର ରେଳ ନିରାପତ୍ତା ଆୟୁକ୍ତ (ସିଆର୍ଏସ୍) ଏଏମ୍ ଚୌଧୁରୀ ରୁପ୍ରା ରୋଡ୍-ନର୍ଲା ରୋଡ୍-ଲାଞ୍ଜିଗଡ଼ ରୋଡ୍ ଷ୍ଟେସ୍ନ ମଧ୍ୟରେ ନବନିର୍ମିତ ତୃତୀୟ ଲାଇନ୍ ଓ ବିଦ୍ୟୁତୀକରଣ କାର୍ଯ୍ୟର ଯାଞ୍ଚ କରିଛନ୍ତି। ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳର ଟିଟିଲାଗଡ଼-ବିଜୟନଗରମ୍ ସେକ୍ସନ ମଧ୍ୟରେ ତୃତୀୟ ଲାଇନ୍ ନିର୍ମାଣ କାର୍ଯ୍ୟ ଚାଲିଥିଲାବେଳେ ଏହା ଅନ୍ତର୍ଗତ ରୁପ୍ରା ରୋଡ୍-ନର୍ଲାରୋଡ୍-ଲାଞ୍ଜିଗଡ଼ ରୋଡ୍ ମଧ୍ୟରେ କାମ ଶେଷ ହୋଇଛି। ଗୁରୁବାର ସିଏସ୍ଆର୍ଙ୍କ ଉପସ୍ଥିତିରେ ଏହି ତିନି ଷ୍ଟେସନ୍ ମଧ୍ୟରେ ସ୍ପିଡ୍ ଟ୍ରାଏଲ୍ ହୋଇଥିଲା।
ଶ୍ରୀ ଚୌଧୁରୀ ନିରାପତ୍ତା ସମ୍ବନ୍ଧୀୟ ବିଭିନ୍ନ ଉପାଦାନ ଯଥା ଓଭର୍ହେଡ୍ ଉପକରଣ, ପୋଲ, ମଣିଷ ଥିବା ଲେଭେଲ୍ କ୍ରସିଂ, ସିଗ୍ନାଲ୍ ଓ ଦୂରସଂଚାର ଉପକରଣ, ରେଳ ଧାରଣା ଆଦିର ଯାଞ୍ଚ କରିଥିଲେ। ସିଏସ୍ଆର୍ ଯାଞ୍ଚ ବେଳେ ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ବିନିତ ସିଂହ, ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଅମର ପ୍ରକାଶ ଦ୍ବିବେଦୀ ଏବଂ ରେଳବାଇର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ୨୧ ତାରିଖ ଶୁକ୍ରବାର ଦିନ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ବିଛୁପାଲିରୁ ଝାରତରଭା ମଧ୍ୟରେ ହେବାକୁ ଥିବା ସିଏସ୍ଆର୍ ଯାଞ୍ଚକୁ ସ୍ଥଗିତ ରଖାଯାଇଛି।