ଅବାଧ ନିର୍ବାଚନର ନିଷ୍ଠୁର ପରିହାସ

ମାତ୍ର ୧୫ ଦିନରେ ଲକ୍ଷେ ଲିଟର ମଦ ଜବତ
ମହାପ୍ରସାଦ ଛୁଆଁଇଲେଣି, ଖୋଲା ଧମକ ବି ଦେଲେଣି
ଗାଁ ଗଣ୍ଡାରେ ବଢ଼ିଚାଲିଛି ରାଜନୈତିକ ହିଂସା
ଜିଲ୍ଲାରେ ବାବୁମାନେ ନିରବ; ଆୟୋଗ ବି ଚୁପ୍

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ଯେଉଁ ବାତାବରଣ ସୃଷ୍ଟି ହୋଇଛି ତାହାକୁ ନେଇ ବୁଦ୍ଧିଜୀବୀ ଓ ରାଜନୈତିକ ପର୍ଯ୍ୟବେକ୍ଷକମାନେ ବିସ୍ମୟ ପ୍ରକ‌ାଶ କଲେଣି। ହିଂସା, ଦ୍ବେଷ, ଚାପ, ଭୟ ମୁକ୍ତ ତଥା ଅବାଧ ଏବଂ ନିରପେକ୍ଷ ମତଦାନ ଉପରେ ରାଜ୍ୟ ନିର୍ବାଚନ ଆୟୋଗ ଗୁରୁତ୍ବ ଆରୋପ କରୁଥିବା ବେଳେ ଗାଁ ଗଣ୍ଡାରେ ଏସବୁର ଧଜିଆ ଉଡ଼ୁଛି। କିଏ ନିର୍ବାଚନ ପ୍ରଭାବିତ କରିବା ଲାଗି ଠାକୁରଙ୍କ ଆଜ୍ଞାମାଳ ଛୁଆଁଇଲାଣି ତ ଆଉ କିଏ ସରକାରୀ ଯୋଜନାରୁ ବଞ୍ଚିତ କରାଯିବ ବୋଲି ଖୋଲା ଧମକ େଦଉଛନ୍ତି। କିଏ ଆଇନକୁ ହାତକୁ ନେଲେଣି ତ ଆଉ କେଉଁଠି ଝିମିଟି ଖେଳରୁ ମହାଭାରତ ଭଳି ମଦ, ଭୋଜିଭାତରୁ ଗାଁ ଗଣ୍ଡାରେ ଗଣ୍ଡଗୋଳ, ମାରପିଟ୍ ପର୍ଯ୍ୟନ୍ତ କଥା ପହଞ୍ଚୁଛି। ସବୁଠାରୁ ମାରାତ୍ମକ କଥା ହେଲା, ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଳ୍ପବହୁତେ ଏସବୁ ରିପୋର୍ଟ ପହଞ୍ଚୁଛି। ଗଣମାଧ୍ୟମରେ ଏ ସଂପର୍କରେ ଖବର ପ୍ରକାଶ ପାଉଛି। ହେଲେ ଏସବୁ ଘଟଣା ମଧ୍ୟରୁ କିଛି କ୍ଷେତ୍ରରେ ଆୟୋଗ ପଦକ୍ଷେପ ନେଇଥିଲେ ହେଁ ଅନେକ ଘଟଣାରେ ନିରବ ରହୁଥିବା ରାଜନୈତିକ ଦଳମାନେ ଖୋଲା ଅଭିଯୋଗ କଲେଣି।

ଯଦି ଏବେଠାରୁ ସ୍ଥିତି ଏମିତି, ତେବେ ଆଗକୁ କେତେ ଭୟାନକ ପରିସ୍ଥିତି ସୃଷ୍ଟି ହେବ? ଗଣତନ୍ତ୍ର ବ୍ୟବସ୍ଥାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସ୍ତର ବୋଲି କୁହାଯାଉଥିବା ପଞ୍ଚାୟତରେ ମତଦାନ ପ୍ରକ୍ରିୟାର ଏହି ସାଂଘାତିକ ସ୍ବରୂପକୁ କେହି ଗ୍ରହଣ କରିପାରୁନାହାନ୍ତି। ଯେଉଁ ସବୁ ଉଦାହରଣ ଏବେ ରାଜନୈତିକ ମହଲକୁ ଚିନ୍ତାରେ ପକାଇଛି, ତା ମଧ୍ୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ମୂଷାପାଲି ପଞ୍ଚାୟତ ଗହନାମୁଣ୍ଡା ଗାଁ ଘଟଣା ରହିଛି। ସେଠାରେ ଜଣେ ସରପଞ୍ଚ ପ୍ରାର୍ଥୀ ରୋହିତ ହଂସଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ସେ ଏବେ ଭବାନୀପାଟଣା ଡାକ୍ତରଖାନାରେ। କେବଳ ରୋହିତଙ୍କ ଠାରେ ପଞ୍ଚାୟତ ନିର୍ବାଚନ ହିଂସା ସୀମିତ ନାହିଁ। ଏହାମାତ୍ର ଗୋଟିଏ ଉଦାହରଣ। ନିର୍ବାଚନ କାରଣରୁ ବିବାଦ ବହୁଗୁଣିତ ହୋଇଛି ଏବଂ ଅନେକ ଗାଁ ଗଣ୍ଡାରେ ଏବେ ଭାଇ ଭାତ ବନ୍ଦ ହେବା ଯାଏ କଥା ଗଲାଣି।

Startups.co.uk

ତା’ଠାରୁ ଆହୁରି ଜଘନ୍ୟ ଘଟଣା ନିଜେ ସରକାର ସାମ୍ନାକୁ ଆଣିଲେଣି। ‌ଭୋଟ୍ ସମୟ ଆହୁରି ବାକି ଅଛି। ସରକାରୀ ତଥ୍ୟ କହୁଛି ଯେ ଏବେଠାରୁ ନିଶା କାରବାର ବହୁଗୁଣିତ ହୋଇଛି। କେବଳ୧୫ ଦିନ ମଧ୍ୟରେ ଅବକାରୀ ବିଭାଗ ଓ ପୁଲିସ ଲକ୍ଷେ ଲିଟର ମଦ ଜବତ କରିଛନ୍ତି। ୨୭ ମାରଣାସ୍ତ୍ର ବି। ଏସବୁ ଯେ ନିରପେକ୍ଷ ନିର୍ବାଚନର ପରିପନ୍ଥୀ, ଏକଥା କେହି ଅସ୍ବୀକାର କରିବେ ନାହିଁ।

ଆହୁରି ଆଚମ୍ବିତ କରିବା ଭଳି କଥା ହେଲା; ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୋଟିଏ ନିର୍ବାଚନୀ ସଭାରେ ଖୋଲାଖୋଲି ଚେତାବନୀ ଦେଇଛନ୍ତି ଯେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ନ ଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ସଂପର୍କରେ କେହି କିଛି ଆଉ କହିବନାହିଁ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପରେ ମଧ୍ୟ ନିର୍ବାଚନ ଆୟୋଗ ଯେଭଳି ପ୍ରତିକ୍ରିୟା ପ୍ରକାଶ କରିବା କଥା, ତାହା ରିପୋର୍ଟ ଲେଖା ହେବା ଯାଏ ପରିଲକ୍ଷିତ ହୋଇନାହିଁ।

ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ହେଉଛି ନିର୍ବାଚନ ଆୟୋଗଙ୍କ ଦାୟିତ୍ବ। ଭୋଟରମାନେ ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ହେଲେ, ସେମାନଙ୍କ ଉପରେ କୌଣସି ଚାପ ବା ଭୟ ରହିବା ଉଚିତ୍ ନୁହେଁ। ସେହିଭଳି କୌଣସି ବ୍ୟକ୍ତି ପ୍ରଭାବିତ କରିବାକୁ ଉଦ୍ୟମ କଲେ, ତାହା ଆଇନ ଦୃଷ୍ଟିରେ ଗର୍ହିତ ବୋଲି ବିଚାର କରାଯିବ। କେହି ନିର୍ଦିଷ୍ଟ ନେତାଙ୍କୁ ଭୋଟ ଦାନ ଲାଗି ବାଧ୍ୟ କରିପାରିବେ ନାହିଁ କିମ୍ବା ଭୋଟକୁ ସରକାରୀ କଳ ପ୍ରଭାବିତ କରିବା ଲାଗି କୌଣସି ପଦକ୍ଷେପ ନେଇପାରିବେ ନାହିଁ। କେହି ଯଦି ନିର୍ବାଚନରେ ମାଂସପେଶୀ ବା ଟଙ୍କା ଶକ୍ତି ପ୍ରୟୋଗ କରନ୍ତି, ତାହା ମଧ୍ୟ ଗୁରୁତର ଅପରାଧ। ଏସୁବୁକୁ ନେଇ ରାଜ୍ୟରେ ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି। ହେଲେ ବର୍ତମାନ ଘଟୁଥିବା ଘଟଣା କିନ୍ତୁ ସୂଚାଇ ଦେଉଛି ଯେ ଯେମିତି ଆଦର୍ଶ ଆଚରଣ ବିଧି ବୋଲି କିଛି ନାହିଁ।

ପୂର୍ବତନ ରାଜ୍ୟ ନିର୍ବାଚନ କମିସନର ସଂଜୀବ ଚନ୍ଦ୍ର ହୋତା କହିଛନ୍ତି ଯେ ଗଣମାଧ୍ୟମରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସଂପର୍କରେ ଯେଉଁ ରିପୋର୍ଟ ପ୍ରକାଶ ପାଇଥିବା କଥା କୁହାଯାଉଛି, ତାର ସତ୍ୟାସତ୍ୟ ଅଛି ନା ନାହିଁ, ମୋତେ ଜଣାନାହିଁ। କିନ୍ତୁ ଯଦି ଏହା ସତ ହୋଇଥାଏ ତେବେ ସାଂଘାତିକ। ଏହା ଆଚରଣ ବିଧି ଉଲ୍ଲଂଘନ କରୁଛି। ଏ କ୍ଷେତ୍ରରେ କମିସନ ଗଣମାଧ୍ୟମ ରିପୋର୍ଟ ଉପରେ ବି କାର୍ଯ୍ୟାନୁଷ୍ଠାନ ନେଇପାରିବେ। କମିସନ ଚାହିଁଲେ ତାଙ୍କୁ ବ୍ୟକ୍ତିଗତ ଭାବେ କାରଣ ଦର୍ଶାଅ ନୋଟିସ ଜାରି କରିପାରନ୍ତି ଓ ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହେଲେ, କାର୍ଯ୍ୟାନୁଷ୍ଠାନ ହୋଇପାରିବ। କିନ୍ତୁ ଅନ୍ୟ ଦିଗଟି ସଂପର୍କରେ ରାଜ୍ୟ ନିର୍ବାଚନ କମିସନରଙ୍କ କାର୍ଯ୍ୟକୁ ପ୍ରଶଂସା କରିବାକୁ ହେବ। ନିଶା କାରବାର ଆଦି କ୍ଷେତ୍ରରେ କମିସନ ଯଦି କାର୍ଯ୍ୟାନୁଷ୍ଠାନ ନେଇନଥାନ୍ତେ, ତେବେ ଏହା ଅଧିକ ଖରାପ ପ୍ରଭାବ ପକାଇଥାନ୍ତା। ତେବେ ସମସ୍ତେ ଏକଥା ଜାଣିବା ଦରକାର ଯେ ଭୋଟ ପ୍ରଭାବିତ କରିବାକୁ ଯେଉଁମାନେ ଉଦ୍ୟମ କରୁଛନ୍ତି ଏବଂ ଯେଉଁମାନେ ପ୍ରଭାବିତ ହେଉଛନ୍ତି; ଉଭୟ ଦୋଷୀ। ସବୁ ରାଜନୈତିକ ଦଳ ଏଥିରେ ସାମିଲ, କିଛି ଲୋକ ମଧ୍ୟ ଏହାକୁ ପ୍ରଶୟ ଦେଉଛନ୍ତି। ଏସବୁ ଗଣତନ୍ତ୍ର ପାଇଁ ବିପଜ୍ଜନକ।

ନିର୍ବାଚନ କମିସନଙ୍କ ପୂର୍ବତନ ଉପଦେଷ୍ଟା ଭଗବାନ ପ୍ରକାଶଙ୍କ ମତରେ ଏଥିରୁ କୌଣସି ଗୋଟିଏ ଘଟଣା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଯଦି ଉପଯୁକ୍ତ ନେତା ଚୟନ ହୋଇପାରିଲା ନାହିଁ; ତେବେ ପଞ୍ଚାୟତିରାଜ ବ୍ୟବସ୍ଥାଟି ଦୁର୍ବଳ ହୋଇଯିବ। ବହୁତ ଭାବିଚିନ୍ତି ପଞ୍ଚାୟତ ନିର୍ବାଚନକୁ ନିର୍ଦଳୀୟ କରାଯାଇଛି। କିଛି ବି ଚିହ୍ନ ରହିବ ନାହିଁ। ଗାଁ ଗଣ୍ଡାର ଲୋକେ ନିଜ ନେତାଙ୍କୁ ନିଜେ ବାଛିବେ। ଏବେ କିନ୍ତୁ ମନି, ମାଂସ, ମାଂସପେଶୀ, ମଦ, ମହାପ୍ରସାଦ ଏଭଳି ପାଞ୍ଚଟି ‘ମ’ର ଖୁବ୍ ପ୍ରଚଳନ ହେଉଛି। ଭୋଟର ଏବେ ଚାପରେ। ଲୋକଙ୍କ ଦାରିଦ୍ର୍ୟ, ନିରକ୍ଷରତାକୁ ଆୟୁଧ କରି ଯେଉଁ ରାସ୍ତାରେ ନିର୍ବାଚନକୁ ନିଆଯାଉଛି, ତାହା ଭବିଷ୍ୟତରେ ଗଣତନ୍ତ୍ର ପାଇଁ ଯେଭଳି ବିପଜ୍ଜନକ, ସାଧାରଣ ଲୋକଙ୍କ ପାଇଁ ମଧ୍ୟ ସେତିକି ଘାତକ।

ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କମିସନ ପୂରା ଚୁପ୍ ବସିନାହାନ୍ତି। ନିର୍ବାଚନକୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିବା ଜଣେ ଡିଏସପି ଓ କଲେଜ ଅଧ୍ୟକ୍ଷଙ୍କୁ ନିଲମ୍ବିତ କରାଯାଇଛି ଓ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ବି ନିଆଯାଇଛି। ଜଣେ ଜିଆରଏସଙ୍କୁ ଚାକିରିକୁ ବରଖାସ୍ତ କରାଯାଇଛି। ପାଖାପାଖି ୭ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାଣି। କୌଣସି ଦିଅଁ, ଦେବତାଙ୍କୁ ଆୟୁଧ କରି ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରାଯାଇପାରିବ ନାହିଁ। ସେହିଭଳି ଆଚରଣ ବିଧି ଉଲ୍ଲଂଘନ କ୍ଷେତ୍ରରେ କମିସନ ଅବଶ୍ୟ ପଦକ୍ଷେପ ନେବେ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର