ବାପାଙ୍କର ଜମା ଟଙ୍କା ସରିଯିବା ପରେ ମନ୍ଦିର ବାହାରେ ଛାଡିଆସିଲା ପୁଅ, ନଦୀରେ ଫିଙ୍ଗିଦେଲା ବାପାଙ୍କର ଭାଗବତ ଓ ଆଧାରକାର୍ଡ଼

ପୁରୀ: ବ୍ୟାଙ୍କରେ ବାପାଙ୍କର ଜମା ଟଙ୍କା ସରିଲା ପରେ ପୁଅର ଛାଡିଗଲା ମିଛ ବାପାପ୍ରୀତି | ଆଉ ବାପାଙ୍କ ପ୍ରିୟ ଗୀତା, ଭାଗବତ, ପୂଜାପାଠ ବହି ସହ ଆଧାର କାର୍ଡକୁ ଦୟା ନଦୀରେ ଫିଙ୍ଗିଦେଲା | କେବଳ ଏତିକିରେ ସରିନି ପୁଅର ନିଷ୍ଠୁରତା । ଶେଷରେ ବାପାଙ୍କୁ ଗାଡିରେ ଆଣି ପୁରୀରେ ଛାଡିଦେଲା । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀରେ । ଗତକାଲି ଗୁଣ୍ଡିଚାମନ୍ଦିରକୁ ଲାଗିଥିବା ନୃସିଂହଙ୍କ ଚକଡାରେ ବସିଥିବା ବୃଦ୍ଧଙ୍କ ଏଭଳି ଦୁର୍ଦ୍ଦଶା ଉପସ୍ଥିତ ଲୋକଙ୍କ ଛାତି ଥରାଇଦେଇଛି । ନୃସିଂହ ମନ୍ଦିର ଚକଡାରେ ବସିଥିଲେ ଏହି ୮୪ ବର୍ଷୀୟ ବୃଦ୍ଧ । ତାଙ୍କ ନାଁ ଧନେଶ୍ୱର ବେହୁରା । ଘର କଟକ ଜିଲ୍ଲା ନିଆଳି ଥାନା ପହାଙ୍ଗା ଅନ୍ତର୍ଗତ ପେଠିବୁଡା ସାହିରେ ।

ହାତରେ ରହିଛି ବଙ୍କୁଲି ବାଡି଼ଟିଏ, ଏକୁଟିଆ ବି ଠିଆ ହୋଇପାରୁନାହାନ୍ତି ଧନେଶ୍ୱର । ମୁହଁ ସାରା ପାଚିଲା ଦାଢି ସାଙ୍ଗକୁ ପେଜୁଆ ଆଖି ଚାରିଆଡକୁ ଘୁରି ବୁଲୁଥାଏ । ଧନେଶ୍ୱରଙ୍କୁ ତାଙ୍କ ପୁଅ ପୁରୀରେ ଛାଡି ଚାଲିଯାଇଛି । ଧନେଶ୍ୱରଙ୍କ କହିବା କଥା ହେଲା, ସେ ଦୀର୍ଘ ବର୍ଷ ଧରି ପୁରୀରେ ରହିଆସୁଛନ୍ତି । ମନ୍ଦିରର ପୂଜକ ଭାବେ କାମ କରୁଥିଲେ ।

ପାଖରେ ୫୦ରୁ ୬୦ ହଜାର ଟଙ୍କା ଥିଲା । ପୁଅ ଆସି ଘରକୁ ଡାକିନେଇଥିଲା । କିନ୍ତୁ ଟଙ୍କା ନେବା ପରେ ଆଣି ପୁରୀରେ ଛାଡିଦେଇଛି । ଏହାସହ ଗୀତା, ଭାଗବତ ଓ ଆଧାର କାର୍ଡକୁ ଦୟାନଦୀରେ ପିଙ୍ଗିଦେଇଛି । କୋହଭରା କଣ୍ଠରେ ଏହା କହିଛନ୍ତି ଧନେଶ୍ୱର । ସ୍ୱେଚ୍ଛାସେବୀ ଖବର ଶୁଣି ପଂହଚିଥିଲେ । ପରେ ପୁଲିସ ଭ୍ୟାନ ଆସି ଧନେଶ୍ୱରଙ୍କୁ ଉଦ୍ଧାର କରି ନୀଳାଦ୍ରି ନିଳୟରେ ରଖାଯାଇଛି ।

ସମ୍ବନ୍ଧିତ ଖବର