ଡାବୁଗାଁ : ଜମି ବିବାଦକୁ କେନ୍ଦ୍ରକରି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ବିଜାପୁଟ ନିକଟସ୍ଥ ଚାଟିଗୁଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି। ବଡ଼ଭାଇକୁ ଶାବଳରେ ଆକ୍ରମଣ କରି ହତ୍ୟା କରିଛି ସାନଭାଇ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏ ନେଇ ମୃତକଙ୍କ ପତ୍ନୀ ଥାନାରେ ଏତଲା ଦେବାପରେ ଡାବୁଗାଁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଚାଟିଗୁଡ଼ା ଗାଁର ଦୁଇ ଭାଇ ଧନୁର୍ଦ୍ଧର ଭତରା (୪୦) ଏବଂ ମଣ୍ଡିଆ ଭତରା (୧୮) ମଧ୍ୟରେ ଦୀର୍ଘ ଦିନ ହେଲା ଜମି ବିବାଦ ଲାଗି ରହିଥିଲା। ଗତକାଲି ରାତିରେ ଏହି ବିବାଦ ଉଗ୍ର ରୂପ ନେଇଥିଲା। ଧନୁର୍ଦ୍ଧର ରୋଷେଇ ପାଇଁ ଚୁଲି ଲଗାଇବା ସମୟରେ ପହଞ୍ଚି ଯାଇଥିଲା ଅଭିଯୁକ୍ତ ମଣ୍ଡିଆ। ଗୋଟିଏ ଶାବଳରେ ପଛପଟୁ ମୁଣ୍ଡକୁ ଲକ୍ଷ୍ୟ କରି ଅତର୍କିତ ଭାବେ ପାହାର ପକାଇଥିଲା। ଶକ୍ତ ପାହାର ଖାଇ ତଳେ ମୁହଁ ମାଡ଼ି ତଳେ ପଡ଼ି ଯାଇଥିଲା ଧନୁର୍ଦ୍ଧର। ଏହାପରେ ମଣ୍ଡିଆ ଶାବଳରେ ବାରମ୍ବାର ପିଠିକୁ ଆକ୍ରମଣ କରିଥିଲା। ଧନୁର୍ଦ୍ଧରଙ୍କ ପତ୍ନୀ ହୀରାଦେଈ ଏବଂ ପଡ଼ୋଶୀ ଗୋଲାପୀ ସୁନା ପହଞ୍ଚି ମଣ୍ଡିଆକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଧନୁର୍ଦ୍ଧରଙ୍କ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ସମୟରେ ରାସ୍ତାରେ ଧନୁର୍ଦ୍ଧନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଅଭିଯୁକ୍ତ ମଣ୍ଡିଆ ଏବଂ ମୃତକ ଧନୁର୍ଦ୍ଧର ସଂପର୍କରେ ସାବତ ଭାଇ।
ପୁତୁରା କଟୁରି ଚୋଟରେ ଦାଦା ମୃତ
ଯାଜପୁରସଦର : ପୁତୁରାର କଟୁରି ଚୋଟରେ ଦାଦାର ମୃତ୍ୟୁ ଘଟିଛି। ବରୀ ରାମଚନ୍ଦ୍ରପୁର ଥାନା ରମ୍ପା ଗ୍ରାମରେ ଆଜି ଏହି ବର୍ବରକାଣ୍ଡ ଘଟିଛି। ମୃତକ ହେଲେ ଦେବେନ୍ଦ୍ର ବାହାଲିଆ(୪୭)। ହତ୍ୟା ଅଭିଯୁକ୍ତ ପୀୟୂଷକାନ୍ତ ବାହାଲିଆ(୩୨)କୁ ପୁଲିସ କାବୁ କରିଛି।
ଖବର ଅନୁସାରେ ପୀୟୂଷ ନିଶା ସେବନ କରି ଗ୍ରାମବାସୀଙ୍କୁ ସବୁବେଳେ ଧମକ ଦେଉଥିଲା। ଏପରିକି ଗ୍ରାମବାସୀ ତା'ର କାର୍ଯ୍ୟକଳାପକୁ ନେଇ ଭୟ କରୁଥିଲେ। ଏହାକୁ ଦାଦା ଦେବେନ୍ଦ୍ର ବାହାଲିଆ(୪୭) ବିରୋଧ କରି ଆସୁଥିଲେ। ତେଣୁ ପୀୟୂଷ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ଥିଲା। ଆଜି ମଧ୍ୟାହ୍ନରେ ଦେବେନ୍ଦ୍ର ଖାଉଥିବା ସମୟରେ ପୁତୁରା ପୀୟୂଷକାନ୍ତ ଏକ କଟୁରିରେ ଦାଦାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ପରେ ତାଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣି ପଡ଼ୋଶୀ ଲୋକମାନେ ପହଞ୍ଚି ସଙ୍ଗେସଙ୍ଗେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ନେଉଥିଲେ। ମାତ୍ର ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ବରୀ ପୁଲିସ ଏ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଫେରାର ହୋଇଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ତାକୁ କାବୁ କରିବାରେ ସକ୍ଷମ ହୋଇଛି।
ଶୋଇଥିବା ବେଳେ ତଣ୍ଟି କାଟି ଯୁବକଙ୍କୁ ହତ୍ୟା
ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ସିମିଳିଭଟା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଘର ଦୁଆରରେ ଶୋଇଥିବାବେଳେ ନୀଳମଣି ଦଣ୍ଡସେନା (୩୨)ଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି। ସ୍ତ୍ରୀ ଚଞ୍ଚଳାଙ୍କ କହିବା ଅନୁସାରେ ମଙ୍ଗଳବଳାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ସେ ଓ ସ୍ୱାମୀ ନୀଳମଣି ଖାଇପିଇ ଶୋଇବାକୁ ଯାଇଥିଲେ। ଘରେ ଶୋଇଥିବାବେଳେ ଗରମ ଲାଗୁଥିବାରୁ ନୀଳମଣି ଦୁଆରେ ଶୋଇଥିଲେ। ରାତିରେ କେହି ତାଙ୍କୁ ହାଣି ଦେଇଛି। ସକାଳେ ୬ଟା ସମୟରେ ଉଠି ଏହା ଦେଖିବାପରେ ସେ ପାଖ ପଡ଼ୋଶୀଙ୍କୁ ଜଣାଇଥିଲେ। ପରେ ଏ ସଂପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା।
ଘଟଣାସ୍ଥଳରେ ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ପୁଲିସ ପହଞ୍ଚିବା ସହିତ ଛାନ୍ଭିନ୍ ଆରମ୍ଭ କରିଥିଲା। ଘଟଣାରେ ପୁଲିସକୁ କୌଣସି ସୁରାକ୍ ମିଳି ନଥିଲା।
ଖବରପାଇ କଳାହାଣ୍ଡି ଏସ୍ପି ଡା. ଶ୍ରବଣା ବିବେକ ଏମ୍ ପହଞ୍ଚିଥିଲେ। ପରେ ଭବାନୀପାଟଣାରୁ ସାଇଣ୍ଟିଫିକ୍ ଟିମ୍ ଓ ରାୟଗଡ଼ାରୁ ଡଗ୍ ସ୍କ୍ବାଡ୍ ସହାୟତାରେ ଲାଞ୍ଜିଗଡ଼ ପୁଲିସ ପକ୍ଷରୁ ଅଧିକ ତଦନ୍ତ କରାଯାଇଥିଲା। ଏନେଇ ଲାଞ୍ଜିଗଡ଼ ଥାନାରେ କେସ୍ ନମ୍ବର-୪୩/୨୦୨୧ରେ ଏକ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/murder.jpg)