ପାରାଦୀପରେ ଯାତ୍ରୀବାହୀ ଜାହାଜ : ବୌଦ୍ଧକୀର୍ତ୍ତି ବୁଲି ଦେଖିଲେ ୬୨ ପର୍ଯ୍ୟଟକ

ଜଗତସିଂହପୁର : ଦୀର୍ଘ ୧୧ବର୍ଷ ପରେ ପାରାଦୀପ ବନ୍ଦରରେ ଏକ ଅନ୍ତର୍ଜାତୀୟ ଯାତ୍ରୀବାହୀ ଜାହାଜ ପହଞ୍ଚିଛି। ‘ସିଲଭର୍‌ ଡିସକଭର କ୍ରୁଜ୍’ ନାମକ ଏହି ଯାତ୍ରୀବାହୀ ଜାହାଜରେ ୬୨ ଜଣ ଯାତ୍ରୀ ଆସିଥିଲେ। ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଏହି ଯାତ୍ରୀମାନଙ୍କୁ ବନ୍ଦର ନ୍ୟାସ ପକ୍ଷରୁ ସ୍ବତନ୍ତ୍ର ଭାବେ ସ୍ବାଗତ କରାଯାଇଥିଲା। ଏହାପରେ ସେମାନେ ରାଜ୍ୟରେ ଥିବା ବୌଦ୍ଧକୀର୍ତ୍ତି ରତ୍ନଗିରି, ଉଦୟଗିରି ଓ ଲଳିତଗିରି ବୁଲି ଦେଖିଥିଲେ।

ସାଧାରଣତନ୍ତ୍ର ଦିବସର ସକାଳ ୭ଟା୩୦ରେ ଏହି ଜାହାଜ ପାରଦୀପ ବନ୍ଦରରେ ପହଞ୍ଚିଥିଲା। ଘନ କୁହୁଡ଼ି ପାଇଁ ସାମାନ୍ୟ ସମସ୍ୟା ସୃଷ୍ଟି ହେବାରୁ ଜାହାଜଟି ନିର୍ଦ୍ଧାରିତ ସମୟରୁ ପ୍ରାୟ ଦେଢ଼ଘଣ୍ଟା ପରେ ବନ୍ଦରରେ ପହଞ୍ଚିଥିଲା। ଏହା ପୂର୍ବରୁ ବନ୍ଦର ନ୍ୟାସ ପକ୍ଷରୁ କ୍ୟାପଟେନ୍‌ ଏକେ ମହାପାତ୍ର ଓ କ୍ୟାପଟେନ୍‌ ଏସି ସାହୁ ପ୍ରମୁଖ ଜାହାଜରେ ଆସିଥିବା ବିଦେଶୀ ଯାତ୍ରୀମାନଙ୍କୁ ସ୍ବାଗତ କରିବା ପାଇଁ ଅପେକ୍ଷା କରି ରହିଥିଲେ। ସ୍ବାଗତ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିୟୋଜିତ ଗାଇଡମାନଙ୍କ ସହ ଏକ ସ୍ବତନ୍ତ୍ର ବସ୍ଏରେ ଏହି ପର୍ଯ୍ୟଟକମାନେ ବୌଦ୍ଧକୀର୍ତ୍ତି ପରିଦର୍ଶନ କରିବା ପାଇଁ ବାହାରି ଯାଇଥିଲେ। ସେଠାରୁ ପର୍ଯ୍ୟଟକମାନେ ଫେରିବା ପରେ ସନ୍ଧ୍ୟା ୫ଟାରେ ଜାହାଜଟି ପାରାଦୀପ ଛାଡ଼ିଥିଲା। ଭାଇଜାଗ୍ ବନ୍ଦରରୁ ଆସିଥିବା ଏହି ଜାହାଜଟି ପାରାଦୀପରୁ ବଙ୍ଗଳାଦେଶ ଅଭିମୁଖେ ଯାତ୍ରା କରିବ। ଋଷିଆରେ ନିର୍ମିତ ଏହି ସାତତାରକା ବିଶିଷ୍ଟ ଜାହାଜର ଲମ୍ବା ୧୦୨.୯୬୫ ମିଟର। ଉଲ୍ଲେଖ୍ୟ, ୨୦୦୭ ମସିହାରେ ମୀନର୍ଭା ନାମକ ଏକ ଯାତ୍ରାବାହୀ ଜାହାଜ ପାରାଦୀପ ବନ୍ଦରକୁ ଆସିଥିଲା। ସେଥିରେ ଥିବା ୩୦୦ ଯାତ୍ରୀ ମଧ୍ୟ ବୌଦ୍ଧକୀର୍ତ୍ତି ଦେଖିବା ପାଇଁ ଆସିଥିଲେ। ମାତ୍ର ପାରାଦୀପର ଟ୍ରାଫିକ୍ ବ୍ୟବସ୍ଥା ଦେଖି ସେମାନେ ଚିନ୍ତିତ ହୋଇ ପଡ଼ିଥିଲେ। ଏଣୁ ବର୍ତ୍ତମାନ ଆସିଥିବା ଏହି ପର୍ଯ୍ୟଟକମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଉଭୟ ରାଜ୍ୟ ସରକାର ଓ ବନ୍ଦର ନ୍ୟାସ ପକ୍ଷରୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦିଆଯାଇଥିଲା ବନ୍ଦରରେ ଯାତ୍ରୀବାହୀ ଜାହାଜ ପହଞ୍ଚିବା ପାରାଦୀପ ପାଇଁ ଏକ ମାଇଲଖୁଣ୍ଟ ସଦୃଶ ହୋଇଛି।

ସମ୍ବନ୍ଧିତ ଖବର