ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ଦିନରେ ପରିଭ୍ରମଣ ସହିତ ଭିତରକନିକା ନଦୀରେ ରାତ୍ରୀଯାପନର ନିଆରା ଅନୁଭୂତି ଦେବାକୁ ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଯାଉଛି କ୍ରୁଜ୍‌ ସେବା। ବିଳାସପୂର୍ଣ୍ଣ ନୌଯାତ୍ରା ସହିତ ବୋଟ୍‌ରେ ରାତ୍ରୀଯାପନ ପାଇଁ ଦୁଇଟି ବିଳାସପୂର୍ଣ୍ଣ ବୋଟ୍‌ କ୍ରୁଜ୍‌ର ରୂପ ନେଇ ଭିତରକନିକାରେ ପହଞ୍ଚି ସାରିଛି। ଆଉ ଦୁଇଟି ଖୁବ୍‌ଶୀଘ୍ର ପହଞ୍ଚିବ ବୋଲି ଜଣାପଡିଛି। ଏକ ଘରୋଇ ସଂସ୍ଥା ଲିଜ୍‌ରେ ନେଇ ଏହି କ୍ରୁଜ୍‌ ଚଳାଇବ। ଦୁଇଟି କାଟାମାରାନ ବୋଟ କ୍ରୁଜ୍‌ର ରୂପ ନେଇ ଭିତରକନିକାର ଗୁପ୍ତି ଠାରେ ପହଞ୍ଚିଛି। ଏହି କ୍ରୁଜ୍‌ ବା ହାଉସ୍‌ ବୋଟରେ ୩ ଜଣ ରାତ୍ରୀଯାପନ କରିପାରିବେ। ଖାଇବା, ରହିବା, ବୁଲିବା ସହିତ କ୍ରୁଜ ଭିତରେ ରାତିରେ ଭିତରକନିକାର ପ୍ରାକୃତିକ ଶୋଭା ଉପଭୋଗ କରିହେବ। ଗୋଟିଏ ରାତି ପାଇଁ ପର୍ଯ୍ୟଟକଙ୍କୁ ୨୫ ହଜାର ଟଙ୍କା ଦେବାକୁ ପଡ଼ିବ। ଗୁପ୍ତି କିମ୍ବା ଡାଙ୍ଗମାଳ ଜେଠିରେ ଏହି ବିଳାସପୂର୍ଣ୍ଣ ବୋଟ୍‌ ଲଙ୍ଗର ପକାଇ ରହିବ। ସେଠାରେ ହିଁ ପର୍ଯ୍ୟଟକ ରାତ୍ରୀଯାପନ କରିବେ ବୋଲି ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି।

Advertisment

ସୂଚନାଥାଉ କି, ଭିତରକନିକାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଇସିଜେଡଏମପି ଅନୁଦାନରେ ୮ ବର୍ଷ ତଳେ ୪ଟି ବିଳାସପୂର୍ଣ୍ଣ ବୋଟ୍‌ ବନବିଭାଗକୁ ହସ୍ତାନ୍ତର କରାଯାଇଥିଲା। ୬ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଆସିଥିବା ଏହି ୪ଟି ବିଳାସପୂର୍ଣ୍ଣ ବୋଟ୍‌ ପର୍ଯ୍ୟଟକଙ୍କୁ ସେବା ଯୋଗାଇବାରେ ଏକ ପ୍ରକାର ବିଫଳ ହୋଇଥିଲା। ଏହି ବିଳାସପୂର୍ଣ୍ଣ ବୋଟ୍‌ ମରାମତିରେ ଯେତିକି ଖର୍ଚ୍ଚ ଦର୍ଶାଯାଇଛି, ତା’ର ୧୦ ଭାଗରୁ ଭାଗେ ରାଜକୋଷକୁ ଆସିନି। ୬ କୋଟି ଟଙ୍କା ବ୍ୟୟରେ ଆସିଥିବା ୪ଟି ବିଳାସପୂର୍ଣ୍ଣ ବୋଟ୍‌ ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ଭିତରକନିକାରେ ଅଧିକାଂଶ ସମୟରେ ଅଚଳ ହୋଇ ପଡି ରହୁଥିଲା। ବୋଟ୍‌ର ଆକାର ବଡ଼ ହୋଇଥିବାରୁ ଓ ଡବଲ ଇଂଜିନ ଥିବାରୁ ଭିତରକନିକାର ସବୁ ସ୍ଥାନକୁ ଏହି ବିଳାସପୂର୍ଣ୍ଣ ବୋଟ୍‌ ଯାଇପାରୁନଥିଲା। ଏପରିକି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ବଗଗହନ, ମଠଆଡିଆ ଓ ଛୋଟ କ୍ରିକ୍‌ ମଧ୍ୟକୁ ଯାଇ ନପାରିବା କାରଣରୁ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିନଥିଲା। ଅଧିକାଂଶ ସମୟ ବୋଟ ଖରାପ ହୋଇ ରହୁଥିବାରୁ ଓ ଚଳାଇବାକୁ ଡ୍ରାଇଭର ମିଳୁ ନ ଥିବାରୁ ଶେଷରେ ଏହାକୁ କ୍ରୁଜ୍‌ ଭାବେ ଚଳାଇବାକୁ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଥିଲା। ୧୮ ଜୁନ, ୨୦୨୨ରେ ଦିଲ୍ଲୀର ହେରିଟେଜ ରିଭର ଜର୍ଣ୍ଣିଂ ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥାକୁ ଏହି ୪ଟି ବିଳାସପୂର୍ଣ୍ଣ ବୋଟ୍‌ ପର୍ଯ୍ୟଟନ ବିଭାଗ ହସ୍ତାନ୍ତର କରିଥିଲା। ଏହି ବୋଟ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେଇ କ୍ରୁଜ କରି ଚଳାଇବାକୁ ଏହି ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା। ଏହି ସଂସ୍ଥା ବାର୍ଷିକ ୫ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟଟନ ବିଭାଗକୁ ଦେବ। କର୍ମଚାରୀ ଓ ଅନ୍ୟାନ୍ୟ ବ୍ୟବସ୍ଥା କରି ନିଜେ ଚଳାଇବ ବୋଲି ନିଷ୍ପତ୍ତି ହୋଇଥିଲା।