ରାୟଗଡ଼ା: ୨୦୨୩ରୁ ସରିଲାଣି ନିର୍ମାଣ ଅବଧି। ଅଥଚ ସରିପାରୁନି ବୃହତ୍ ପାନୀୟ ଜଳପ୍ରକଳ୍ପ। ୬୦୦ କୋଟିର ୪ ପ୍ରକଳ୍ପ ଅଧୁରା ଅବସ୍ଥାରେ ରହିଛି। ତେଣୁ ଗ୍ରୀଷ୍ମରେ ପାଣି ଟୋପାଏ ପାଇଁ ଜିଲ୍ଲାବାସୀ ହନ୍ତସନ୍ତ ହେଉଛନ୍ତି। ଗ୍ରୀଷ୍ମ ପ୍ରକୋପରେ ଜଳଉତ୍ସ ଶୁଖିବା ପରେ ଜିଲ୍ଲାରେ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତ। ୨୦୧୯ରୁ କାଶୀପୁର, ବିଷମକଟକ, ଗୁଣପୁର ଓ କୋଲନରାରେ ଚାଲିଛି ବୃହତ୍ ପାନୀୟ ଜଳ ପ୍ରକଳ୍ପ କାମ। ରାୟଗଡ଼ା ବ୍ଲକ୍ ୪ଟି ପଂଚାୟତର ୪୯ଟି ଗାଁ ଏବଂ କାଶୀପୁର ବ୍ଲକ ୨୪ଟି ପଂଚାୟତର ୪୧୮ଟି ଗାଁକୁ ପାଇପ୍ ଯୋଗେ ଜଳ ଯୋଗାଣ ପାଇଁ ୨୯୮ କୋଟି ୭୦ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ୩ ନଭେମ୍ବର ୨୦୨୧ରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ୨ ନଭେମ୍ବର ୨୦୨୩ରେ ସରିବା କଥା। ଠିକାସଂସ୍ଥା ବିଫଳ ହେବା ପରେ ୩୦ ନଭେମ୍ବର ୨୦୨୪କୁ ସମୟ ସୀମା ବୃଦ୍ଧି କରାଯାଇଛି। ଉଭୟ ବ୍ଲକର ୩୫ ହଜାର ୭ଟି ଘରକୁ ପାଇପ ଯୋଗେ ଜଳଯୋଗାଣ ଲକ୍ଷ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୦ ହଜାର ୨୩୮ ଘରକୁ ପାଇପ ସଂଯୋଗ କାର୍ଯ୍ୟ ସରିଛି।
କୋଲନରା ଓ ରାମନାଗୁଡ଼ା ବ୍ଲକ ପ୍ରକଳ୍ପ ପାଇଁ ୧୧୪ କୋଟି ୬୮ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି। କୋଲନରାର ୮ଟି ପଂଚାୟତର ୭୧ଟି ଗାଁ ଏବଂ ରାମନାଗୁଡ଼ାର ୭ ପଂଚାୟତର ୫୮ଟି ଗାଁ ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପର କାମ ୫ ଅଗଷ୍ଟ ୨୦୨୪ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରହିଛି। ଉଭୟ ବ୍ଲକର ୧୫ ପଂଚାୟତର ୯ ହଜାର ୨୬୪ ଘରକୁ ପାଇପ ସଂଯୋଗ ହେବାକୁ ଥିବା ବେଳେ ୬ ହଜାର ୫୯ ଘରକୁ ପାଇପ ସଂଯୋଗ କାର୍ଯ୍ୟ ସରିଛି। ବିଷମକଟକ ପ୍ରକଳ୍ପ ପାଇଁ ୮୪ କୋଟି ୨୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ପ୍ରକଳ୍ପ ମାଧ୍ୟମରେ ବ୍ଲକର ୨୦ଟି ପଂଚାୟତର ୨୬୪ଟି ଗାଁକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ହେବ। ୧୭ ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇଥିବା ପ୍ରକଳ୍ପ ୧୬ ଡିସେମ୍ବର ୨୦୨୧ରେ ସରିବା କଥା। କିନ୍ତୁ କାମ ସରିନଥିବାରୁ ସମୟ ସୀମା ୩୧ ମେ’ ୨୦୨୪କୁ ବୃଦ୍ଧି କରାଯାଇଛି। ଠିକାସଂସ୍ଥାର ବିଫଳତା ପାଇଁ ପ୍ରକଳ୍ପର ଅଟକଳ ମୂଲ୍ୟ ଉପରେ ୧ ପ୍ରତିଶତ ଫାଇନ୍ ପକାଇଛି ବିଭାଗ। ବ୍ଲକର ୨୦ଟି ପଂଚାୟତର ୨୧ ହଜାର ୨୦୦ ଘର ମଧ୍ୟରୁ ୧୯ ହଜାର ୬୪୪ ଘରକୁ ପାଇପ ସଂଯୋଗ କାର୍ଯ୍ୟ ସରିଲାଣି।
ଗୁଣପୁର ପ୍ରକଳ୍ପ ପାଇଁ ୮୫ କୋଟି ୭୪ଲକ୍ଷର ବ୍ୟୟ ଅଟକଳ ହୋଇଛି। ୧୪ଟି ପଂଚାୟତର ୯୫ଟି ଗାଁକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ଲକ୍ଷ୍ୟ ରହିଛି। ୨୦୧୯ରେ ଆରମ୍ଭ ଏହି ପ୍ରକଳ୍ପ କାମ ୨୦୨୧ ସୁଦ୍ଧା ସରିବା କଥା। କିନ୍ତୁ ଅଧୁରା ଅବସ୍ଥାରେ ରହିଥିବାରୁ ସମୟ ସୀମା ୩୧ ମେ’ ୨୦୨୪କୁ ବୃଦ୍ଧି କରାଯାଇଛି। ବିଳମ୍ବ ପାଇଁ ଏହି ଠିକାସଂସ୍ଥାକୁ ମଧ୍ୟ ଅଟକଳ ମୂଲ୍ୟ ଉପରେ ୧ ପ୍ରତିଶତ ଫାଇନ ପକାଯାଇଛି। ବ୍ଲକର ୧୫ ହଜାର ୧୧୭ ଘର ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୩ ହଜାର ୫୩୯ ଘରକୁ ପାଇପ ସଂଯୋଗ କାର୍ଯ୍ୟ ସରିଛି।
ଆର୍ଡବ୍ଲୁଏସ୍ଏସ୍ ନିର୍ବାହୀ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ନାୟକ କହିଛନ୍ତି ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରି ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। କାଶୀପୁର ପ୍ରକଳ୍ପ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାର ଏବଂ ବିଷମକଟକ, କୋଲନରା ଓ ଗୁଣପୁର ପ୍ରକଳ୍ପ ପାଇଁ ବଂଶଧାରା ପାଣି ଉପଯୋଗ କରାଯିବ।