ଭୁବନେଶ୍ବର: ହଜାରେ କୋଟିର କ୍ରିପ୍ଟୋ କରେନ୍ସି ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଆଜି ଦୁଇ ଅଭିଯୁକ୍ତ ଗୁରୁତେଜ ସିଂ ସିଦ୍ଧୁ ଓ ନିରୋଦ ଦାସଙ୍କୁ ରିମାଣ୍ଡରେ ଆଣିଛି। ଇଓଡବ୍ଲୁ ପକ୍ଷରୁ ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁଙ୍କୁ ୫ ଦିନିଆ ରିମାଣ୍ଡରେ ନେବାଲାଗି ଆବେଦନ କରାଯାଇଥିଲା। ତେବେ ଅଦାଲତ ୩ ଦିନ ପାଇଁ ଅନୁମତି ଦେଇଛନ୍ତି। ଆଜି ପ୍ରଥମ ଦିନରେ ଉଭୟଙ୍କୁ ବଲିଡଉ୍ ଲିଙ୍କ୍, ବିଦେଶ ଓ ଆର୍ଥିକ କାରବାର ନେଇ ମାରାଥନ ଜେରା କରାଯାଇଛି। ଅଭିନେତା ଗୋବିନ୍ଦାଙ୍କ ବ୍ୟତୀତ ବଲିଉଡ୍ର ଆଉ କେଉଁ ଅଭିନେତା ବା ଅଭିନେତ୍ରୀ ସଂସ୍ଥା ପାଇଁ ପ୍ରଚାର କରିଥିଲେ, ସେଥିପାଇଁ ସେମାନଙ୍କୁ କେତେ ଟଙ୍କା ଦିଆଯାଉଥିଲା, ସଂସ୍ଥା ଆର୍ବିଆଇ ସ୍ବୀକୃତିପ୍ରାପ୍ତ ହୋଇ ନଥିବାବେଳେ କେଉଁ ପରିସ୍ଥିତିରେ ତାରକାମାନେ ସଂସ୍ଥାର ପ୍ରଚାର ପାଇଁ ଯାଇଥିଲେ, ସଂସ୍ଥାର ବାସ୍ତବତା ନେଇ ଯାଞ୍ଚ କରିଥିଲେ ନା ଅର୍ଥ ଲୋଭରେ କରିଥିଲେ; ଏସବୁ ପ୍ରସଙ୍ଗରେ ଏବେ ଖୋଳତାଡ଼ ଚାଲିଛି। ଦରକାର ପଡ଼ିଲେ ଉକ୍ତ ବଲିଉଡ୍ ତାରକାମାନଙ୍କୁ ମଧ୍ୟ ଜେରା କରାଯାଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି।
ତିନିଦିନିଆ ରିମାଣ୍ଡରେ ଗୁରୁତେଜ୍ ଓ ନିରୋଦ
ଆର୍ଥିକ କାରବାର ତଥ୍ୟ ପାଇଁ ବ୍ୟାଙ୍କକୁ ଚିଠି
ସୋସିଆଲ୍ ମିଡିଆ ସଂପର୍କର ବି ହେବ ଯାଞ୍ଚ
ଏହି ସଂସ୍ଥା ମୁଖ୍ୟତଃ ୟୁରୋପର ଆଇସ୍ଲ୍ୟାଣ୍ଡରୁ ପରିଚାଳତ ହେଉଥିଲା, ଏହାର ମୁଖ୍ୟ ଡେଭିଡ୍ ଗେଜ୍ ବିଭିନ୍ନ ସମୟରେ ଭାରତକୁ ଆସି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ବୁଲି ରାତାରାତି ଧନୀ ହେବାର ସ୍ବପ୍ନ ଦେଖାଇ ଲୋକଙ୍କୁ ସଦସ୍ୟ ହେବାକୁ ପ୍ରବର୍ତ୍ତାଉଥିଲେ। ତେଣୁ ମାମଲାର ବିଦେଶ ଲିଙ୍କ୍ ନେଇ ମଧ୍ୟ ତଦନ୍ତ ହେଉଛି। କେଉଁମାନେ ବିଦେଶରୁ ଆସିଥିଲେ, କେଉଁମାନଙ୍କୁ ସଂସ୍ଥା ବିଦେଶ ପଠାଇଛି, ସେମାନଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି, ଅଭିଯୁକ୍ତ ଦୁଇଜଣ କେତେଥର ବିଦେଶ ଯାଇଥିଲେ ଓ କେଉଁ କେଉଁ ସ୍ଥାନକୁ; ଏହାର ମଧ୍ୟ ଖୋଳତାଡ଼ ହେଉଛି। ଉଭୟଙ୍କ ପାସ୍ପୋର୍ଟ ଯାଞ୍ଚ କରାଯାଇଛି। ଏହାସହିତ ଆର୍ଥିକ କାରବାର ତଥ୍ୟ ପାଇଁ ସଂପୃକ୍ତ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖାଯାଇଛି। ଯେହେତୁ ନିରୋଦର ବ୍ୟାଙ୍କ ଆକାଉଣ୍ଟରେ ୩୦ କୋଟି ଟଙ୍କାର ବେଆଇନ୍ ଅର୍ଥ କାରବାର ହୋଇଥିବା ଜଣାପଡ଼ିଛି ଏବଂ ଗୋଟିଏ ଗୋଟିଏ ଦିନରେ ଲକ୍ଷ ଲକ୍ଷ ଟଙ୍କା ଜମା କରାଯାଉଥିବା ଜଣାପଡ଼ିଛି, ତେଣୁ ଅନ୍ୟମାନଙ୍କ ଆକାଉଣ୍ଟରେ ମଧ୍ୟ ଆହୁରି ଢ଼େର୍ ଅର୍ଥ କାରବାର ହୋଇଥିବ ବୋଲି ଅନୁମାନ କରା ଯାଉଛି। କେଉଁ କେଉଁ ଆକାଉଣ୍ଟରୁ ଏମାନଙ୍କ ପାଖକୁ କେତେ ଟଙ୍କା ଆସିଛି, ଏମାନେ କେଉଁ କେଉଁ ଆକାଉଣ୍ଟକୁ ବା କାହାକୁ କେତେ ଟଙ୍କା ପଠାଇଛନ୍ତି, ଏସବୁ ତଥ୍ୟ ହାତେଇବାକୁ ଇଓଡବ୍ଲୁ ଉଦ୍ୟମ ଚଳାଇଛି। ସେହିପରି ଅଭିଯୁକ୍ତ ଦୁହେଁ ବ୍ୟବହାର କରୁଥିବା ଫେସ୍ବୁକ୍ ଆକାଉଣ୍ଟ ଠାରୁ ଆରମ୍ଭ କରି ହ୍ବାଟସ୍ଆପ୍, ୟୁଟ୍ୟୁବ୍ ଭଳି ସୋସିଆଲ୍ ମିଡିଆ ଯୋଗେ କେଉଁ କେଉଁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିଲେ, ଏହା ମଧ୍ୟ ଯାଞ୍ଚ କରାଯାଉଛି। ଏଥିପାଇଁ ଏହି ସୋସିଆଲ୍ ମିଡିଆ ସଂସ୍ଥାଗୁଡ଼ିକୁ ଚିଠି କରାଯାଇଛି। ସମସ୍ତ ତଥ୍ୟ ମିଳିବାପରେ ଏହି ଠକେଇ ରୢାକେଟ୍ର ଅନେକ ଗୁମର ଖୋଲିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ ଯେ ଦେଶରୁ ପ୍ରାୟ ହଜାରେ କୋଟି ଟଙ୍କା ଠକେଇ କରିଥିବା ଏହି ରୢାକେଟ୍ର ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁକୁ ଗତକାଲି, ଅର୍ଥାତ ସୋମବାର ଦିନ ଇଓଡବ୍ଲୁ ଟିମ୍ ରାଜସ୍ଥାନର ଗଙ୍ଗାନଗରରୁ ଗିରଫ କରିଥିବାବେଳେ ପୂର୍ବରୁ ସଂସ୍ଥାର ଓଡ଼ିଶା ମୁଖ୍ୟ ଭଦ୍ରକର ନିରୋଦ ଦାସକୁ ଗିରଫ କରାଯାଇଥିଲା। ତେବେ ସଂସ୍ଥାର ମୁଖ୍ୟ ହଙ୍ଗେରିର ଡେଭିଡ୍ ଗେଜ୍ ଏବେ ବି ଇଓଡବ୍ଲୁ ଠାରୁ ଅପହଞ୍ଚ ହୋଇ ରହିଛି।