ବିଧାନସଭା ସମ୍ମୁଖରେ ସିଏସ୍‌ଡିର ରଣହୁଙ୍କାର, ‘ତୁରନ୍ତ ନୂଆ ଜଙ୍ଗଲ ସଂରକ୍ଷଣ ନିୟମାବଳୀ ପ୍ରତ୍ୟାହାର କର’

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ନୂଆ ଜଙ୍ଗଲ ସଂରକ୍ଷଣ ନିୟମାବଳୀ-୨୦୨୨କୁ ବିରୋଧ କରି ଗୁରୁବାର ଦିନ ରାଜଧାନୀରେ ଗର୍ଜିଛି ‘ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଅଭିଯାନ’ ତଥା କ୍ୟାମ୍ପେନ୍‌ ଫର୍‌ ସର୍ଭାଇଭାଲ୍‌ ଉଇଥ୍‌ ଡିଗ୍‌ନିଟି (ସିଏସ୍‌ଡି)। କର୍ପୋରେଟ ସଂସ୍ଥାମାନଙ୍କ ସ୍ଵାର୍ଥରେ ଜଙ୍ଗଲ ଜମି ଅଧିଗ୍ରହଣକୁ ସୁଗମ କରିବାକୁ ସରକାର ନୂତନ ଜଙ୍ଗଲ ସଂରକ୍ଷଣ ନିୟମାବଳୀ ଆଣିଛନ୍ତି। ଆଦିବାସୀ ଏବଂ ଜଙ୍ଗଲ ବାସିନ୍ଦାଙ୍କ ଅଧିକାରକୁ ଛଡ଼ାଇ ନେବା ପାଇଁ ଏହା ଏକ ସୁପରିକଳ୍ପିତ ଯୋଜନା ବୋଲି ପ୍ରକାଶ କରି ସଙ୍ଗଠନ କ୍ଷୋଭ ପ୍ରକାଶ କରିଛି। ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇ ଆଦିବାସୀ ବିରୋଧୀ ନିୟମକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।

ସଂଗଠନର ନେତୃବୃନ୍ଦ କହିଛନ୍ତି ଯେ, କେନ୍ଦ୍ର ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଜଙ୍ଗଲ ସଂରକ୍ଷଣ ଆଇନ -୧୯୮୦ର ପରିବର୍ତ୍ତନ କରିବାପାଇଁ ଜଙ୍ଗଲ ସଂରକ୍ଷଣ ନିୟମାବଳୀ-୨୦୨୨ ଅଣାଯାଇଛି। ଏହା ଅନୁମୋଦନ ହୋଇଗଲେ ଜଙ୍ଗଲ ଭିତରେ ବସବାସ କରୁଥିବା ଆଦିବାସୀ ଓ ବନବାସୀମାନଙ୍କ ଜଙ୍ଗଲ ଅଧିକାର ଆଇନ-୨୦୦୬ ଦେଇଥିବା ଆଇନଗତ କ୍ଷମତା ଆଉ ରହିବ ନାହିଁ। ଦେଶୀ ବିଦେଶୀ ପୁଞ୍ଜିପତିଙ୍କୁ ଜଙ୍ଗଲ ଜମିକୁ ହସ୍ତାନ୍ତର କରିବାପାଇଁ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ। ସଂଶୋଧନ ହେବାକୁ ଯାଉଥିବା ଏହି ନିୟମ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କର ଜଙ୍ଗଲ ଅଧିକାର (ସ୍ୱୀକୃତି) ଆଇନ-୨୦୦୬କୁ ସମ୍ପୂର୍ଣ୍ଣ ଭାବରେ ଉଲଙ୍ଘନ କରୁଥିବା ବେଳେ ଏହା ସମ୍ବିଧାନର ଧାରା ୨୪୪(୧) ଅନୁଯାୟୀ ଅନୁସୂଚିତ ଅଞ୍ଚଳକୁ ଦେଇଥିବା ସ୍ୱତନ୍ତ୍ର କ୍ଷମତା ଅନୁଯାୟୀ କାର୍ଯ୍ୟକାରୀ ହେଉଥିବା ‘ପେସା ଆଇନ-୧୯୯୬’ କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଉଲଙ୍ଘନ କରୁଛି।

ତେଣୁ ତୁରନ୍ତ ଏହାକୁ ଉଚ୍ଛେଦ କରାନଗଲେ ଆନ୍ଦୋଳନକୁ ଅଧିକ ତୀବ୍ରତର କରାଯିବ ‌ବୋଲି ସଙ୍ଗଠନ ଚେତାବନୀ ଦେଇଛି। ‌ଆଜିର ବିକ୍ଷୋଭରେ ସଂଗଠନର ରାଜ୍ୟ ଆବାହକ ଗୋପୀନାଥ ମାଝୀ, ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ଆବାହକ ମଣ୍ଡଳୀ ସଦସ୍ୟ ପ୍ରଦୀପ ସାହୁ, ନରେନ୍ଦ୍ର ମହାନ୍ତି, ଶ୍ରୀଚରଣ ବେହେରା, ସାଲ ମାରାଣ୍ଡି, ମଦନ ମାରାଣ୍ଡି, ପୂର୍ଣ୍ଣ ମଲ୍ଲିକ, ତ୍ରିଲୋଚନ ପୁଞ୍ଜି, ବଳଭଦ୍ର ମଲ୍ଲିକ, କାର୍ମି ବେସ୍ରା ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର