ମଣିଷ, ପ୍ରକୃତି, ଭଗବାନ ଓ ବିଜ୍ଞାନ ମଧ୍ୟରେ ଭାବଗତ ସମନ୍ୱୟ ଏକାନ୍ତ ଜରୁରୀ : ରାଜ୍ୟପାଳ

ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସଂଧାନ ପରିଷଦର ପ୍ରତିଷ୍ଠା ଦିବସ 

ଭୁବନେଶ୍ୱର : ବିଜ୍ଞାନ ଅଜ୍ଞାନ, ଅଂଧାର, କୁସଂସ୍କାର ଓ ସଂଶୟକୁ ଦୂର କରି ଶୃଙ୍ଖଳା, ବିଚାରବୋଧ ଓ ହେତୁଭିତ୍ତିକ ଚେତନା ପ୍ରତିଷ୍ଠା କରିଥାଏ। ସଭ୍ୟତାର ବିକାଶରେ ବିଜ୍ଞାନର ଯଥେଷ୍ଟ ଅବଦାନ ରହିଛି। ମଣିଷ, ପ୍ରକୃତି, ଭଗବାନ ଓ ବିଜ୍ଞାନ ମଧ୍ୟରେ ଭାବଗତ ସମନ୍ୱୟ ରହିଲେ ସଭ୍ୟତାର ବିକାଶ ଆହୁରି ଗତିଶୀଳ ଓ ଅର୍ଥପୂର୍ଣ୍ଣ ହୋଇପାରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।

ଭୁବନେଶ୍ୱରସ୍ଥିତ ଖଣିଜ ଏବଂ ପଦାର୍ଥ ପ୍ରାଦ୍ୟୋଗିକୀ ସଂସ୍ଥାନରେ ଆୟୋଜିତ ବୈଜ୍ଞାନିକ ତଥା ଔଦ୍ୟୋଗିକ ଅନୁସଂଧାନ ପରିଷଦର ୭୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ପଦାର୍ଥର ଉଦ୍ଭବ ଚେତନାରୁ ହୋଇଛି। ଏବଂ ସମସ୍ତ ବୈଜ୍ଞାନିକ ଅନ୍ୱେଷଣ ଓ ଅନୁଶୀଳନ ଏହି ମୌଳିକ ତତ୍ତ୍ୱ ଆଧାରରେ ହେବା ଦରକାର। ସମଗ୍ର ପୃଥିବୀ ପଞ୍ଚଭୂତରେ ତିଆରି। ମଣିଷର ଗଠନ ଓ ଖଣିଜ ପଦାର୍ଥର ଗଠନ ଏହି ପାଞ୍ଚ ତତ୍ତ୍ୱକୁ ନେଇ। ପୃଥିବୀର ସମସ୍ତ ବସ୍ତୁ, ପଦାର୍ଥ ଓ ଜୀବ ମଧ୍ୟରେ ଏକ ଈଶ୍ୱରୀୟ ସଂପର୍କ ରହିଛି। ଏଣୁ ପରିବେଶର ସୁରକ୍ଷା ଆମ ଜୀବନ ଚର୍ଯ୍ୟାରେ ସ୍ଥାନ ପାଇବା ଦରକାର। ବୈଜ୍ଞାନିକ ଅଗ୍ରଗତିର ସୁଫଳ ସମାଜର ତଳ ସ୍ତରକୁ ଯେପରି ପହଂଚିପାରିବ ସେଥିପ୍ରତି ଯତ୍ନବାନ ହେବାକୁ ରାଜ୍ୟପାଳ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଥିଲେ।

ଖଣିଜ ଓ ପ୍ରାଦ୍ୟୋଗିକୀ ସଂସ୍ଥାନର ନିର୍ଦ୍ଦେଶକ ପ୍ରଫେସର ଏସ୍.ବସୁ, ଇଂଡ଼ିଆନ ରେୟାର ଆର୍ଥ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ଼ି.ସିଂ, ବୈଜ୍ଞାନିକ ଏସ୍.କେ. ମହାନ୍ତି ପ୍ରମୁଖ ସଂସ୍ଥାନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ସ୍ମରଣିକା ‘ଅଭିବ୍ୟକ୍ତି’କୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର