ସିଏଜି ରିପୋର୍ଟ: ସର୍ବାଧିକ ସିଏସ୍‌ଆର୍‌ ଖର୍ଚ୍ଚ ଓଡ଼ିଶାରେ

ନୂଆଦିଲ୍ଲୀ: କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) ବାବଦରେ କଂପାନିଗୁଡ଼ିକ ସର୍ବାଧିକ ପାଣ୍ଠି ଓଡ଼ିଶାରେ ଖର୍ଚ୍ଚ କରିଛନ୍ତି। ସଂସଦରେ ଉପସ୍ଥାପନ କରାଯାଇଥିବା ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି। ଓଡ଼ିଶାରେ ୩୮୭.୮୬ କୋଟି ଟଙ୍କାର ସିଏ୍‌ସଆର୍‌ ପାଣ୍ଠି ଖର୍ଚ୍ଚ କରାଯାଇଛି, ଯାହା ଦେଶରେ ସର୍ବାଧିକ। ଓଡ଼ିଶା ପରେ ଛତିଶଗଡ଼ରେ ୩୦୩.୯୦ କୋଟି ଟଙ୍କା, ଗୁଜରାଟରେ ୨୭୮.୫୬ କୋଟି ଟଙ୍କା ଏବଂ ଉତ୍ତର ପ୍ରଦେଶରେ ୨୪୨.୨୭ କୋଟି ଟଙ୍କା ସିଏସଆର ପାଣ୍ଠିରୁ ଖର୍ଚ୍ଚ କରାଯାଇଛି।

ଏଆଇଏଟିଏସ୍‌ଏଲ, କନ୍‌କୋର୍‌ ଏୟାର୍‌ , ଜିଏସ୍‌ଏଲ, ଏମ୍‌ସିଏ୍‌ଲ, ମିଧାନି, ଏନ୍‌ଟିପିଏଲ୍‌ ଏବଂ ପିଏଚ୍‌ଏଲ୍‌ ଭଳି ସଂସ୍ଥା ଦ୍ବାରା କେବଳ ଓଡ଼ିଶା, ରାଜସ୍ଥାନ, ମହାରାଷ୍ଟ୍ର, ଗୋଆ, ତେଲେଙ୍ଗାନା, ତାମିଲନାଡୁ ଓ ଦାଦରା ଓ ନଗର ହାବେଳୀରେ ସିଏସଆର ବାବଦରେ ପାଣ୍ଠି ଖର୍ଚ୍ଚ କରାଯାଇଛି। ରିପୋର୍ଟ ଅନୁସାରେ ୨୦୧୭-୧୮ରେ ସମୁଦାୟ ୩୩୩୮.୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଦେଶର ୭ଟି ମହାରତ୍ନ ଉଦ୍ୟୋଗ ୧୩୬୫.୩୬ କୋଟି ଟଙ୍କା, ୧୪ଟି ନବରତ୍ନ ଉଦ୍ୟୋଗ ୯୯୦.୩୬ କୋଟି ଟଙ୍କା, ୪୪ଟି ମିନିରତ୍ନ ଉଦ୍ୟୋଗ ୮୬୪.୧୭ କୋଟି ଟଙ୍କା ଏବଂ ୧୭ ଅନ୍ୟ ଉଦ୍ୟୋଗ ୧୧୮.୫୧ କୋଟି ଟଙ୍କା ସିଏସ୍‌ଆର୍‌ ବାବଦରେ ଖର୍ଚ୍ଚ କରିଛନ୍ତି।

ସିଏଜି ରିପୋର୍ଟରେ ଓଏନ୍‌ଜିସି ସମୁଦାୟ ସିଏସଆର ଖର୍ଚ୍ଚରୁ ୧୫.୦୮ ପ୍ରତିଶତ ଖର୍ଚ୍ଚ କରିଥିବା ଉଲ୍ଲେଖ ଅଛି। ଓଏନଜିସି ପରେ ଆଇଓସିଏଲ, ଏମ୍‌ସିଏଲ, ଏନ୍‌ଟିପିସି ଓ ଏନ୍‌ଏମ୍‌ଡିସି ମଧ୍ୟ ପାଣ୍ଠି ଖର୍ଚ୍ଚ କରିବାରେ ଅଗ୍ରଣୀ ସ୍ଥାନରେ ରହିଛନ୍ତି। ୮୨ଟି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ବାରା ୧୦ଟି କ୍ଷେତ୍ରରେ ସର୍ବାଧିକ ରାଶି ଖର୍ଚ୍ଚ କରାଯାଇଥିଲା। ପେଟ୍ରୋଲିୟମ କ୍ଷେତ୍ରରେ ୧୪୧୬.୧୨ କୋଟି ଟଙ୍କା, କୋଇଲା ଓ ଖନନ କ୍ଷେତ୍ରରେ ୫୨୪.୪୯ କୋଟି ଟଙ୍କା, ଉର୍ବରକ କ୍ଷେତ୍ରରେ ୧୦.୭୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି। ଏମ୍‌ସିଏଲ୍‌ ୨୬୭.୫୨ କୋଟି ଟଙ୍କା ଓ ନାଲ୍‌କୋ ୨୯.୦୧ କୋଟି ଟଙ୍କା ସିଏସ୍‌ଆର ବାବଦରେ ଖର୍ଚ୍ଚ କରିଥିଲେ। ୨୦୧୬-୧୭ରେ ନାଲକୋ ଦ୍ବାରା ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ବଜେଟ୍‌ର ଶତ ପ୍ରତିଶତ ଉପଯୋଗ କରାଯାଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର