ରାୟଗଡ଼ା: ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍ ମୁକାବିଲା, ଭିଭିଆଇପିଙ୍କ ସୁରକ୍ଷା, ଜନସାଧାରଣଙ୍କୁ ତ୍ବରିତ୍ ନ୍ୟାୟ ପ୍ରଦାନ କରିବାକୁ ରାୟଗଡ଼ାରେ ପ୍ରତିଷ୍ଠା ହେବ ସିଟି ଡିଏସପି କାର୍ଯ୍ୟାଳୟ। ଏ ଦିଗରେ ଖୁବ୍ ଶୀଘ୍ର ପଦକ୍ଷେପ ନେବାକୁ ରାଜ୍ୟ ସରକାର ଓ ପୁଲିସ୍ ମହାନିର୍ଦେଶକଙ୍କୁ ପ୍ରସ୍ତାବ ପଠାଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା। ରାୟଗଡ଼ା ଓ ଚାନ୍ଦିଲି ଥାନାକୁ ନେଇ ସିଟି ଡିଏସପି କାର୍ଯ୍ୟାଳୟ କାମ କରିବ ବୋଲି ପ୍ରାଥମିକ ସୂଚନା ମିଳିଛି।

Advertisment

ରାୟଗଡ଼ା ଉପଖଣ୍ଡ ପୁଲିସ୍ ଅଧିକାରୀଙ୍କ ଅଧୀନରେ ବର୍ତ୍ତମାନ ୮ଟି ଥାନା ରହିଛି। ରାୟଗଡ଼ା ବ୍ଲକର ରାୟଗଡ଼ା, ଚାନ୍ଦିଲି, ଶେଷଖାଲ, କାଶୀପୁର ବ୍ଲକର ଟିକିରି, ଦୋରାଗୁଡା, କାଶୀପୁର, ଅଣ୍ଡିରାକଞ୍ଚ, ମାଇକଞ୍ଚ ଥାନା ସମେତ ୫ଟି ଫାଣ୍ଡି ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ଦିଗରେ କାମ କରୁଛନ୍ତି। ଜଣେ ଏସଡିପିଓଙ୍କ ଅଧୀନରେ ୮ଟି ଥାନା ରହୁଥିବାରୁ ମାମଲା ପରିଚାଳନା, ଲୋକଙ୍କୁ ନ୍ୟାୟ ପ୍ରଦାନ, ଟ୍ରାଫିକ୍ ମୁକାବିଲା ଭଳି ବିଭିନ୍ନ କ୍ଷେତ୍ରରେ ପୁଲିସକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅନ୍ୟ ପକ୍ଷରେ ରାୟଗଡ଼ା ଏସଡିପିଓଙ୍କ ଅଧୀନରେ ୩ଟି ପ୍ରମୁଖ ଶିଳ୍ପାନୁଷ୍ଠାନ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍, ଜେକେ କାଗଜକଳ, ଇମ୍ଫା ସମେତ ଅନେକ ଖଣି ଓ କ୍ଷୁଦ୍ର, ମଧ୍ୟମ ଶିଳ୍ପାନୁଷ୍ଠାନ ରହିଛନ୍ତି। ଧୀରେ ଧୀରେ ରାୟଗଡ଼ା ଶିଳ୍ପ ସମୃଦ୍ଧ ହେବାରେ ଲାଗିଥିବା ବେଳେ ଆଗକୁ ନୂତନ ରେଳ ଡିଭିଜନ୍ ମଧ୍ୟ କାର୍ଯ୍ୟ କରିବାକୁ ଯାଉଛି।

ରାୟଗଡ଼ା ସହରର ଜନସଂଖ୍ୟା ୧ ଲକ୍ଷ ନିକଟତର ହେବାରେ ଲାଗିଥିବାରୁ କେବଳ ରାୟଗଡ଼ା ଥାନା ଦ୍ବାରା ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରୁଛି ପୁଲିସ୍। ଜିଲ୍ଲା ସଦର ମହକୁମାରେ ଆଜି ପର୍ଯ୍ୟନ୍ତ ମହିଳା ଥାନା କିମ୍ବା ସଦର ଥାନା ପ୍ରତିଷ୍ଠା ହୋଇପାରିନି। ମହିଳା ଥାନା ପ୍ରତିଷ୍ଠା ପାଇଁ ବହୁ ଦିନରୁ ପ୍ରସ୍ତାବ ଯାଇଥିଲେ ମଧ୍ୟ ରାଜ୍ୟ ସରକାର ପ୍ରସ୍ତାବକୁ ବିଚାରକୁ ନେଇ ନାହାନ୍ତି। ଫଳରେ ଥାନା ପରିସରରେ ଥିବା ମହିଳା ଓ ଶିଶୁ ଡେସ୍କ ଦ୍ବାରା ମହିଳା, ଶିଶୁ ସଂପର୍କିତ ମାମଲା ପରିଚାଳନା ହେଉଛି। ରାୟଗଡ଼ା ଥାନା ଅଧୀନରେ ୭ଟି ପଞ୍ଚାୟତ, ଗୋଟିଏ ପୌର ପରିଷଦ ଥିବାରୁ ସମସ୍ତ ଅଞ୍ଚଳରେ ଉପଯୁକ୍ତ ପେଟ୍ରୋଲିଂ ମଧ୍ୟ ହୋଇପାରୁନି। ଦିନକୁ ଦିନ ରାୟଗଡ଼ା ଥାନାରେ ମାମଲା ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ମଧ୍ୟ ଥାନାରେ ନାହାନ୍ତି।  ଚୋରି, ଡକାୟତି ରୋକିବାକୁ ପୁଲିସ୍ ପକ୍ଷରୁ ସହରର ୩ ପ୍ରମୁଖ ସ୍ଥାନରେ ନାକାବନ୍ଦୀ ଲଗାଯିବା ପରେ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ସେହିପରି ଚାନ୍ଦିଲି ଥାନା ଅଧୀନରେ ରାୟଗଡ଼ା ଓ କୋଲନରା ବ୍ଲକର ବହୁ ପଞ୍ଚାୟତ ରହିଛି। କୋଲନରା ବ୍ଲକରେ ଥାନା ପ୍ରତିଷ୍ଠା ହୋଇନଥିବାରୁ ମୁକୁନ୍ଦପୁର, ଥେରୁବାଲିରେ ଦୁଇଟି ଫାଣ୍ଡି ରହିଛି।

ବିଶାଖାପାଟଣା-ରାୟପୁର ପ୍ରମୁଖ ରାଜପଥ ସମେତ ୩୨୬ ନଂ ଜାତୀୟ ରାଜପଥ ରାୟଗଡ଼ା ନେଇ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ସଂଯୋଗ କରିଥିବାରୁ ପ୍ରତିଦିନ ଶହ ଶହ ମାଲବାହୀ ଟ୍ରକ୍, ଟ୍ରଲର ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ଦିନରେ ରାୟଗଡ଼ା ସହରରେ ଟ୍ରାଫିକ୍ ସମସ୍ୟା ଜଟିଳ ହେଉଥିବାରୁ ଟ୍ରାଫିକ୍ ପରିଚାଳନାରେ ପୁଲିସକୁ ନାକେଦମ୍ ହେବାକୁ ପଡୁଛି। ରାଜ୍ୟର ଅନ୍ୟ ପ୍ରମୁଖ ସହର ଭଳି ରାୟଗଡ଼ାରେ ନୋ-ଏଣ୍ଟ୍ରି ନିୟମ କାର୍ଯ୍ୟକାରୀ ହୋଇନଥିବାରୁ ବହୁ ସମୟରେ ଦୁର୍ଘଟଣା ଘଟି ଜନଜୀବନ ହାନି ହେଉଛି। ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ପୁଲିସ୍ ପକ୍ଷରୁ ସହରରେ ୪୩ଟି ସ୍ଥାନରେ ସିସିଟିଭି ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି। ସିଟି ଡିଏସପି କାର୍ଯ୍ୟାଳୟ ପ୍ରତିଷ୍ଠା ହେଲେ ଆଇନ ଶୃଙ୍ଖଳା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା।