ସିଟି ସ୍କାନ ଓ ଏମଆରଆଇ ସ୍କାନ ସେବା  ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆସିବନି

ଜୟପୁର: ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୋରାପୁଟରୁ ଜୟପୁରକୁ ସ୍ଥାନାନ୍ତର ହୋଇ ତିନି ବର୍ଷ ବିତିଲାଣି। ତଥାଫି ଏବେ ପର୍ଯ୍ୟନ୍ତ ପୂର୍ବରୁ କୋରାପୁଟ ଠାରେ ଥିବା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ସମସ୍ତ ବୈଷୟିକ ବିଭାଗ, ନିଦାନ କେନ୍ଦ୍ର , ସିଟିସ୍କାନ  ଓ କେନ୍ଦ୍ରୀୟ ଔଷଧାଗାର ଏ ପର୍ଯ୍ୟନ୍ତ ଆସିପାରି ନାହିଁ। ୭ମହଲା ବିଶିଷ୍ଟ ଜିଲ୍ଲାମୁଖ୍ୟଚିକିତ୍ସାଳୟର ନିର୍ମାଣ ସଂପ୍ରତି ଜାରୀ ରହିଛି। ତେବେ ନିର୍ମାଣ ସରିବା ପରେ ବି ଏଠାକୁ ଆଉ ସିଟି ସ୍କାନ ଓ ଏମଆରଆଇ ଭଳି ସେବା ଉପଲବ୍ଧ ହେବ ନା ନାହିଁ ତାହାକୁ ନେଇ ସାଧାରଣ‌ରେ ସଂଦେହ ଦେଖାଦେଇଛି।

ଅପରପକ୍ଷରେ ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ ଜୟପୁର ଜିଲ୍ଲାମୁଖ୍ୟଚିକିତ୍ସାଳୟକୁ ସିଟି ସ୍କାନ ମେସିନ୍ କିମ୍ବା ଏମଆରଆଇ ଆସିବ ନାହିଁ ତାହା ସ୍ପଷ୍ଟ କରିଛନ୍ତି। ସଂପ୍ରତି କୋରାପୁଟ ଏସଏଲଏନ୍ ବଡ ଡାକ୍ତରଖାନାରେ ସରକାରୀ ଓ ବେସରକାରୀ ଭାଗିଦାରୀରେ ସିଟି ସ୍କାନ ଡାଇଗ୍ନୋଷ୍ଟିକ ସେବା ଉପଲବ୍ଦ କରାଯାଉଥିବା ମନ୍ତ୍ରୀ କହିଛନ୍ତି। ସେଭଳି ବଡଡାକ୍ତରଖାନାରେ ହିଁ ଏମଆରଆଇ ସ୍କାନ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ରହିବା ସହ ଅନୁମୋଦିତ ବି ‌ହୋଇଯାଇଛି। ଏଥି ପାଇଁ ଆନୁସଙ୍ଗିକ ଭିତ୍ତିଭୂମି ଆସନ୍ତା ଛଅ ମାସ ମଧ୍ୟରେ ସଂପୁର୍ଣ୍ଣ କରାଯିବା ଲକ୍ଷ୍ୟ ରହିଛି। ଏହା ଉପଲବ୍ଦ ହେବା ପରେ ଓଏସଏମସିଏଲ୍ ଭୁବନେଶ୍ବର ଦ୍ବାରା ଏମଆରଆଇ ସ୍କାନ ମେସିନ୍ ବସାଯାଇ ସେବା ଆରମ୍ଭ କରାଯିବ।

ଏହି ରିପୋର୍ଟ ଅନୁଧ୍ୟାନ କରିବା ପାଇଁ ଜଣେ ବିଶେଷଞ ଡାକ୍ତରଙ୍କର ଆବଶ୍ୟକତା ବି ରହିଥିବାରୁ ବଡଡାକ୍ତରଖାନାରେ ଉପଲବ୍ଧ ଥିବାରୁ ସେଠାରେ ଆରମ୍ଭ କରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଜୟପୁର ଠାରୁ କୋରାପୁଟ ମାତ୍ର ୨୨କିଲୋ ମିଟର ଦୁରତା ହେବ ବୋଲି କହିଛନ୍ତି। ଜିଲ୍ଲାମୁଖ୍ୟଚିକିତ୍ସାଳୟ ଉପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲାକାନଗିରୀ, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ୫ଟି ବ୍ଲକର ଲୋକେ ସଂପୁର୍ଣ୍ଣ ରୁପେ ନିର୍ଭର । କୋରାପୁଟ ଠାରୁ ଏମାନଙ୍କ ଗାଁର ଦୂରତା ୨୫୦ରୁ ୩୦୦କିଲୋମିଟର । ଏହି ସ୍ଥିତିରେ ଏମଆରଆଇ ସ୍କାନ ଓ ସିଟି ସ୍କାନ ଭଳି ଜରୁରୀ ସେବା ପାଇବା ପାଇଁ ଅଯଥାରେ ଖର୍ଚ୍ଚାନ୍ତ ହୋଇ ଯିବାକୁ ପଡ଼ିବ।  ପରୀକ୍ଷା ପାଇଁ ଥରେ ଯିବା ସହ ରିପୋର୍ଟ ପାଇବା ପାଇଁ ଆଉ ଥରେ ଯାଇ ନାହିଁ ନଥିବା ହଇରାଣ ହରକତ ହେବା ସମ୍ଭାବନା ରହିଛି। ତେଣୁ ଜୟପୁର ଜିଲ୍ଲାମୁଖ୍ୟଚିକିତ୍ସାଳୟରେ ହିଁ ଏହି ଦୁଇ ସେବା ଉପଲବ୍ଧ କରାଇବାକୁ ଦାବି କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।

ସମ୍ବନ୍ଧିତ ଖବର