ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଫଳ ପ୍ରକାଶ ପାଇଛି। ପରୀକ୍ଷାର୍ଥୀ ସିଟିଇଟି ୱେବସାଇଟ୍ www.ctet.nic.in ଓ ସିବିଏସ୍ଇ ୱେବସାଇଟ୍ www.cbse.nic.in ରେ ଉପଲବ୍ଧ ହେଉଛି। ଜାନୁଆରି ୩୧ରେ ଅନୁଷ୍ଠିତ ଏହି ପରୀକ୍ଷାର ପେପର୍-୧ରେ ୧୬ ଲକ୍ଷ ୧୧ ହଜାର ୪୨୩ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୨ଲକ୍ଷ ୪୭ ହଜାର ୨୧୭ଜଣ ପରୀକ୍ଷା ଦେଇଥିବା ବେଳେ ୪ଲକ୍ଷ ୧୪ ହଜାର ୭୯୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ପେପର୍-୨ରେ ୧୪ ଲକ୍ଷ ୪୭ ହଜାର ୫୫୧ଜଣ ପଞ୍ଜୀକରଣ କରିଥିବା ବେଳେ ୧୧ଲକ୍ଷ ୪ ହଜାର ୪୫୪ଜଣ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୨ ଲକ୍ଷ ୩୯ ହଜାର ୫୦୧ ଜଣ ପାସ୍ କରିଥିବା ଜଣାପଡ଼ିଛି।
ସିଟିଇଟି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ମାର୍କ ଡିଜି ଲକର୍ରେ ଉପଲବ୍ଧ ହେଉଛି। ଯୋଗ୍ୟ ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ୍ ଡିଜି ଲକର୍ରେ ଅପ୍ଲୋଡ୍ କରାଯିବା ସହ ସେମାନଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଲଗ୍-ଇନ୍ର ସମସ୍ତ ତଥ୍ୟ ଦିଆଯିବ। ମାର୍କସିଟ୍ ଓ ଯୋଗ୍ୟତା ସାର୍ଟିଫିକେଟ୍ ଡିଜିଟାଲ ହସ୍ତଖତ କରାଯିବ ଏବଂ ତାହା ଆଇଟି ଆକ୍ଟ ଅନୁଯାୟୀ ବୈଧ ରହିବ। ଏହାଦ୍ବାରା ପରୀକ୍ଷାର୍ଥୀ ଡିଜିଟାଲ ଫର୍ମାଟ୍ରେ ସେମାନଙ୍କ ସାର୍ଟିଫିକେଟ୍ ପାଇପାରିବେ।