ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲର କାର୍ଡିଓଲୋଜି ବିଭାଗ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କାର୍ଡିଓଲୋଜି ବିଭାଗ ସହିତ ସିଟିଭିଏସ୍(କାର୍ଡିଓଥେରାସିସି ଏଣ୍ଡ ଭାସ୍କୁଲାର ସର୍ଜରି) ୟୁନିଟ୍ କାର୍ଯ୍ୟକ୍ଷମ ହେବ। ଏହାସହ ବିଭାଗରେ ଏବେ ଯେତିକି ଶଯ୍ୟା ରହିଛି ତାହାର ସଂଖ୍ୟା ବୃଦ୍ଧି କରାଯିବ। ନିକଟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
କ୍ୟାପିଟାଲ ହସ୍ପିଟାଲର କାର୍ଡିଓଲୋଜି ବିଭାଗରେ ଏବେ ୧୬ଟି ଶଯ୍ୟା ସହିତ ୪ଟି ଆଇସିୟୁ ଶଯ୍ୟା ରହିଛି। ମାତ୍ର ଦିନକୁ ଦିନ ହୃଦ୍ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏତିକି ଶଯ୍ୟାରେ ସେମାନଙ୍କୁ ସେବା ଯୋଗାଇବା କଷ୍ଟକର ହୋଇପଡ଼ୁଛି। ତେଣୁ ୧୬ଟି ଶଯ୍ୟା ବଦଳରେ ତାହା ୨୦କୁ ବୃଦ୍ଧି ହେବା ସହିତ ଆଇସିୟୁ ଶଯ୍ୟା ସଂଖ୍ୟା ୨୦କୁ ବଢ଼ିବ। ଏହାସହ ସିଟିଭିଏସ୍ ପାଇଁ ୧୦ଟି ଶଯ୍ୟା ଓ ୫ଟି ଆଇସିୟୁ ସଂରକ୍ଷିତ ରହିବ। ହସ୍ପିଟାଲ ପରିସରରେ ସୁପର ସ୍ପେଶାଲିଷ୍ଟ ବ୍ଲକ୍ ନିର୍ମାଣ ପରେ ସିଟିଭିଏସ୍ ୟୁନିଟ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ।
କାର୍ଡିଓଲୋଜି ବିଭାଗରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ସଂପର୍କିତ ନିଷ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ୭ଜଣିଆ କମିଟି ଗଠନ କରାଯାଇଥିଲା। ଏଥିରେ ବିଭାଗର ସ୍ବତନ୍ତ୍ର ସଚିବ(ଜନସ୍ବାସ୍ଥ୍ୟ) ଅଧ୍ୟକ୍ଷ ରହିଥିବା ବେଳେ ସ୍ବାସ୍ଥ୍ୟସେବା, ଡିଏମ୍ଇଟି, କ୍ୟାପିଟାଲ ହସ୍ପିଟାଲ ଓ କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍ର ନିର୍ଦେଶକ, କାର୍ଡିଓଲୋଜି ବିଭାଗର ନିର୍ଦେଶକ ଡା.ପି.କେ ଦାଶ ଓ ଅତିରିକ୍ତ ସଚିବ ସଦସ୍ୟ ଆବାହକ ରହିଥିଲେ। ଏହି କମିଟି କାର୍ଡିଓଲୋଜି ବିଭାଗରେ ନୂତନ ପଦବି ସୃଷ୍ଟି କରିବା ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ଶଯ୍ୟା ବୃଦ୍ଧି କ୍ଷେତ୍ରରେ ବିନିଯୋଗ କରାଯିବ। ପୂର୍ବରୁ ବିଭାଗରେ ୫୦ଟି ପଦବି ସୃଷ୍ଟି ହୋଇଥିବା ବେଳେ ଯେଉଁ ଡାକ୍ତର ଓ ବିଶେଷଜ୍ଞମାନେ ନିଯୁକ୍ତ ହେବେ ସେମାନେ ଓଏମ୍ଇଏସ୍ କ୍ୟାଡର ଅଧୀନରେ ରହିବେ। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ବଦଳରେ କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍ ଅଧୀନରେ ନିଯୁକ୍ତ କରାଯିବ। ଏହାସହ କେତେ ସଂଖ୍ୟକ ନର୍ସିଂ, ପାରାମେଡିକ ଓ ଅନ୍ୟ କର୍ମଚାରୀ ନିଯୁକ୍ତ ହେବେ କମିଟି ତାହାର ନିଷ୍ପତ୍ତି ନେବ। ତେବେ ଗ୍ରୁପ୍ ଡି ପଦବି ନିର୍ମଳ ପ୍ଲସ୍ ପ୍ଲସ୍ ଅଧୀନରେ ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ଦିଆଯିବ ବୋଲି ଆଲୋଚନା ହୋଇଛି।