ଓଡ଼ିଶାର ୨୮ କେନ୍ଦ୍ରରେ ସିୟୁଇଟି

ସିୟୁଓରେ ଖୋଲିଲା ନାମଲେଖା ସେଲ୍‌, ପରୀକ୍ଷାର୍ଥୀଙ୍କ ଲାଗି ହେଲ୍‌ପ ଲାଇନ୍‌ ଜାରି

ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ନାମଲେଖା ଲାଗି କମନ୍‌ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ(ସିୟୁଇଟି) ହେବ। ଜୁଲାଇ ପ୍ରଥମ/ଦ୍ବିତୀୟ ସପ୍ତାହରେ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ମେ’ ୬ ଅପରାହ୍ନ ୫ଟାରେ ସରିବ। ଫି’ ଦାଖଲର ଶେଷ ସମୟ ମେ’ ୬ ତାରିଖ ରାତି ୧୧ଟା ୫୦ ରଖାଯାଇଛି। ଆଗ୍ରହୀ ପ୍ରାର୍ଥୀ https://cuet.samarth.ac.in ୱେବସାଇଟ୍‌ ମାଧ୍ୟମରେ ହିଁ କେବଳ ଆବେଦନ କରିପାରିବେ। ଜଣେ ପ୍ରାର୍ଥୀ କେବଳ ଗୋଟିଏ ଥର ଆବେଦନ କରିପାରିବେ।

ପ୍ରଥମ ଥର ଲାଗି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ବଙ୍ଗଳା , ଗୁଜୁରାଟି, କନ୍ନଡ, ମାଲାୟଲମ୍‌, ମରାଠି, ପଞ୍ଜାବୀ, ତାମିଲ, ତେଲଗୁ ଓ ଉର୍ଦ୍ଦୁ ଭାଷାରେ ହେବ। ପରୀକ୍ଷା ଲାଗି ଦେଶର ୫୪୭ଟି ସହର ସମେତ ବିଦେଶର ୧୩ଟି ସହରରେ ପରୀକ୍ଷା କରିବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାର ୨୮ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ୟୁଜି ଓ ପିଜି ପାଠ୍ୟକ୍ରମ ଲାଗି କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷାରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଓଡ଼ିଶା(ସିୟୁଓ) ସାମିଲ ହୋଇଛି। ୧୨ଟି ପିଜି, ଗୋଟିଏ ବିଏଡ୍‌ ଓ ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ମାଥମେଟିକ୍ସ ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପରୀକ୍ଷା ହେବ। ଏନ୍‌ଟିଏ ପରୀକ୍ଷା ପରିଚାଳନା ସହ ରେଜଲ୍ଟ ପ୍ରକାଶ, ସ୍କୋର କାର୍ଡ ଜାରି କରିବ। ବିଶ୍ବବିଦ୍ୟାଳୟ ପକ୍ଷରୁ ମେରିଟ୍‌ ଲିଷ୍ଟ ପ୍ରକାଶ ଓ ନାମଲେଖା ପ୍ରକ୍ରିୟା କରାଯିବ ବୋଲି ବିଶ୍ବବିଦ୍ୟାଳୟ କୁଳପତି ଶରତ କୁମାର ପାଲିତା କହିଛନ୍ତି। ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନାମଲେଖା ନାମଲେଖା ସେଲ୍‌ ପ୍ରତିଷ୍ଠା ସହ ହେଲ୍‌ପ ଲାଇନ୍‌ ନମ୍ବର ଜାରି କରାଯାଇଥିବା ନେଇ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ରାମଶଙ୍କର କହିଛନ୍ତି। ଏଥିସହ କେବେଠାରୁ ପରୀକ୍ଷାର୍ଥୀଙ୍କୁ ଆଡମିଟ୍‌ କାର୍ଡ ମିଳିବ, ପରୀକ୍ଷା ସମୟ, ପରୀକ୍ଷା ଫଳ ଘୋଷଣା ସମ୍ପର୍କରେ ପରବର୍ତୀ ସମୟରେ ଘୋଷଣା କରାଯିବ। ପରୀକ୍ଷା କେନ୍ଦ୍ର, ତାରିଖ ଓ କେଉଁ ସିଫ୍ଟରେ ପରୀକ୍ଷା ଅଛି ସେନେଇ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡରେ ଉଲ୍ଲେଖ କରାଯିବ।

ସମ୍ବନ୍ଧିତ ଖବର