କଟକ: ୯ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗର ଶୁଣାଣି କରି କଟକ ଆଡ୍-ହକ୍ ଅତିରିକ୍ତ ଦୌରା ଜଜ୍ ତଥା ଫାଷ୍ଟଟ୍ରାକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ବିଚାରପତି ଗୟାଧର ପଣ୍ଡା ମାମଲାର ଅଭିଯୁକ୍ତ ବ୍ରଜକିଶୋର ଶତପଥୀ ଓ ନିମାଇ ମଣ୍ଡଳଙ୍କୁ ୨୦ ବର୍ଷ ସଶ୍ରମ ଜେଲ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅଦାଲତ ଆଇପିସିର ଦଫା ୩୭୬(ଏବି) ଦଫାରେ ଦୁଇ ଆସାମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଦୁଇ ଆସାମୀଙ୍କ ମଧ୍ୟରୁ ବ୍ରଜ କିଶୋର ଏକ ମନ୍ଦିରର ପୂଜକ ହୋଇଥିବା ବେଳେ ନିମାଇ ଅଞ୍ଚଳରେ ପାନ ଦୋକାନ କରିଥିଲା। ମନ୍ଦିରର ପୂଜକ ଏପରି ଘୃଣ୍ୟ ଅପରାଧ କରିବା ଘଟଣାକୁ ଅଦାଲତଙ୍କ ରାୟରେ ଦୃଢ ନିନ୍ଦା କରାଯାଇଛି। ଏପରି ଦଣ୍ଡାଦେଶ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହୋଇ ରହିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଏଥିସହିତ ପୀଡିତା ନାବାଳିକାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ଷତିପୂରଣ ରାଶିକୁ ପୀଡିତାଙ୍କ ନାଁରେ ବ୍ୟାଙ୍କରେ ସ୍ଥାୟୀ ଜମା ଆକାରରେ ରଖାଯିବ। ପୀଡିତାଙ୍କୁ ୧୮ ବର୍ଷ ହେବା ପରେ ଏହି ରାଶି ତାଙ୍କୁ ପ୍ରଦାନ କରାଯିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ପୀଡିତାଙ୍କୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପଦକ୍ଷେପ ଗ୍ରହଣ କରିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଦେବେନ୍ଦ୍ରନଗର ଅଞ୍ଚଳର ବ୍ରଜକିଶୋର ପୂଜକ ଭାବେ ଏକ ସ୍ଥାନୀୟ ମନ୍ଦିରରେ କାର୍ଯ୍ୟ କରୁଥିଲେ। ମନ୍ଦିର ପରିସରରେ ବାଦ୍ୟଯନ୍ତ୍ର ରଖାଯାଉଥିବା ଏକ ଘରେ ସେ ନାବାଳିକା ସହିତ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏଥିସହିତ ଦୋକାନକୁ ଜିନିଷ କିଣିବାକୁ ଯାଇଥିବା ବେଳେ ନିମାଇ ମଧ୍ୟ ବାରମ୍ବାର ନାବାଳିକା ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ନାବାଳିକା ଜଣକ ନିଜ ମାଙ୍କୁ କହିଥିଲେ। ଏହାପରେ ମହିଳା ଥାନାରେ ପୀଡିତାଙ୍କ ମା ଏତଲା ଦେଇଥିଲେ। ମହିଳା ଥାନାର ତତ୍କାଳୀନ ଇନ୍ସପେକ୍ଟର ଅର୍ପିତା ଖଟୁଆ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲେ। ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ୍ ତରଫରୁ ୧୮ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ତରଫରୁ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ବିଶ୍ବଜିତ ରାୟ ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/court-generic_625x300_1527245477936.jpg)