ରାଜଧାନୀ ଜିଲ୍ଲାରେ ପୋଡ଼ୁଚାଷ: ନାଥପୁର ସଂରକ୍ଷିତ ଜଙ୍ଗଲ ପଦା

ମୁଣ୍ଡ ପିଛା ବଣ୍ଟାହେଇଛି ୧୭ହାତ, କବ୍‌ଜା କରିରଖିଛନ୍ତି ୪ ଗାଁର ଲୋକେ

ଖୋର୍ଦ୍ଧା: ରାଜଧାନୀ ଜିଲ୍ଲାରେ ଚାଲିଛି ପୋଡ଼ୁଚାଷ। ଶହ ଶହ ହେକ୍ଟର ଜଙ୍ଗଲ କାଟି ସଫା କରାଯାଉଛି। ସେଠି ପନିପରିବା ଓ ଡାଲିଜାତୀୟ ଫସଲ ଚାଷ କରାଯାଉଛି। ବର୍ଷବର୍ଷ ଧରି ଏଭଳି କରାଯାଉଥିଲେ ହେଁ ଏଥିପ୍ରତି କାହାରି ନଜର ରହୁନାହିଁ। ଫଳରେ ନାଥପୁର ସଂରକ୍ଷିତ ଜଙ୍ଗଲ ପୂରା ପଦା ହେବାକୁ ବସିଲାଣି। ରାଜଧାନୀ ଭୁବନେଶ୍ବରଠାରୁ ମାତ୍ର ଶହେ କିଲୋମିଟର ଦୂରରେ ଏଭଳି କାରସାଦି ଚାଲିଛି। ଯାହା ବୃକ୍ଷପ୍ରେମୀ ଓ ପରିବେଶବିତ୍‌ଙ୍କୁ ଭାରି ବ୍ୟଥିତ କରିଛି।

ସୂଚନା ମୁତାବକ, ଜଙ୍ଗଲ କାଟି ଏମିତି ଚାଷ କରାଯାଉଥିବା ଜାଗାଟି ହେଉଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ନୀଳାଦ୍ରିପ୍ରସାଦ ସିଲିଂପଡ଼ା ଗାଁ ନିକଟବର୍ତ୍ତୀ ଜଙ୍ଗଲ। ଖୋର୍ଦ୍ଧା ବନଖଣ୍ଡ ବାଲୁଗାଁ ରେଞ୍ଜ ଦୁଧିଆନାଳୀ ସେକ୍ସନର ଏହା ହେଉଛି ଅବକ୍ଷୟପ୍ରାପ୍ତ ସୁରକ୍ଷାଯୁକ୍ତ ବଣ(ଡିଗ୍ରେଡେଡ୍ ପ୍ରୋଟେକ୍ଟେଡ୍ ଫରେଷ୍ଟ)। ବନ ବିଭାଗ ରେକର୍ଡରେ ଯାହାର ନାଁ ନାଥପୁର ଡିପିଏଫ୍‌ ରହିଛି। ଯାହା ବନ ବିଭାଗର ଅଧୀନ। ଏସିଆ ମହାଦେଶର ପ୍ରସିଦ୍ଧି ଲାଭ କରିଥିବା ସର୍ବବୃହତ୍‌ ଶାଗୁଆନ ଜଙ୍ଗଲ ‘ଦାମିଆ ବରବରା’ ନିକଟବର୍ତ୍ତୀ ଏ ଜଙ୍ଗଲର ଘଞ୍ଚ ଇଲାକା ଭାରି ମୂଲ୍ୟବାନ। ଏ ମୂଲ୍ୟବାନ ଜଙ୍ଗଲକୁ ବାଣପୁର ବ୍ଲକ୍‌ ନୀଳାଦ୍ରିପ୍ରସାଦ ପଞ୍ଚାୟତର ଚାରିଗୋଟି ଗାଁର ଲୋକେ ପୂରା କବ୍‌ଜା କରିରଖିଛନ୍ତି। ପ୍ରାୟ ତିନିବର୍ଷ ହେଲା ନାଥପୁର ଜଙ୍ଗଲ(ଡିପିଏଫ୍‌)କୁ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକେ କାଟି ପୂରା ସଫା କରିଦେଇଛନ୍ତି। ଚାରିପାଖରେ ଘଞ୍ଚ ଜଙ୍ଗଲ। ଜଙ୍ଗଲକୁ ଅଜଣା ଲୋକ ଥରେ ପଶିଗଲେ, ବାହାରିବା ମୁସ୍କିଲ୍। ସେଠି ବଣୁଆ ହାତୀଙ୍କର ଚଳପ୍ରଚଳ ରହିଛି। ଦିନ ବେଳା ମୟୂର ଦୃଶ୍ୟମାନ ହୁଅନ୍ତି। ଏମିତି ଏକ ଘଞ୍ଚ ଜଙ୍ଗଲକୁ କାଟି ସଫା କରି ଦେଇଛନ୍ତି ଯେ, ଆଖି ପାଉନି। ଏ କାମ ଜଣେ କି’ ଦୁଇ ଜଣ ନୁହେଁ, ଚାରି ଚାରିଟି ଗାଁର ପ୍ରାୟ ଦୁଇ ଶହରୁ ଅଧିକ ଲୋକଙ୍କର। ସେମାନେ ଏକାଠି ହୋଇ ଜଙ୍ଗଲକୁ ପଦା କରିଛନ୍ତି।

ପୂରା ଜଙ୍ଗଲକୁ ବଡ଼ବଡ଼ ଗଛ ସବୁ କାଟି ପଦା କରିବା ପରେ ତାକୁ ପରସ୍ପର ମଧ୍ୟରେ ଭାଗବାଣ୍ଟି ଦେଇଛନ୍ତି। ଜଙ୍ଗଲ କଟା ଯେମିତି ମନଇଚ୍ଛା, ବଣ୍ଟା ମାପଚୁପ ସେମିତି ମୌଖିକ। ଜଙ୍ଗଲ ଜାଗାର ଲମ୍ବାକୁ ନେଇ କୌଣସି ଭାଗବଣ୍ଟା ନାହିଁ, କେବଳ ମୁଣ୍ଡ ପିଛା ୧୭ହାତ ଓସାରର ଜମି ପରସ୍ପର ମଧ୍ୟରେ ବାଣ୍ଟି ଦିଆଯାଇଛି। ୧୭ହାତ ଓସାର ଆଧାରରେ ଯାହାର ଯେତେ ଲମ୍ବା ଜାଗା ପଡ଼ିଲା, ସେ ଜମି ତାହାର ବୋଲି ଆଦିବାସୀମାନେ ପରସ୍ପର ମଧ୍ୟରେ ବୁଝାମଣା କରିଛନ୍ତି। ଏଠି ଚାଷ କହିଲେ, ପ୍ରାୟତଃ ବାଇଗଣ, ବିଲାତି, ଆଳୁ ଆଦି ପନିପରିବା ଚାଷ। ଏମିତିକି ଏ ଜଙ୍ଗଲରେ ଆଦିବାସୀମାନେ ମାଣ୍ଡିଆ ଚାଷ ବି କରୁଛନ୍ତି। ବର୍ଷକର ଆଠମାସ କାଳ ଚାଷବାସ କରୁଥିବା ବେଳେ ଖରା ଚାରିମାସ ପାଣି ଅଭାବରୁ ଜଙ୍ଗଲ ଛାଡ଼ି ଆଦିବାସୀ ଘରମୁହାଁ ହେଉଛନ୍ତି। ଚାରି ମାସ କାଳ ଜଙ୍ଗଲ ପଡ଼ିଆ ପଡ଼ୁଛି। ଗଲା ପ୍ରାୟ ତିନି ବର୍ଷ ହେଲା ସ୍ଥାନୀୟ ଆଦିବାସୀ ଏମିତି ଜଙ୍ଗଲକୁ ନଷ୍ଟଭ୍ରଷ୍ଟ କରି ସାରିଲେଣି। ସମୂହ ଜନତାଙ୍କ ଆଗରେ ବନ ବିଭାଗ ନାଚାର ଯେମିତି।

ଏ ସମ୍ପର୍କରେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି କହିଛନ୍ତି ଯେ ଜଙ୍ଗଲ କାଟି ଚାଷ କରୁଥିବା ଲୋକଙ୍କ ନାଁରେ ଜବରଦଖଲ ମାମଲା ରୁଜୁ ହୋଇଛି। ଗଲା ଦୁଇ ବର୍ଷ ମଧ୍ୟରେ ଏମିତି ଜଙ୍ଗଲ କାଟି ଚାଷ କରୁଥିବା ପ୍ରାୟ ୧୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି। ଆଉ କିଛି ଜଙ୍ଗଲ ଅଞ୍ଚଳକୁ ଲୋକେ ୧୫/୨୦ବର୍ଷ ହେଲା ଅକ୍ତିଆର କଲେଣି ବୋଲି ଦର୍ଶାଉଛନ୍ତି। ଜଙ୍ଗଲ ଅଧିକାର ଆଇନ ବଳରେ ସେମାନେ ଜଙ୍ଗଲ ଜମିକୁ ନିଜନିଜ ନାଁରେ ପଟ୍ଟା କରାଇନେବାକୁ ଆବେଦନ କରୁଛନ୍ତି। ସେ ପ୍ରକାର ଆବେଦନ ଏବେ ବିଚାରାଧୀନ ଅଛି। ଦରଖାସ୍ତ ଫଏସଲା ହେଲା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ରେଞ୍ଜର ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର