ଘଟଗାଁ: ଘଟଗାଁ ମାଟିରେ ଚାଷ ହେଉଛି ଥାଇଲାଣ୍ଡର ଆପଲ ବେର୍‌। ବଜାରରେ ଏବେ ଏହି କୋଳି କିଲୋ ୧୦୦ରୁ ୧୬୦ ଟଙ୍କାରେ ବିକ୍ରି ହେଉଥିବାରୁ ଦେଢ଼ଲକ୍ଷ ଟଙ୍କା ରୋଜଗାର କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ଘଟଗାଁ ବ୍ଲକ୍‌ ବାଲିପୋଖରୀ ପଞ୍ଚାୟତ ଦୁବୁଲାବେଡ଼ା ଗ୍ରାମର ଯୁବଚାଷୀ ଲକ୍ଷ୍ମଣ ମହାନ୍ତ।

Advertisment

ପ୍ରାପ୍ତ ସୂଚନା‌ ଅନୁସାରେ, ଲକ୍ଷ୍ମଣ ୟୁଟ୍ୟୁବ୍‌ରୁ ରେଡ୍‌ ଆପଲ ବେର୍‌ ଚାଷ ଦେଖିବାକୁ ପାଇଥିଲେ। ଏହି ଚାଷ କରିବାକୁ ସେ ମନ ବଳାଇଥିଲେ। ଆପଲ ବେର୍‌ ଚାଷ କରି ସଫଳ ହୋଇଥିବା ଜଣେ ଚାଷୀଙ୍କ ସହ ଫୋନ୍‌ରେ ଯୋଗାଯୋଗ କରି ତାଙ୍କ ଜରିଆରେ ଥାଇଲାଣ୍ତରୁ ଦୁଇଟି କିସମର ଚାରା ମଗାଇଥିଲେ। ଗୋଟିଏ ଚାରାର ମୂଲ୍ୟ ୮୦ ଟଙ୍କା ଥିଲା। ସେ ୧୫୦ଟି ଚାରା ୧୨ ହଜାର ଟଙ୍କା ଦେଇ କିଣିଥିଲେ। ଏସବୁ ଚାରାକୁ ମାତ୍ର ୪୦ ଡିସିମିଲ ଜାଗାରେ ଏପ୍ରିଲ ୨୨ରେ ରୋପଣ କରିଥିଲେ। ବର୍ତ୍ତମାନ ଗଛ ଗୁଡ଼ିକ ୬/୭ ଫୁଟ ଉଚ୍ଚର ହୋଇଥିବା ବେଳେ ଏକାଧିକ କେନା ବାହାରିଛି। ଗଛରେ ଭଲ ଫଳ ଧରିଛି। ବର୍ତ୍ତମାନ କୋଳି ଗୁଡ଼ିକ ପାଚିବା ଅବସ୍ଥାକୁ ଆସିଯାଇଛି। ଆଉ ମାତ୍ର ୧୫/୨୦ ଦିନ ପରେ ଅମଳ ହେବ। ଗୋଟିଏ ଗୋଟିଏ ଗଛରୁ ସର୍ବନିମ୍ନ ୧୦ କେଜି କୋଳି ଅମଳ ହେବ ଏବଂ କେଜି ପିଛା ୧୦୦ ଟଙ୍କାରେ ବିକ୍ରି ହେବ ବୋଲି ଲକ୍ଷ୍ମଣ କହିଛନ୍ତି।

ଏହି କୋଳି ‌ଗୁଡ଼ିକ ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥିବାରୁ ବଜାରରେ ଏହାର ଭଲ ଚାହିଦା ରହିଛି। ଲକ୍ଷ୍ମଣଙ୍କ କହିବା ଅନୁଯାୟୀ, ପ୍ରଥମବର୍ଷ ଦେଢ଼ କୁଇଣ୍ଟାଲ କୋଳି ଉତ୍ପାଦନ କରିବାକୁ ଲକ୍ଷ୍ୟ ରହିଛି। ଦ୍ବିତୀୟ ବର୍ଷ ମୂଳଠାରୁ ୨ ଫୁଟ ଛାଡ଼ି ଡାଳ କାଟିଦେଲେ ଅଧିକ କେନା ବାହାରିବ। ଫଳରେ ପ୍ରତି ଗଛରେ ୪୦ କେଜି କୋଳି ଫଳିବ। ୪ ଗୁଣ ଲାଭ ହେବ। ତୃତୀୟ ବର୍ଷ ଗୋଟିଏ ଗଛରେ ଏକ କୁଇଣ୍ଟାଲ କୋଳି ଫଳିବ ବୋଲି ଏହି ଚାଷର ପ୍ରୋଫାଇଲରେ ରହିଛି। ଚଢ଼େଇ ଖାଇଦେବା ଭୟ ରହିଥିବାରୁ ସେ ନିଜ ଉଦ୍ୟମରେ ଏକ ଚଢ଼େଇ ଘଉଡ଼ାଇବା ଯନ୍ତ୍ର ତିଆରି କରି ବଗିଚା ମଝିରେ ରଖିଛନ୍ତି। ଯାହା ସ୍ବୟଂଚାଳିତ ଅଟେ। ଲକ୍ଷ୍ମଣଙ୍କ ଏହି ସଫଳତା ଦେଖି ଗାଁର ବହୁ ଚାଷୀ ଆପଲ‌ ବେର୍‌ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।