ଲକ୍ଷାଧିକ ହେକ୍ଟର ଜମିରେ ଚାଷ ବିଳମ୍ବିତ, ଅଗଷ୍ଟ ସୁଦ୍ଧା ସ୍ବାଭାବିକ ହେବା ଆଶା

ଭୁବନେଶ୍ବର : ଚଳିତ ବର୍ଷ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଭଳି ଧାନ ଚାଷ ହେଉଥିବା ରାଜ୍ୟରେ ଅତି କମ ବର୍ଷା ଯୋଗୁଁ ଚାଉଳ ଉତ୍ପାଦନ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି। ଓଡ଼ିଶାରେ ମଧ୍ୟ ଜୁନ ମାସରେ ୩୯ ପ୍ରତିଶତ କମ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ପଛେଇ ଯାଇଛି। ଜୁଲାଇ ମାସର ବର୍ଷା ପରେ ଚାଷ କାର୍ଯ୍ୟରେ ଉନ୍ନତି ହେଉଥିବା କୃଷି ବିଭାଗ କହିଛି। ତେଣୁ ଚଳିତ ବର୍ଷର ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଚାଉଳ ଉତ୍ପାଦନ ହେବ ବୋଲି କହିଛନ୍ତି କେନ୍ଦ୍ରୀୟ ଚାଉଳ ଗବେଷଣା ପ୍ରତିଷ୍ଠାନର ପଦ୍ମିନୀ ସ୍ବାଇଁ।

ପୃଥିବୀରେ ଦ୍ବିତୀୟ ସର୍ବାଧିକ ଚାଉଳ ଉତ୍ପାଦନ କରେ ଭାରତ। ଦେଶରେ ସର୍ବାଧିକ ଚାଉଳ ଉତ୍ପାଦନ କରୁଥିବା ପଶ୍ଚିମବଙ୍ଗର ୧୯ ରୁ ୧୨ଟି ଜିଲ୍ଲାରେ କମ ଓ ୪ ଜିଲ୍ଲାରେ ଅତି କମ ବର୍ଷା ହୋଇଛି। ଦ୍ବିତୀୟ ସର୍ବାଧିକ ଚାଉଳ ଉତ୍ପାଦନକାରୀ ରାଜ୍ୟ ଉତ୍ତରପ୍ରଦେଶରର ୭୫ ଜିଲ୍ଲା ମଧ୍ୟରୁ ୪୨ଟିରେ ଅତି କମ, ୨୮ରେ କମ ବର୍ଷା ହୋଇଛି। ସେହିଭଳି ବିହାରର ୩୮ ଜିଲ୍ଲା ମଧ୍ୟରୁ ୨୧ଟି ରେ କମ, ୧୪ ଜିଲ୍ଲାରେ ଅତି କମ ବର୍ଷା ହୋଇଛି। କୃଷି ବିଶେଷଜ୍ଞଙ୍କ କହିବା ଅନୁସାରେ, ଚଳିତ ବର୍ଷ ଦେଶରେ ଚାଉଳ ଉତ୍ପାଦନ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି। ତେବେ ପଞ୍ଜାବ ଓ ଆନ୍ଧ୍ରପ୍ରଦେଶର ସ୍ଥିତି ସ୍ବାଭାବିକ ରହିଛି।

ଦେଶରେ ଚାଉଳ ଉତ୍ପାଦନ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା
ଓଡ଼ିଶାରେ ୧୨୭ ମିଲିୟନ ଟନ୍‌ ଉତ୍ପାଦନର ଲକ୍ଷ୍ୟ

 

ଓଡ଼ିଶାରେ ଜୁନ ସୁଦ୍ଧା କମ ବୃଷ୍ଟିପାତ ହୋଇଥିଲା। ଏଥିଯୋଗୁଁ ରୁଆ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ଚାଷୀମାନେ କହିଛନ୍ତି। କୃଷି ବିଭାଗ କହିବା ଅନୁସାରେ, ଏହି ସମୟରେ ହାରାହାରି ୨୧ରୁ ୨୨ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇଥାଏ। ମାତ୍ର ଚଳିତ ବର୍ଷ ୧୯ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇପାରିଛି। ରାଜ୍ୟର ଅଧିକାଂଶ ଜିଲ୍ଲା ଚାଷରେ ପଛେଇ ଥିବା ନେଇ ଚାଷୀମାନେ କହୁଥିଲେ ମଧ୍ୟ ବିଭାଗୀୟ ସୂତ୍ର ଅନୁସାରେ, ଅନୁଗୁଳ, ବଲାଙ୍ଗୀର, ବରଗଡ଼, ମୟୂରଭଞ୍ଜ, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ରେ ଚାଷ ବିଶେଷ ପ୍ରଭାବିତ ହୋଇଥିଲା। ଜୁଲାଇରୁ ବର୍ଷା ଆରମ୍ଭ ହୋଇଥିବାରୁ ଅଗଷ୍ଟ ଦ୍ବିତୀୟ ସପ୍ତାହ ସୁଦ୍ଧା ରୋପଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଆଶା ରହିଛି। ବର୍ତ୍ତମାନ ସୁଦ୍ଧା ଅନୁଗୁଳ ଜିଲ୍ଲାର କଣିହାଁ, ବଲାଙ୍ଗୀର ଜିଲ୍ଲାର ମୁରିବାହାଲ, ଗଞ୍ଜାମର ରଙ୍ଗେଇଲୁଣ୍ଡା, କୋଦଳା, ମୟୂରଭଞ୍ଜର କୁସୁମି, ପୁରୀର ନିମାପଡ଼ା, ସୁନ୍ଦରଗଡ଼ର ବରଗାଁର ଅତି କମ ବର୍ଷା ହୋଇଛି। ବଲାଙ୍ଗୀରର ବେଲପଡ଼ା, ଲୋଇସିଂହା, ବରଗଡ଼ର ସୋହେଲା, ଭଦ୍ରକର ଚାନ୍ଦବାଲି, ବୌଦ୍ଧର କଣ୍ଟାମାଳ, ଗଜପତିର କାଶୀନଗର, ଗଞ୍ଜାମର ପୁରୁଷୋତ୍ତମପୁର, ଶଙ୍ଖେମୁଣ୍ଡି, ଦିଗପହଣ୍ଡି, କୁକୁ଼ଡ଼ାହାଣ୍ଡି, ଛତ୍ରପୁର, ଝାରସୁଗୁଡ଼ାର କିମିରା, କେନ୍ଦୁଝରର ଗରଦାପୁର, ସାହାରାପୁର, ଚମ୍ପୁଆ, ମୟୂରଭଞ୍ଜ ବହଳଦା, ସୁକୁରୁଲି, ରାସଗୋବିନ୍ଦପୁର, ମୟୂରଭଞ୍ଜର ଜାମଡ଼ା, ରାରୁଆନା, ତିରିଙ୍ଗ, ନବରଙ୍ଗପୁରର ଚନ୍ଦାହାଣ୍ଡି, ପୁରୀର କାକଟପୁର, ଅସ୍ତରଙ୍ଗ, ଡେଲାଙ୍ଗ, ସମ୍ବଲପୁରର ବାମରା, ସୁବର୍ଣ୍ଣପୁରର ବିନିକା, ସୁନ୍ଦରଗଡ଼ର ବଣେଇ, ସୁନ୍ଦରଗଡ଼, ଗୁରୁଣ୍ଡିଆ, ବାଲିଶଙ୍କରାରେ ୩୯ରୁ ୫୯ ପ୍ରତିଶତ କମ ବର୍ଷା ହୋଇଛି। ତେଣୁ ଏହି ଅଞ୍ଚଳରେ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ପଛେଇ ଯାଇଛି।

କେନ୍ଦ୍ରୀୟ ଚାଉଳ ଗବେଷଣା ପ୍ରତିଷ୍ଠାନ ସୂଚନା ଦେଇଛି ଯେ ଦେଶରେ ସମୁଦାୟ ଚାଉଳ ଉତ୍ପାଦନରେ ଓଡ଼ିଶାର ସ୍ଥାନ ପଞ୍ଚମ ରହିଛି। ଗତବର୍ଷ ରାଜ୍ୟରେ ୧୧୬ ମିଲିୟନ ଟନ ଚାଉଳ ଉତ୍ପାଦନ ହୋଇଥିଲା। ଚଳିତ ବର୍ଷ ୧୨୭.୯୩ ମିଲିୟନ ଟନ ଉତ୍ପାଦନ ନେଇ ଲକ୍ଷ୍ୟ ରଖାଯାଇଛି। ସ୍ଥିତି ସ୍ବାଭାବିକ ହେବାରେ ଲାଗିଥିବାରୁ ଚାଉଳ ଉତ୍ପାଦନ ୧୨୯ ମିଲିୟନ ଟନ ବୃଦ୍ଧି ହେବା ନେଇ ଆଶା ରହିଛି। ଏହା ସତ୍ତ୍ବେ ମାତ୍ରାଧିକ ବର୍ଷା, ରୋଗପୋକ ଉପରେ ମଧ୍ୟ ନଜର ରହିଛି। ଏମିତି କିଛି ହେଲେ ଉତ୍ପାଦନ ହ୍ରାସର ଆଶଙ୍କା ରହିଛି। ଓଡ଼ିଶାରେ ଚାଉଳ ଉତ୍ପାଦନ ବୃଦ୍ଧି ହେଲେ ମଧ୍ୟ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶର ଉତ୍ପାଦନ ସଂକଟକୁ ପୂରଣ କରିପାରିବନାହିଁ। ଓଡ଼ିଶାରେ ବର୍ଷା ଯେଉଁଭଳି ଲୁଚକାଳି ଖେଳୁଛି, ସ୍ଥିତି କଣ ହେବ କୁହାଯାଇ ପାରିବନାହିଁ।

ସମ୍ବନ୍ଧିତ ଖବର