ଖୋର୍ଦ୍ଧା: ମାଗୁର ଚାଷର ଲୋଭ ଏସିଆ ମହାଦେଶର ସର୍ବବୃହତ୍ ଲୁଣି ହ୍ରଦ ଚିଲିକା ପାଇଁ ବିପଦ ସୃଷ୍ଟି କଲାଣି। ଆନ୍ଧ୍ର ଦଲାଲ୍ଙ୍କ କବ୍ଜାରେ ଏମିତି ଢଙ୍ଗରେ ମାଛ ଚାଷ କରାଯାଉଛି ଯେ, ଚିଲିକା ଜଳ ସମେତ ଏହି ଅଞ୍ଚଳର ପାଣିପବନ ବିଷାକ୍ତ ହେବାରେ ଲାଗିଛି। ସୂଚନା ମୁତାବକ, ଚିଲିକା ଯଦିଓ ବିଭିନ୍ନ ପ୍ରଜାତିର ମାଛ ଓ କଙ୍କଡ଼ାଙ୍କ ବାସସ୍ଥଳୀ, କିନ୍ତୁ ମାଗୁର ମାଛ ପାଇଁ ଲୁଣା ମିଶା ପାଣି ବେଶ୍ ଉତ୍ତମ। ଓଡ଼ିଶା ଅପେକ୍ଷା ମାଗୁର ମାଛର ଚାହିଦା ପଶ୍ଚିମବଙ୍ଗରେ ଢେର୍ ଅଧିକ। କିନ୍ତୁ ଏବେ ମାଛ ମାଫିଆଙ୍କ ଆଖି ପଡ଼ିଛି ଚିଲିକା ହ୍ରଦ ଉପରେ। ବିଶେଷକରି ଆନ୍ଧ୍ରପ୍ରଦେଶର ବହୁ ମାଛ ଦଲାଲ ଚିଲିକା ହ୍ରଦ କୂଳରେ ଛୋଟ ଛୋଟ ପୋଖରୀ ସବୁ ଖୋଳି ମାଗୁର ଚାଷ କେବେଠୁ ଚଳାଇଲେଣି।
ଚିଲିକା ଉପକୂଳ ଜମି ଚାଷ ପାଇଁ ଅନୁପଯୁକ୍ତ। ବର୍ଷା ଦିନେ ଜମିରେ ପାଣି ଭର୍ତ୍ତି ହୋଇଯାଉଛି, ତେଣୁ ସ୍ଥାନୀୟ ଲୋକେ ଏହି ଜମିରେ ଚାଷ କରି ପାରୁ ନଥିବା ବେଳେ କେଇ ଟଙ୍କାରେ ଆନ୍ଧ୍ର ଦଲାଲ୍ଙ୍କୁ ଜମି ଅଘୋଷିତ ଭାବେ ଲିଜ୍ ଦେଉଛନ୍ତି। କେବଳ ଯେ, ଲୋକଙ୍କ ବ୍ୟକ୍ତିଗତ ଜମି ଲିଜ୍ରେ ଯାଉଛି ତାହା ନୁହେଁ, ସରକାରୀ ଆର୍ଦ୍ରଭୂମିକୁ ବି ବେଆଇନ୍ ଭାବେ ମାଗୁର ଚାଷ ପାଇଁ କବ୍ଜା ଚାଲିଛି। ମାଗୁର ମାଛ ଚାଷର ସମୟ ହେଉଛି ମାତ୍ର ଦୁଇ ତିନି ମାସ। ଛୋଟ ଛୋଟ ଆଙ୍ଗୁଳି ଲମ୍ବାର ମାଛ ମାଗୁର ମାଛ ଯାଅଁଳକୁ ତିନି ମାସ ଭିତରେ ତିନି କେଜି ଓଜନର କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି। ମାଛ ଯାଅଁଳକୁ ବ୍ରଏଲର କୁକୁଡ଼ାର ଅନ୍ତଃନଳି, ପର ଆଦି ଯାବତୀୟ କୁକୁଡ଼ା ଆବର୍ଜନାକୁ ଖାଇବାକୁ ଦିଆଯାଉଛି। ତାହା ପୁଣି ରୋଷେଇ କରି। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ମୁତାବକ, ବ୍ରଏଲର୍ କୁକୁଡ଼ା ଆବର୍ଜନାକୁ ଟାୟାର୍ ଜାଳି ରନ୍ଧାଯାଉଛି। ଏହାକୁ ମାଗୁର ମାଛର ଖାଦ୍ୟ ରୂପେ ପୋଖରୀ ଭିତରେ ଢଳାଯାଉଛି। ଚିଲିକା କୂଳରେ ଶହ ଶହ ଏକର ଜାଗାରେ ହଜାର ହଜାର ଛୋଟ ଛୋଟ ପୋଖରୀରେ ଏମିତି ଚାଷ ଚାଲିଛି। ବାରମ୍ବାର ଟାୟାର୍ ଜାଳିବା ସହ କୁକୁଡ଼ା ଆବର୍ଜନାକୁ ରୋଷେଇ କଲା ବେଳେ ସେ ଅଞ୍ଚଳରେ ଏମିତି ଦୁର୍ଗନ୍ଧ ହେଉଛି ଯେ, ସ୍ଥାନୀୟ ଅଞ୍ଚଳ ମାଟି ମାଡ଼ି ହେଉନି।
କେବଳ କୁକୁଡ଼ା ଆବର୍ଜନା ମାଗୁର ମାଛଙ୍କୁ ଦିଆଯାଉନାହିଁ, ବରଂ ମାଛର ଆକାର ଶୀଘ୍ର ବୃଦ୍ଧି ପାଇଁ କିଛି ରସାୟନିକ ଦ୍ରବ୍ୟ ବି ବ୍ୟବହାର ଚାଲିଛି। ଥରୁଟିଏ ମାଛ ଚାଷ ପାଇଁ ଅନ୍ୟୁନ ତିନି ମାସ ଲୋଡ଼ା। ଦ୍ବିତୀୟ ବାର ଚାଷ କରିବା ପାଇଁ ନୂଆ ସତେଜ ପାଣି ଦରକାର। ତେଣୁ ଚିଲିକା କୂଳରେ ତିଆରି ହୋଇଥିବା ପୋଖରୀକୁ କାଟି ରସାୟନଯୁକ୍ତ ପାଣି ଚିଲିକାକୁ ଛଡ଼ାଯାଉଛି, ଚିଲିକାରୁ ନୂଆ ପାଣି ପୁଣି ପୋଖରୀରେ ଭର୍ତ୍ତି ଚାଲିଛି। ବର୍ଷକୁ ଗୋଟିଏ ପୋଖରୀ ଅନ୍ୟୁନ ଚାରି ଥର ଚିଲିକାକୁ ଦୂଷିତ ପାଣି ଛାଡ଼ି ଚାଲିଛି।