ଅଭୟ କୁମାର ପତ୍ରୀ
ସୋର: ନିଜ ବୁଦ୍ଧିକୁ କାମରେ ପ୍ରୟୋଗ କରି ସଫଳତା ସାଉଁଟିଛନ୍ତି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ମାଣତ୍ରୀ ପଞ୍ଚାୟତ ଗୋପାଳପୁର ଗାଁର ଯୁବଚାଷୀ ହୃଷୀକେଶ ବାରିକ (୫୦)। କୃଷି କର୍ମଣ ପାଇଁ ହୃଷୀକେଶ ଯେଉଁ ନିଆରା କୌଶଳଟି ଆପଣେଇଛନ୍ତି, ତହିଁରେ ସେମିତି କିଛି ଉନ୍ନତ କୃଷି ଜ୍ଞାନକୌଶଳ ଉପଯୋଗ ହୋଇନାହିଁ। ବରଂ ଅନ୍ୟମାନଙ୍କ ପାଇଁ ତାହା ମାମୁଲି କଥାଟିଏ ହୋଇପାରେ; କିନ୍ତୁ ହୃଷୀକେଶଙ୍କ ପାଇଁ ସେଇଟି ବହୁତ ଗୁରୁତ୍ବ ବହନ କରିଛି। ଯାହାକୁ ନେଇ ଏବେ ସେ ନିଜ ଅଞ୍ଚଳରେ ଚର୍ଚ୍ଚାରେ।

Advertisment

ପିତୃଦତ୍ତ ସୂତ୍ରରେ ମିଳିଥିବା ମାତ୍ର ୫୦ ଡେସିମିଲ ଜମିରେ ସୁନା ଫଳାଉଛନ୍ତି ହୃଷୀକେଶ। ବର୍ଷତମାମ ସେଠାରେ ପରିବା ଚାଷ କରୁଛନ୍ତି। କାକୁଡି, ପୋଟଳ, କୋବି, ବିଲାତି, କଲରା, ବାଇଗଣ, ଆଖୁ ଆଦି ଚାଷ ସାଙ୍ଗକୁ ଉନ୍ନତମାନର ଫୁଲ ଓ ପରିବା ଚାରା ମଧ୍ୟ ବିକ୍ରି କରୁଛନ୍ତି। ଗରାଖମାନଙ୍କୁ ତଟକା ପରିବା ଭେଟି ଦେବା ପାଇଁ ଜୈବିକ କୃଷି ପଦ୍ଧତିକୁ ଅନୁସରଣ କରୁଛନ୍ତି। କୌତୁହଳର ବିଷୟ ହେଉଛି, ରୋଗପୋକ ଦାଉରୁ ସୁରକ୍ଷା ନିମନ୍ତେ ହୃଷୀକେଶ ନିଜ ଚାଷଜମିକୁ ପୂରା ମଶାରି ଜାଲି ଦ୍ବାରା ଆଚ୍ଛାଦିତ କରିଛନ୍ତି। ଫଳରେ ଗଛରେ ରୋଗପୋକ ଲାଗିବା ତ ଦୂର କଥା, ମଶାମାଛି ବି ସେଠିକୁ ଯାଇ ପାରୁନାହାନ୍ତି। ବିନା କୀଟନାଶକରେ ଗାଈ ଖତ, ବର୍ଜ୍ୟବସ୍ତୁ ଆଦିକୁ ପ୍ରୟୋଗ କରି ଜମିରେ ୮୦୦ ବାଇଗଣ ଗଛ ଲଗାଇଛନ୍ତି। ମଶାରି ଜାଲି ଲଗାଇବା ବାବଦରେ ତାଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଛି ପ୍ରାୟ ୧୮ ହଜାର ଟଙ୍କା। ଖର୍ଚ୍ଚକୁ ଛାଡ଼ିଦେଲେ ଚାଷରୁ ବାର୍ଷିକ ପ୍ରାୟ ୨ରୁ ୩ ଲକ୍ଷ ଟଙ୍କା ଯାଏ ସଞ୍ଚୟ କରୁଛନ୍ତି ହୃଷୀକେଶ।

ହୃଷୀକେଶଙ୍କ ପାଠଘର ଶୂନ। ହେଲେ ତାଙ୍କ ବୁଦ୍ଧି ଓ କୌଶଳ ଆଗରେ ଅନ୍ୟମାନେ ଫିକା ପଡ଼ିଯିବେ। ପିଲାଦିନେ ବାପାଙ୍କ ସହିତ ଚାଷ କରିବା ସହିତ ଚାଷର କୌଶଳ ଶିଖିଥିଲେ। ପରବର୍ତ୍ତୀ ସମୟରେ ପାରମ୍ପରିକ ଧାନଚାଷ ସହିତ ପରିବା ଓ ଆଖୁଚାଷ କରିଥିଲେ। ଏହି କାମରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି। ହୃଷୀକେଶଙ୍କ କହିବା କଥା ହେଲା, ଆଗରୁ ସେ କୀଟନାଶକ ପାଇଁ ବର୍ଷକୁ ୬୦ରୁ ୭୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ କରୁଥିଲେ। ଏଥର ବିନା କୀଟନାଶକରେ ବାଇଗଣ ଚାଷ କରିଥିବା ବେଳେ ୫୦ ଡିସମିଲ ଜାଗାରେ ଜାଲି ଘୋଡାଇଛନ୍ତି। ଦିନବେଳା ମଶାରି ଜାଲି ଉପରେ ସିଧସାଳଖ ସୂର୍ଯ୍ୟକିରଣ ପଡୁଛି। ବିଲରେ କୋଡାଖୁସା ସହିତ ଖତ ଓ ପାଣି ଦେଲେ କାମ ଶେଷ। ଏଭଳି ଢଙ୍ଗରେ ଚାଷ କରି ହୃଷୀକେଶ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସିତ ହୋଇଛନ୍ତି। ତାଙ୍କ ଜମିରୁ ଉତ୍ପାଦିତ ପନିପରିବା ନେଇଯିବା ଲାଗି ଆଗୁଆ ବଇନା ଦେଇ ଯାଉଛନ୍ତି ବେପାରୀ। ହୃଷୀକେଶଙ୍କ ମତରେ, ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ଅପେକ୍ଷା ନିଜ ଜମିରେ ଠିକଣା ଢଙ୍ଗରେ ଚାଷ କଲେ ଭଲ ରୋଜଗାର ହୋଇପାରିବ। ମୋବାଇଲରେ ସମୟ ଅପଚୟ ନ କରି ଆଜିର ଯୁବଗୋଷ୍ଠୀ କର୍ମଷ୍ଠ ମନୋଭାବ ରଖିବା ଦରକାର। ତେବେ ସେ ଜଣେ ସଫଳ ଚାଷୀ ହୋଇଥିଲେ ମଧ୍ୟ ସରକାରଙ୍କ ତରଫରୁ ତାଙ୍କୁ କୌଣସି ସୁବିଧା କିମ୍ବା ସହଯୋଗ ମିଳିନାହିଁ। ସରକାରୀ ସହାୟତା ମିଳିଲେ ସେ ଆହୁରି ଉନ୍ନତମାନର ଚାଷ କରିପାରନ୍ତେ ବୋଲି ପ୍ରକାଶ କରିଛନ୍ତି।