ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକୁ ବକେୟା ଆର୍ଥିକ ଅନୁଦାନ ପ୍ରଦାନ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗତ ଆର୍ଥିକ ବର୍ଷରେ ଆର୍ଥିକ ଅନୁଦାନ ପାଇବାକୁ ମନୋନୀତ ଅନୁଷ୍ଠାନଗୁଡ଼ିକୁ ସେମାନଙ୍କର ବକେୟା ପାଉଣା ପ୍ରଦାନ କରାଯାଇଛି। ବିଭିନ୍ନ ସାଂସ୍କୃତିକ, ସାରସ୍ବତ କାର୍ଯ୍ୟକ୍ରମ ଆୟୋଜନ କରିଥିବା କିମ୍ବା କରିବାକୁ ଯାଉଥିବା ଅନୁଷ୍ଠାନଗୁଡ଼ିକୁ ସେମାନଙ୍କର ନିର୍ଦ୍ଦିଷ୍ଟ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି। ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏ ସମ୍ବନ୍ଧରେ ନିର୍ଦ୍ଦେଶ ଦେବା ପରେ ଏନେଇ ପଦକ୍ଷେପ ନିଆଯାଇଥିଲା। ଯେଉଁ ଅନୁଷ୍ଠାନଗୁଡ଼ିକ କାର୍ଯ୍ୟକ୍ରମ କରିବାକୁ ବାକି ଅଛି, ସେମାନେ ଯଦିଓ ଏହି ଆର୍ଥିକ ଅନୁଦାନ ପାଇଛନ୍ତି, ସରକାର ନିର୍ଦ୍ଦେଶ ନଦେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟକ୍ରମ ଆୟୋଜନ କରିପାରିବେ ନାହିଁ କିମ୍ବା ସେ ଅର୍ଥ ବିନିଯୋଗ କରିପାରିବେ ନାହିଁ ବୋଲି ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ କହିଛନ୍ତି।

ଏଥିସହ ବିଗତ ଦିନରେ କାର୍ଯ୍ୟକ୍ରମ ପରିବେଷଣ କରିଥିବା ସାଂସ୍କୃତିକ ଦଳଗୁଡ଼ିକୁ ମଧ୍ୟ ସେମାନଙ୍କ ବକେୟା ଅର୍ଥ ପ୍ରଦାନ କରାଯାଇଛି। ନଭେମ୍ବର ପର୍ଯ୍ୟନ୍ତ ସାଂସ୍କୃତିକ ଦଳଗୁଡ଼ିକୁ ଅର୍ଥ ପ୍ରଦାନ କରାଯାଇସାରିଥିବା ବେଳେ ଡିସେମ୍ବର ଓ ଜାନୁଆରି ପର୍ଯ୍ୟନ୍ତ ବିଲ୍‌ ପ୍ରସ୍ତୁତ ହୋଇଗଲାଣି। ତେଣୁ ଏ ବାବଦ ଅର୍ଥ ସାଂସ୍କୃତିକ ଦଳମାନେ ଖୁବ୍‌ଶୀଘ୍ର ପାଇପାରିବେ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏଥିସହ ଫେବ୍ରୁଆରି ଓ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଯେଉଁ ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି, ସେମାନଙ୍କର ମଧ୍ୟ ବକେୟା ଅର୍ଥ ପ୍ରଦାନ ନିମନ୍ତେ କାମ ଚାଲିଛି ଏବଂ ଏହା ଖୁବ୍‌ଶୀଘ୍ର ସାରିବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମସ୍ତ ବକେୟା ଅର୍ଥ ଏଇ କିଛି ଦିନ ମଧ୍ୟରେ ସାଂସ୍କୃତିକ ଦଳଗୁଡ଼ିକୁ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର