ଭୁବନେଶ୍ବର : ୨୦୨୨ ମସିହା ସେପ୍ଟେମ୍ବର ୬ ତାରିଖରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହେଲା ‘କମ୍ପ୍ୟୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନ ବ୍ୟବସ୍ଥା (ସିଟିଏମ୍ଏସ୍)’। ଉଦ୍ଦେଶ୍ୟ ଥିଲା ବିଭିନ୍ନ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ବିଭାଗକୁ ଆବେଦନ କରୁଥିବା ଅନୁଷ୍ଠାନ ଓ ବିଭିନ୍ନ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଇଚ୍ଛୁକ ଥିବା ସାଂସ୍କୃତିକ ଦଳଗୁଡ଼ିକୁ ସ୍ବଚ୍ଛ ଉପାୟରେ ଚୟନ କରାଯାଇପାରିବ। ହେଲେ ଆରମ୍ଭ ଏହି ବ୍ୟବସ୍ଥାରେ ଯାବତୀୟ ତ୍ରୁଟି ପରିଲକ୍ଷିତ ହେଉଛି। ସାଂସ୍କୃତିକ ଦଳଗୁଡ଼ିକର ଯୋଗ୍ୟତା ଦେଖି ଏଥିରେ ପଞ୍ଜିକୃତ କରାଗଲା ନାହିଁ। ଏହି ବ୍ୟବସ୍ଥା ମାଧ୍ୟମରେ ବ୍ଲକ୍ସ୍ତରରେ କାର୍ଯ୍ୟକ୍ରମ କରିବାକୁ ଯୋଗ୍ୟ ନଥିବା କଳାକାର ଜାତୀୟ ସ୍ତରରେ ପରିବେଷଣ କରିବାର ସ୍ବୀକୃତି ପାଇଥିବାର ଅଭିଯୋଗ ହୋଇଛି।
ବହୁ ଅଣକଳାକାର ପଞ୍ଜିକୃତ ହୋଇଥିବା ଅଭିଯୋଗ
ଯୋଗ୍ୟତାର ମାନଦଣ୍ଡକୁ ନେଇ ଉଠିଲାଣି ପ୍ରଶ୍ନ
ମିଳିଥିବା ତଥ୍ୟ ମୁତାବକ, ବର୍ତ୍ତମାନ ସୁଦ୍ଧା ଏହି ବ୍ୟବସ୍ଥାରେ ୨୦୦୦ରୁ ଅଧିକ ସାଂସ୍କୃତିକ ଦଳ ନାମ ପଞ୍ଜିକୃତ କରିଛନ୍ତି। ଏହି ବ୍ୟବସ୍ଥା ଅନୁସାରେ କ୍ରମାନ୍ବୟରେ ଗୋଟିଏ ଅନୁଷ୍ଠାନ ବା ସାଂସ୍କୃତିକ ଦଳକୁ କାର୍ଯ୍ୟକ୍ରମ ଦିଆ ନଯାଇ ନିୟମିତ ଆବର୍ତ୍ତନ ଭିତ୍ତିରେ କାର୍ଯ୍ୟକ୍ରମ ଦିଆଯିବ। ଏଥିରେ ସାଂସ୍କୃତିକ ଦଳଗୁଡ଼ିକ ରାଜ୍ୟ ସଂସ୍କୃତି ବିଭାଗ ଅଧୀନରେ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀମାନେ ଅନୁମୋଦନ ଦେଇଛନ୍ତି। କିନ୍ତୁ ସାଂସ୍କୃତିକ ଦଳଗୁଡ଼ିକର ଯୋଗ୍ୟତା କେମିତି ପରଖାଗଲା, ଯୋଗ୍ୟତାର ମାପକାଠି କ’ଣ ଥିଲା, ସେ ନେଇ କାହା ପାଖରେ କିଛି ଉତ୍ତର ନାହିଁ। ଚୟନ ମାପକାଠି ଠିକ୍ ନଥିବାରୁ ଅଣକଳାକାରମାନେ ସିଟିଏମ୍ଏସ୍ରେ ଅନୁପ୍ରବେଶ କରି ବ୍ୟବସ୍ଥାଟିକୁ ପ୍ରଥମରୁ ହିଁ ଗୋଳମାଳିଆ କରି ଦେଇଛନ୍ତି ବୋଲି ବହୁ କଳାକାର ଅଭିଯୋଗ କରିଛନ୍ତି।
ଅଲ୍ ଓଡ଼ିଶା ପରଫର୍ମିଂ ଆର୍ଟିଷ୍ଟ୍ ଆସୋସିଏସନ୍ର ସମ୍ପାଦକ ବାସୁଦେବ ନାଥ କହିଛନ୍ତି, ଯଦି କୌଣସି ଆୟୋଜକ ସାଂସ୍କୃତିକ ଦଳ ପାଇଁ ଆବେଦନ କରନ୍ତି, ତେବେ ସେହି ସାଇଟ୍ରେ ନୃତ୍ୟ, ସଙ୍ଗୀତ, ଲୋକନୃତ୍ୟ ଆଦି ବିଭିନ୍ନ କ୍ଷେତ୍ରରେ କିଛି ଅନୁଷ୍ଠାନଙ୍କ ନାମ ଦେଖାଇବ। ସେମାନଙ୍କୁ ପରିବେଷଣର ସୁଯୋଗ ମିଳିବା ପରେ ଯାଇ ପରବର୍ତ୍ତୀ ପଞ୍ଜିକୃତ କଳା ଅନୁଷ୍ଠାନଗୁଡ଼ିକର ନାମ ସାଇଟ୍ରେ ଦେଖାଇବ। ଫଳରେ ଯଦି ପୂର୍ବ କଳା ଅନୁଷ୍ଠାନଗୁଡ଼ିକ କାର୍ଯ୍ୟକ୍ରମ ନ କରନ୍ତି, ତେବେ ପରବର୍ତ୍ତୀ କଳା ଅନୁଷ୍ଠାନକୁ ସୁଯୋଗ ମିଳି ପାରିବ ନାହିଁ। ଏହାଦ୍ବାରା ପ୍ରକୃତ କଳାକାର କାର୍ଯ୍ୟକ୍ରମ ପାଇବାରୁ ବଞ୍ଚିତ ହେଉଛନ୍ତି। ଏବେ ସଂସ୍କୃତି ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ଯେ, ଗୋଟିଏ ଅନୁଷ୍ଠାନକୁ ବାର୍ଷିକ ୨୪ଟି କାର୍ଯ୍ୟକ୍ରମ ମିଳିବ। ଅନେକ ଅଣକଳାକାର ଏହି ବ୍ୟବସ୍ଥାରେ ପଶିଯାଇଥିବାରୁ ପ୍ରକୃତ କଳାକାର ଏହି ବ୍ୟବସ୍ଥା ଦ୍ବାରା କେତେ ଲାଭବାନ ହୋଇପାରିବେ ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆହୁରି ମଧ୍ୟ ଅଭିଯୋଗ ହେଉଛି ଯେ, ସିଟିଏମ୍ଏସ୍ରେ ଓଡ଼ିଶୀ ନୃତ୍ୟ ପାଇଁ ଦଳ ଖୋଜିଲେ ସେଥିରେ ପାଲା, ସଂକୀର୍ତ୍ତନ କଳାକାରମାନେ ପଞ୍ଜିକୃତ କରିଥିବା ଦେଖିବାକୁ ମିଳୁଛି। ଫଳରେ ଆୟୋଜକ ସଂସ୍ଥା ସେମାନଙ୍କୁ ବୁକ୍ ନ କରି ଅନ୍ୟଆଡ଼ୁ କଳାକାର ନେଉଛନ୍ତି। ଏହି ଦଳଗୁଡ଼ିକ ବୁକ୍ ନ ହେଲେ ଏହାର ପରବର୍ତ୍ତୀ ଦଳଗୁଡ଼ିକୁ ସୁଯୋଗ ମିଳୁନାହିଁ। ଫଳରେ ଶତାଧିକ କଳାକାର ହାତ ବାନ୍ଧି ବସି ରହୁଛନ୍ତି।
ଆସୋସିଏସନ୍ର ଦାବି ଅନୁଯାୟୀ, ପ୍ରଥମେ ଏହି ସିଟିଏମ୍ଏସ୍ ବ୍ୟବସ୍ଥାରୁ ଅଯୋଗ୍ୟ କଳା ଅନୁଷ୍ଠାନଗୁଡ଼ିକୁ ବାଦ୍ ଦିଆଯାଉ। ସଂସ୍କୃତି ବିଭାଗ ଯୋଗ୍ୟତାର ଏକ ମାପକାଠି ନିର୍ଦ୍ଧାରଣ କରୁ। ଏଥିସହ ନୃତ୍ୟ, ସଙ୍ଗୀତ, ଲୋକକଳା, ଲୋକନୃତ୍ୟ ଓ ଲୋକ ସଙ୍ଗୀତକୁ ନେଇ ଭିନ୍ନ ଭିନ୍ନ ବିଭାଗ କରାଯାଇ ଯୋଗ୍ୟ କଳାକାରଙ୍କୁ ତାହା ଅଧୀନରେ ରଖାଯାଉ। ତେବେ ଯାଇ ସିଟିଏମ୍ଏସ୍ ବ୍ୟବସ୍ଥାଟି ସୁପରିଚାଳିତ ହୋଇପାରିବ।