ଭୁବନେଶ୍ବର: ବର୍ଷକ ତଳେ ସଂସ୍କୃତି ବିଭାଗ ନାମ ବଦଳି ହେଲା ‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି’ ବିଭାଗ। କିନ୍ତୁ ବିଭାଗର ଆଭ୍ୟନ୍ତରୀଣ ସ୍ଥିତିରେ ଏହା ମଧ୍ୟରେ କିଛି ପରିବର୍ତ୍ତନ ଆସିନି। କର୍ମଚାରୀ ସଙ୍କଟ ଠାରୁ ଆରମ୍ଭ କରି ପ୍ରଶାସନିକ ବିଶୃଙ୍ଖଳା ବିଭାଗକୁ ଯେପରି ସ୍ଥାଣୁ କରିବାକୁ ବସିଲାଣି। ରାଜ୍ୟ ସରକାରଙ୍କ ଭାବମୂର୍ତ୍ତି ବଢ଼ାଇବାରେ ଏହି ବିଭାଗର ଗୁରୁ ଦାୟିତ୍ବ ରହିଥିଲେ ବି ଆଭ୍ୟନ୍ତରୀଣ ସଙ୍କଟ ଯୋଗୁ ଆଶାନୁରୂପକ କାମ ବି ହୋଇପାରୁନି। ଗୋଟିଏ ପଟେ ଏହି ବିଭାଗ ଅଧୀନସ୍ଥ ବିଭିନ୍ନ ଏକାଡେମିରେ ଗୁରୁତ୍ବପୂର୍ଣ୍ଣ ପଦବି ଫାଙ୍କା ପଡ଼ିଥିଲା ବେଳେ ଅନ୍ୟ ପଟେ ପ୍ରଶାସନିକ ବିଶୃଙ୍ଖଳା ବିଭାଗର ବିଭିନ୍ନ କାମରେ ବାଧା ସୃଷ୍ଟି କରୁଛି। ବିଭାଗର ସବୁଠାରୁ ବଡ଼ ସମସ୍ୟା ହେଉଛି କିଛି ଆବଶ୍ୟକତା ନ ଥାଇ ଦୁଇ ଦୁଇଟି ଜାଗାରେ ବିଭାଗର କାମ ହେଉଛି ଓ କର୍ମଚାରୀ ବସୁଛନ୍ତି। ସଚିବାଳୟରେ ସଂସ୍କୃତି ବିଭାଗ ରହିଥିଲା ବେଳେ ଭଞ୍ଜକଳା ମଣ୍ଡପ ପଛ ପଟେ ଥିବା ‘ସଂସ୍କୃତି ଭବନ’ରେ ରହିଛି ସଂସ୍କୃତି ନିର୍ଦ୍ଦେଶାଳୟ। ବାସ୍ତବରେ ସଂସ୍କୃତି ବିଭାଗର ସବୁ କାମ ନିର୍ଦ୍ଦେଶାଳୟରେ ହିଁ କରାଯାଏ। ତେଣୁ ସ˚ସ୍କୃତି ବିଭାଗ ଓ ସ˚ସ୍କୃତି ନିର୍ଦେଶାଳୟକୁ ମିଶାଇ ଗୋଟିଏ ‘କମ୍ପୋଜିଟ୍ ଡିପାର୍ଟମେଣ୍ଟ୍’ କରିବା ପାଇଁ ୨୦୦୬ ନଭେମ୍ବର ମାସରେ ସାଧାରଣ ପ୍ରଶାସନ ବିଭାଗ ନିର୍ଦେଶ ଦେଇଥିଲା। ପର୍ଯ୍ୟଟନ ବିଭାଗ ଢ଼ାଞ୍ଚାରେ ସ˚ସ୍କୃତି ବିଭାଗ କାର୍ଯ୍ୟ କରିବ ବୋଲି କୁହାଯାଇଥିଲା। ଯେପରି ପର୍ଯ୍ୟଟନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ କେବଳ ‘ପର୍ଯ୍ୟଟନ ଭବନ’ରେ ବସୁଛନ୍ତି, ସେହିପରି ସ˚ସ୍କୃତି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ କେବଳ ‘ସ˚ସ୍କୃତି ଭବନ’ରେ ବସିବା ପାଇଁ ନିର୍ଦେଶ ଥିଲା। ଉଦ୍ଦେଶ୍ୟ ହେଲା, ଏହା ଦ୍ବାରା ବିଭାଗର କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୋଇପାରିବ।
ଏହା ମଧୢରେ ୧୨ ବର୍ଷ ବିତିଯାଇଥିଲେ ବି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁନି। ସ˚ସ୍କୃତି ଭବନରେ ନିର୍ଦେଶକଙ୍କ ସହ କର୍ମଚାରୀମାନେ ବସୁଛନ୍ତି। କିନ୍ତୁ ସଚିବାଳୟରେ ଏବେ ବି ସ˚ସ୍କୃତି ବିଭାଗ କାର୍ଯ୍ୟ କରୁଛି। ନିର୍ଦେଶକ ତଥା ଅତିରିକ୍ତ ସଚିବଙ୍କ ପାଇଁ ସଚିବାଳୟରେ ପ୍ରକୋଷ୍ଠ ଥିଲା ବେଳେ ଜଣେ ଯୁଗ୍ମ ସଚିବ, ଜଣେ ଉପ ସଚିବ ଓ ଜଣେ ଅନୁ ସଚିବଙ୍କ ସମେତ ତିନି ଚାରି ଜଣ କର୍ମଚାରୀ ବସୁଛନ୍ତି। ସ˚ସ୍କୃତି ଭବନରେ ଏହି କର୍ମଚାରୀମାନେ ବସିବା ପାଇଁ ଯଥେଷ୍ଟ ଜାଗା ଥିଲା ବେଳେ ସେମାନଙ୍କୁ କାହିଁକି ସଚିବାଳୟରେ ବସାଯାଉଛି, ତାହା ବୁଝାପଡ଼ୁ ନାହିଁ। ସ˚ସ୍କୃତି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏପରି ଭାଗ ଭାଗ ହୋଇ ବସୁଥିବାରୁ ଫାଇଲ୍ ନେବା, ଆଣିବାରେ ଅଯଥା ସମୟ ଯାଉଛି। କୌଣସି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପାଇଁ ଅଧିକାରୀମାନଙ୍କୁ ଅଯଥାରେ ଏପଟ, ସେପଟ ହେବାକୁ ପଡ଼ୁଛି। ବିଭାଗୀୟ କାର୍ଯ୍ୟରେ ଭୀଷଣ ସମସ୍ୟା ସୃଷ୍ଟି ହେଉଛି। ତଥାପି ଗୋଟିଏ ଛାତ ତଳକୁ ବିଭାଗକୁ ଆଣିବା ପାଇଁ କିଏ ରୋକୁଛି, ତାହା ବୁଝାପଡ଼ୁନି। ଏବେ ସଚିବାଳୟ ପଛ ପଟେ ନିର୍ମାଣାଧୀନ ନୂଆ କୋଠାକୁ ଅନ୍ୟ କିଛି ବିଭାଗ ସହ ସଂସ୍କୃତି ବିଭାଗ ସ୍ଥାନାନ୍ତର ହେବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ନା ପୂର୍ବ ପରି ଦୁଇଟି ଜାଗାେର ସଂସ୍କୃତି ବିଭାଗ କାର୍ଯ୍ୟ କରିବ, ତାହା ପରେ ଜଣାପଡ଼ିବ। ସଂସ୍କୃତି ନିର୍ଦ୍ଦେଶାଳୟ ପାଇଁ ୧୧ଟି ବରିଷ୍ଠ ସହାୟକ ଓ ୭ଟି କନିଷ୍ଠ ସହାୟକ ପଦବି ମଞ୍ଜୁର ହୋଇଥିଲା। ନିର୍ଦ୍ଦେଶାଳୟରେ କାମ ଚାପ ବଢ଼ିଥିଲେ ବି ଏହି ୧୮ଟି ପଦବି ମଧୢରୁ ୧୫ଟି ଉଚ୍ଛେଦ କରାଯାଇଛି। ଏବେ ମାତ୍ର ୩ ଜଣ ବରିଷ୍ଠ ସହାୟକ କାର୍ଯ୍ୟ କରୁଛନ୍ତି। ଚଳଚ୍ଚିତ୍ର ସମ୍ମାନ, ଅନୁଦାନ, ପେନ୍ସନ୍, କ୍ଷେତ୍ର ପରିଚାଳନା, ରାଜା ରାମମୋହନ ରାୟ ଲାଇବ୍ରେରି, କେନ୍ଦ୍ର ସରକାରଙ୍କ ଯୋଜନା ରୂପାୟନ ଆଦି ୯ଟି ଶାଖା ଏଠାରେ କାର୍ଯ୍ୟ କରୁଛି। ମାତ୍ର ତିନି ଜଣ ବରିଷ୍ଠ ସହାୟକଙ୍କ ହାତରେ ସବୁ ଦାୟିତ୍ବ ଛାଡ଼ିଦିଆଯାଇଛି। କର୍ମଚାରୀ ସଙ୍କଟ ଥିଲା ବେଳେ ଏବେ ବିଭାଗରେ ଦୁଇ ଜଣ ଡିଡିଓ କାମ କରୁଛନ୍ତି। ଜଣେ ବିଭାଗ ପାଇଁ ଓ ଆଉ ଜଣେ ନିର୍ଦ୍ଦେଶାଳୟ ପାଇଁ। ଦୁଇ ଜଣ ଡିଡିଓଙ୍କର କ’ଣ ଆବଶ୍ୟକତା ରହିଛି, ତାହା ବୁଝା ପଡ଼ୁ ନାହିଁ। ସେହିପରି ସହ-ନିର୍ଦ୍ଦେଶକ ପଦବିକୁ ପଦୋନ୍ନତି ପାଇବା ପାଇଁ ବରିଷ୍ଠତା ଭିତ୍ତିରେ ଯୋଗ୍ୟ କର୍ମଚାରୀ ଥିଲେ ବି ତାହା କରାଯାଉ ନାହିଁ। ଫଳରେ ଏ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ରହିଛି। ସେହିପରି କର୍ମଚାରୀଙ୍କ ଗ୍ରେଡ୍ ପେ ବୃଦ୍ଧି, ଠିକା କର୍ମଚାରୀ ନିଯୁକ୍ତି ଆଦି କ୍ଷେତ୍ରରେ ଠିକ୍ ଭାବେ ଆଇନ୍ ପାଳନ କରାଯାଇ ନ ଥିବାରୁ ଆଇନ୍ ବିଭାଗ ଓ ଅର୍ଥ ବିଭାଗ ବିଭିନ୍ନ ସମୟେର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏତେ ସବୁ ସମସ୍ୟା ସତ୍ତ୍ବେ ବିଭାଗର ବିଶୃଙ୍ଖଳା ସଜାଡ଼ିବାକୁ କର୍ତ୍ତୃପକ୍ଷ କାହିଁକି ଧ୍ୟାନ ଦେଉ ନାହାନ୍ତି, ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି।