ସାଂସ୍କୃତିକ ଦଳକୁ ବାକିଆ ପାଉଣା ଦେଉନି ସଂସ୍କୃତି ବିଭାଗ

ଭୁ‌ବନେଶ୍ବର : ମାସେ ହେଲା ହାତରେ କାମଟିଏ ନାହିଁ। ୪ ମାସ ହେଲା କରିଥିବା କାମର ପଇସାଟିଏ ମିଳିନାହିଁ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ୩୫ହଜାର ଦୁଃସ୍ଥ କଳାକାରଙ୍କୁ ୪ମାସର ଆଗୁଆ ଭତ୍ତା ଦେଇ ବାହାବା ନେଲା। ହେଲେ ସଂଗୀତ କାର୍ଯ୍ୟକ୍ରମରେ ଗୀତ ଗାଇ, ବାଦ୍ୟଯନ୍ତ୍ର ବଜାଇ ପେଟ ପୋଷୁଥିବା ହଜାର ହଜାର କଳାକାରଙ୍କ ପେଟର ବ୍ୟଥା ‌ବିଭାଗକୁ ଦେଖାଗଲା ନାହିଁ। କେବଳ ଜଣକର ନୁହେଁ, ବରଂ ହଜାର ହଜାର କଳାକାରଙ୍କର ଏବେ ଏଇ ଗୋଟିଏ ପ୍ରଶ୍ନ। ହେଲେ ଦରଦ ତ ଦ‌ୂରେ ଥାଉ, ସେମାନେ କେମିତି ଅଛନ୍ତି, ବିଭାଗ ଜାଣିବାକୁ ବି ଚେଷ୍ଟା କରିନାହିଁ। ସ୍ବାଭିମାନୀ କଳାକାରମାନେ ସେମାନଙ୍କ ଅନ୍ତରର ବ୍ୟଥାକୁ ବ୍ୟକ୍ତ କରିବାକୁ ଯାଇ କହିଛନ୍ତି, ଆମେ ବି କଳାକାର ଆଜ୍ଞା, ଆମର ବି ପେଟପାଟଣା ଅଛି।

ବହୁ ସାଂସ୍କୃତିକ ଦଳ ଉତ୍କଳ ଦିବସ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ଅନେକ କାର୍ଯ୍ୟକ୍ରମ ପରିବେଷଣର ସୁଯୋଗ ପାଆନ୍ତି। ମାତ୍ର କରୋନା ମୁକାବିଲା ପାଇଁ ଲକଡାଉନ୍ ‌ଯୋଗୁଁ ଏଥର ସେମାନେ କାମ ପାଇଲେ ନାହିଁ। ସରକାରଙ୍କ ନିର୍ଦ୍ଦେଶ ପାଳନ ପୂର୍ବକ ହାତବାନ୍ଧି ଘରେ ବସି ରହିଲେ। ହେଲେ ବିଡ଼ମ୍ବନା ଏହି ଯେ ଡିସେମ୍ବରରୁ କାମ କରି ସାରିଥିଲେ ସୁଦ୍ଧା ସେମାନେ ବିଭାଗଠାରୁ ଏପର୍ଯ୍ୟନ୍ତ ନିଜର ବାକିଆ ପାଉଣା ପାଇଲେ ନାହିଁ। ଫଳରେ କାମ କରି ମଧ୍ୟ ନିଜର ପ୍ରାପ୍ୟ ବିନା ଏବେ ଏମାନଙ୍କୁ ଦହଗଞ୍ଜ ହେଇ ଚଳିବାକୁ ପଡ଼ୁଛି। ବିପତ୍ତି ସମୟରେ ସରକାରଙ୍କୁ ଦୁଃସ୍ଥ କଳାକାରଙ୍କ ପେଟ ଚିନ୍ତା ଦେଖାଯିବା ପ୍ରଶଂସାଯୋଗ୍ୟ। ମାତ୍ର ବଜେଟ୍‌ ପାସ୍‌ ହେବା ପରେ ମଧ୍ୟ କଳାକାରଙ୍କ ପ୍ରାପ୍ୟକୁ ଚାପି ରଖି ସରକାର କି ମଜା ଦେଖୁଛନ୍ତି ବୋଲି କଳାକାରମାନେ ପ୍ରଶ୍ନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ସରକାରୀ ସୂତ୍ରରୁ ବହୁ ସାଂସ୍କୃତିକ ଦଳକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର ସୁଯୋଗ ମିଳେ। ଏଥିରୁ ମିଳୁଥିବା ପ୍ରାପ୍ୟରେ ସେମାନେ ନିଜର ବ୍ୟାଙ୍କ ବାଲାନ୍ସ ବଢ଼ାନ୍ତି ନାହିଁ। ବରଂ ତାଙ୍କ ପେଟ ପାଇଁ ଆବଶ୍ୟକ ଅର୍ଥ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମିଳିଯାଏ। ଘରୋଇସ୍ତରରେ କିଛି କାର୍ଯ୍ୟକ୍ରମ ପରିବେଷଣ ବେଳେ ଯଦିଓ ସେମାନେ ସିଧାସଳଖ ପ୍ରାପ୍ୟ ପାଇଯାଆନ୍ତି, ମାତ୍ର ସରକାରୀ ସୂତ୍ରରୁ ଆସୁଥିବା ପ୍ରାପ୍ୟ ତାଙ୍କର ନିଶ୍ଚିତ ସମ୍ବଳ ବୋଲି ସେମାନେ ବିଚାରି ନେଇଥାଆନ୍ତି। ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ ଯେଉଁ ସାଂସ୍କୃତିକ ଦଳ କାମ କରିଥିଲେ, ସେ ପ୍ରାପ୍ୟ ସେମାନଙ୍କୁ ବିଭାଗ ପକ୍ଷରୁ ପ୍ରଦାନ କରାଯାଇ ସାରିଛି। ମାତ୍ର ଡିସେମ୍ବରରୁ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ କାମ କରିଥିବା ସାଂସ୍କୃତିକ ଦଳ ନିଜର ପ୍ରାପ୍ୟ ପାଇନାହାନ୍ତି। ମାର୍ଚ୍ଚ ୨୨ରୁ ଅଚାନକ ଲକଡାଉନ୍‌ ଘୋଷଣା ପରେ ସେମାନଙ୍କ ଜୀବନଧାରଣ ଦୟନୀୟ ହୋଇଯାଇଛି। ଅନେକ ଧାର ଉଦ୍ଧାର କରିବା ପାଇଁ ବାଧ୍ୟ ହେଲେଣି। ଅନ୍ୟ ସମୟରେ ପ୍ରାପ୍ୟ ପାଇବାରେ ଡେରି ହେବା ଭିନ୍ନ କଥା। ଯଦି ଅନ୍ତତଃ ଏ ବିପତ୍ତି ବେଳେ ଏହି ପ୍ରାପ୍ୟ ପ୍ରଦାନ କରିଦେଇଥାଆନ୍ତେ, ତେବେ ଏହା ସେମାନଙ୍କୁ ଆଶ୍ବସ୍ତ କରିଥାଆନ୍ତା।

ସରକାରୀ ସୂତ୍ରରୁ ମିଳୁଥିବା ପ୍ରାପ୍ୟ ଏତେ ବେଶି ନୁହେଁ। କଳାକାର ହିସାବରେ ଘରୋଇ କାର୍ଯ୍ୟକ୍ରମଟିଏ କଲେ ସେମାନେ ଯେତିକି ପ୍ରାପ୍ୟ ପାଆନ୍ତି, ସରକାରଙ୍କ ସୂତ୍ରରୁ କେଉଁଠିକୁ କାର୍ଯ୍ୟକ୍ରମ ପାଇଁ ଗଲେ ତା’ର ଅଧା ପାଉଣା ମିଳେ। ତ‌େବେ ବି ଏହା ଉପରେ ସେମାନଙ୍କ ଗୁଜରାଣ ନିର୍ଭର କରେ। ଲକଡାଉନ୍‌କୁ ମାସେ ପୂରି ସାରିଥିବାରୁ ଯାହା ସଞ୍ଚୟ ଥିଲା ସରି ଆସିଲାଣି। ତେଣୁ ଏ ସମୟରେ ଯଦି ସେମାନଙ୍କର ୪ମାସର ବାକିଆ ପାଉଣା ମିଳି ପାରନ୍ତା, ସେମାନଙ୍କ ଶୁଖିଲା ମୁହଁରେ ଚେନାଏ ହସ ଖେଳିପାରନ୍ତା।

ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି, ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ପ୍ରାପ୍ୟ ଦିଆସରିଛି। ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ କାମ କରିଥିବା ସାଂସ୍କୃତିକ ଦଳକୁ ମଧ୍ୟ ସେମାନଙ୍କ ପ୍ରାପ୍ୟ ଦେବା ପାଇଁ ଆମେ ପ୍ରକ୍ରିୟା ଆରମ୍ଭ କରିଛୁ। ସାଂସ୍କୃତିକ ଦଳଗୁଡ଼ିକ ଖୁବ୍‌ଶୀଘ୍ର ସେମାନଙ୍କ ପ୍ରାପ୍ୟ ପାଇପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର