ଘୂର୍ଣ୍ଣିବାତ୍ୟା ‘ଫନୀ’ ପ୍ରଭାବିତ ରାଜ୍ୟ ସଂଗ୍ରହାଳୟ କ୍ଷୟକ୍ଷତି ଅନୁଧ୍ୟାନ କଲେ ସଂସ୍କୃତି ମନ୍ତ୍ରୀ, ସଂଗ୍ରହାଳୟ ଖୋଲିବା ହେବ ବିଳମ୍ବିତ
ଭୁବନେଶ୍ୱର : ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ପୂର୍ବାହ୍ନରେ ଘୂର୍ଣ୍ଣିବାତ୍ୟା ‘ଫନୀ’ ପ୍ରଭାବିତ ରାଜ୍ୟ ସଂଗ୍ରହାଳୟ ଯାଇ ବିଭିନ୍ନ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହିତ ବିଭିନ୍ନ ଗୃହ, ଗ୍ୟାଲେରୀ ଓ ଅଞ୍ଚଳ ପରିଦର୍ଶନ କରିଥିଲେ। ସେ ପଦାଧିକାରୀମାନଙ୍କଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସଂଗ୍ରହାଳୟ ପରିସରରେ ବ୍ୟାପକ ଭାବରେ ଗଛବୃଚ୍ଛ ଭାଙ୍ଗିବା ସହିତ ଉଦ୍ୟାନ ଓ ସୌନ୍ଦର୍ଯ୍ୟକରଣ ନଷ୍ଟ ହୋଇଯାଇଛିା ସଂଗ୍ରହାଳୟର ସମ୍ମିଳନୀ ପ୍ରକୋଷ୍ଠ ଭାଙ୍ଗିଯାଇଛି। ମୁଦ୍ରା ବିଭାଗ ଗ୍ୟାଲେରୀର ଛାତ କ୍ଷତିଗ୍ରସ୍ତ ହୋଇଛି। ସଂଗ୍ରହାଳୟରେ ଲାଗିଥିବା ୧୨୦ଟି ବାତାନୁକୂଳ ଯନ୍ତ୍ରରୁ ପ୍ରାୟ ୩୦ଟି ନଷ୍ଟ ହୋଇଯାଇଛି। ତୁରନ୍ତ ବିଭିନ୍ନ ପୁନଃନିର୍ମାଣ କାର୍ଯ୍ୟ ଓ ବିଦ୍ୟୁତ ସରବରାହ ତଥା ପାନୀୟ ଜଳଯୋଗାଣକୁ ସୁସଂହତ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ପଣ୍ଡା ବିଭାଗୀୟ ପଦାଧିକାରୀମାନଙ୍କ ସହ କଥାବାର୍ତ୍ତା କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସଂଗ୍ରହାଳୟର ପ୍ରାୟ ୧୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି। ତେବେ ତୁରନ୍ତ ମରାମତି କାର୍ଯ୍ୟ ଏବଂ କ୍ଷତିଗ୍ରସ୍ତ ବାତାନୁକୂଳ ଯନ୍ତ୍ରଗୁଡ଼ିକୁ ସଚଳ କରିବା ପର୍ଯ୍ୟନ୍ତ ସଂଗ୍ରହାଳୟକୁ ବନ୍ଦ ରଖିବାକୁ ମନ୍ତ୍ରୀ କହିଥିଲେ। ସେଥିପାଇଁ ସର୍ବସାଧାରଣଙ୍କ ନିମନ୍ତେ ସଂଗ୍ରହାଳୟ ଖୋଲିବା ବିଳମ୍ବିତ ହୋଇପାରେ ବୋଲି କୁହାଯାଇଛିା
ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ପରିଦର୍ଶନ ଓ ଅନୁଧ୍ୟାନ ସମୟରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗର ଅନ୍ୟାନ୍ୟ ପଦାଧିକାରୀ, ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥଙ୍କ ସମେତ କର୍ମଚାରୀ ଏବଂ କ୍ୟୁରେଟରମାନେ ଉପସ୍ଥିତ ଥିଲେ।